ବୃହତ ଉଠାଜଳସେଚନ ପ୍ରକଳ୍ପ, ୯ କୋଟି ଟଙ୍କା ଖର୍ଚ୍ଚ ପରେ ଜମି ପଡିଆ

ବେଲଗାଁ: ସରକାରୀ ସ୍ତରରେ ଚାଷୀ ଅବହେଳାର ଶିକାର ହୋଇ ତଳିତଳାନ୍ତ ହୋଇଚାଲିଥିବା ଅଭିଯୋଗ ହୋଇଆସିଛି। ଏପରିକି ଚାଷୀଙ୍କ ନାମରେ ଜଳସେଚନ ଯୋଜନା ମଧ୍ୟ ହରିଲୁଟ ହୋଇଚାଲିଥିବା ତେଲନଦୀରେ ନିର୍ମିତ ବେଲଗାଁ ବୃହତ ଉଠାଜଳସେଚନ ପ୍ରକଳ୍ପ ଏହାର ନଗ୍ନ ଉଦାହରଣ ପାଲଟିଛି। ୯ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମିତ ଏହି ବୃହତ ଉଠାଜଳସେଚନ ପ୍ରକଳ୍ପ ଠିକାଦାର କେନ୍ଦ୍ରୀତ ହୋଇ ଫେଲ ମାରିଥିବା ଚାଷୀ ଅଭିଯୋଗ କରିଛନ୍ତି। ବେଲଗାଁ ତଥା ଶିଶକେଲା ପଞ୍ଚାୟତ ଅଞ୍ଚଳର ୫୦୦ ହେକ୍ଟର ଚାଷ ଜମିରେ ଖରିଫ ଋତୁରେ ଫସଲ ସୁନିଶ୍ଚିତ କରିବା ପାଇଁ ପ୍ରକଳ୍ପଟି ନିର୍ମାଣ ହୋଇଥିବା କୁହାଯାଇଛି। ହେଲେ ସମ୍ପ୍ରତି ଜମି ଫାଟି ଅାଁ କଲା ବେଳକୁ ପ୍ରକଳ୍ପରୁ ପାଣି ଟୋପାଏ ଚାଷୀ ପାଉନାହାନ୍ତି। ଅନେକ ଚାଷୀଙ୍କ ବାହାଲ ଜମି ପାଣି ନଥିବାରୁ ପହ୍ଲା ରୋପଣ ହୋଇପାରିନାହିଁ। ଶହଶହ ଏକର ଜମି ପଡିଆ ପଡିଛି। ପାଣି ନଥିବାରୁ ବାହାଲ, ଜମି ସବୁ ସମାନ ଦିଶୁଛି। ଚାଷ ଜମିରେ ଘାସଲଟା ସବୁଜିମାର ଭ୍ରମ ସୃଷ୍ଟି କରିଛି। ପୁର୍ବରୁ ଅଧାପନ୍ତରିଆ ପ୍ରକଳ୍ପଟିକୁ ବଲାଙ୍ଗିର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ। ଗତ ଦୁଇ ବର୍ଷ ହେଲା ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ ଘୋଷଣା କରାଯାଇଥିବା ବେଳେ ଅଦ୍ୟାବଧି ଚାଷୀ ଏହାର ସୁଫଲ ପାଉନଥିବା ଅଭିଯୋଗ ହୋଇଛି।
ପ୍ରକଳ୍ପଟିର ନିର୍ମାଣ ୨୦୧୬ରେ ସମ୍ପୁର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ପ୍ରକଳ୍ପ ନେଇ ସରକାରଙ୍କ ଧାର୍ଯ୍ୟ ମାର୍ଗଦର୍ଶିକା ଅନୁଯାୟୀ ଠିକା ସଂସ୍ଥା ଏଲଏଣ୍ଡଟି କମ୍ପାନୀ ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ଏହାର ଦେଖାଶୁଣା କରିବ ବୋଲି ନିୟମ ରହିଛି। ତେବେ ୨୦୧୬ରେ ନିର୍ମାଣ ସରିଥିବା ଦର୍ଶାଇ କମ୍ପାନୀ ୨୦୨୧ରେ ଚାଲିଯିବା ଯୋଜନା ରହିଥିବା ଅଭିଯୋଗ ହୋଇଛି। ୨୦୨୦ରେ କମ୍ପାନୀ ଆଖୁବୁଜି ଦେଇଥିବା ବେଳେ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିନଥିବା ବେଳେ ୨୦୨୧ରେ ପ୍ରକଳ୍ପରେ ସବୁଦିନ ପାଇଁ ତାଲା ପଡିବା ସୁନିଶ୍ଚିତ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଅନ୍ୟପକ୍ଷରେ ଚାଷୀ ଜମିକୁ ଜଳଯୋଗାଣ ପାଇଁ ପ୍ରକଲ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରେ ଦାବି କଲେ କୁଅରେ ପାଣି ନାହିଁ ବୋଲି କହୁଥିବା ଜଣାଯାଇଛି। ଖୋଦ ଏଲଏଣ୍ଡଟି କମ୍ପାନୀ ପ୍ରକଲ୍ପର ନିର୍ମାଣ ନେଇ ସରକାରୀ ଖର୍ଚ୍ଚରେ ସର୍ଭେ କରିଥିଲା। ଏପରିପ୍ରେକ୍ଷୀରେ ଚିରସ୍ରୋତା ତେଲନଦୀରେ କିଭଳି କୁଅ ଖୋଲାଗଲା ଯେ ପାଣି ଉଭାନ ହେଲା ବୋଲି ବେଲଗାଁ ଗଉଁତିଆ ଯୁବରାଜ ମାଝୀ, ସରପଞ୍ଚ ଶିର ରଣା, ଶିଶକେଲା ସରପଞ୍ଚ ଉମାକାନ୍ତ ରଣା ପ୍ରମୁଖ ଚାଷୀ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ମନଇଚ୍ଛା ମନଇଚ୍ଛା ନିଚ୍ଚା ସ୍ଥାନରେ ପାଣି ବାହାରିବା ପଏନ୍ଟ ବସାଇଦିଆଯାଇଛି। ପ୍ରାୟ ୨୫ ହେକ୍ଟର ଜମିକୁ ଜଳସେଚନ ପାଇଁ ଗୋଟିଏ ପଏଣ୍ଟ ଦିଆଯାଇଛି। ଏନେଇ ଚାଷୀଙ୍କ ଦାବିକୁ କମ୍ପାନୀ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏବେ ଚାଷୀଙ୍କ ଘର ବୁଡି ପାଣି ଆଣ୍ଠୁଏ ବେଳକୁ କମ୍ପାନୀ କିମ୍ବା ବିଭାଗୀୟ ସରକାରୀ ଅଧିକାରୀଙ୍କ ଦେଖା ମିଳୁନଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏନେଇ ଟିଟିଲାଗଡ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳଙ୍କୁ ପଚାରିବାରୁ କୁଅରେ ପାଣି ନହେଲେ କିଭଳି ମୋଟର ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। ଏକ ହେକ୍ଟର ପାଇଁ ଗୋଟିଏ ପଏଣ୍ଟ୍‍ ଦେବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି। ଚାଷୀଙ୍କୁ କାଳିଆ, ବଳରାମ ଯୋଜନା ଟଙ୍କା ଦେଇ ସରକାର ତଂଚକତା କରିଛନ୍ତି। ପ୍ରକୃତ ଚାଷୀ ସମସ୍ତ ସରକାରି ସହାୟତାରୁ ବଞ୍ଚିତ ହୋଇଚାଲିଛନ୍ତି। ଚାଷୀଙ୍କ ଜଳସେଚନ ପ୍ରକଳ୍ପ ମଧ୍ୟ ହରିଲୁଟ ହୋଇଛି। ଏନେଇ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ବିରାଟ ଆନ୍ଦୋଳନ ସୃଷ୍ଟି ହେବ ବୋଲି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଳିଆ ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ସରକାର ତୁରନ୍ତ ଚାଷୀ ସମସ୍ୟାର ସମାଧାନ ସହ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି ହୋଇଛି।

Comments are closed.