ଝିପି ଝିପି ବର୍ଷାରେ ରାସ୍ତାର ଅବସ୍ଥା ବେହାଲ; ଲୋକଙ୍କ ଆକ୍ରୋଶରୁ ରକ୍ଷା ପାଇବାକୁ ରାସ୍ତାରୁ ଉଠିଲା ସୂଚନା ଫଳକ

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡାଠାରୁ ଦଲକ ଦେଇ ୧୬ ନଂ ଜାତୀୟ ରାଜପଥର ମଳିପଡ଼ା ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର ଅବସ୍ଥା ଝିପି ଝିପି ବର୍ଷାରେ ବେହାଲ । ୩କୋଟି ୮୬ ଲକ୍ଷ୧୧ ହଜାର ଟଙ୍କା ବ୍ୟୟ ଅଟକଳରେ ୮.୧୭୦କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା । ୨୦୧୩ ମାର୍ଚ୍ଚ ୨୫ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୧୪ ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ଶେଷ ହେବା ପାଇଁ ଥିବାବେଳେ ନିର୍ମାଣ ସମୟ ସୀମାର ଅବଧି ସରିବାର ଦୁଇବର୍ଷ ପରେ ରାସ୍ତାକାମ ଶେଷ ହୋଇଥିଲା । ଏହି ରାସ୍ତାରେ ୭.୨୦୬ କିମି ପିଚୁ ଏବଂ ୬୦୦ ମିଟର କଂକ୍ରିଟ କରାଯାଇଛି । ୨୦ଟି କଲଭର୍ଟ ସହିତ ୧୪ ଟି କଜୱେ ରାସ୍ତାରେ ନିର୍ମାଣ କରାଯାଇଛି । କାର୍ଯ୍ୟ ଶେଷ ହେବାର ୫ ବର୍ଷ ନପୁରୁଣୁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ । ଏହି ରାସ୍ତା ଉପରେ ଦୈନନ୍ଦିନ ନିର୍ଭର କରୁଥିବା ହଜାର ହଜାର ଲୋକ ଏବଂ ଗାଡିମଟର ଚଳାଚଳରେ ବହୁ ଅସୁବିଧା ଦେଖା ଦେଉଛି । ରାସ୍ତାଟି ଏବେ ସମ୍ପୂର୍ଣ୍ଣ ମାଟି ରାସ୍ତାରେ ପରିଣତ ହୋଇଛି । ରାସ୍ତାରୁ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଛି । ସାମାନ୍ୟ ଝିପି ଝିପି ବର୍ଷାରେ ଏହି ରାସ୍ତାରେ ଗମନାଗମନ ସମ୍ଭବ ହେଉନାହିଁ । ଲୋକମାନେ ଚାଲି ଚାଲି ଏହି ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି । ଗାଡି ମଟର ନେଇ ଗଲେ ତାର ସ୍ଥାୟୀତ୍ୱ ମଧ୍ୟ ବେଶୀଦିନ ରହୁନାହିଁ ।

ଏହି ରାସ୍ତାରେ କାଳୁଚୁଆ ଏବଂ ହନୁମନ୍ତିଆ ପାହାଡ଼ରୁ ଦୈନନ୍ଦିନ ଶହ ଶହ ପଥର ବୋଝେଇ ହାଇୱା ଯିବା ଆସିବା କରିବା ଯୋଗୁଁ ରାସ୍ତାର ଦୂରାବସ୍ଥା ଏପରି ହୋଇଛି ବୋଲି ଶୁଣିବାକୁ ମିଳୁଛି । ପଥର ଗାଡ଼ିଗୁଡିକ ଗଲାବେଳେ ପଛରେ ଯାଉଥିବା ଯାତ୍ରୀମାନେ ଧୂଳିରେ ପୋତି ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଦିବାସୀ ସାହି ଏବଂ ଦଲକଠାରେ ଥିବା ବିଦ୍ୟାଳୟ ପ୍ରତି ବିପଦ ଦେଖାଦେଇଛି । ପଥର ମାଫିଆମାନେ ଡ଼ିନାମାଇଟ ଲଗାଇ ପାହାଡ଼ ଫଟାଉଥିବା ଯୋଗୁଁ ତାର ପ୍ରକୋପରେ ଗାଁ ଗହଳିରେ ଥିବା ଲୋକମାନଙ୍କ ଘର ସହିତ ବିଦ୍ୟାଳୟ କାନ୍ଥରେ ଫାଟସୃଷ୍ଟି ହେଉଛି। ପଥରଟ୍ରକ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଇଛି । ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର ଏହି ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପାଇଁ ଥିବାବେଳେ କାର୍ଯ୍ୟ ସରିବାର ୫/୬ ମାସ ମଧ୍ୟରେ ଯେଉଁ କେତେକ ସ୍ଥାନରୁ ପିଚୁ ଉଠିଯାଇଥିଲା ଓ ସେହିସବୁ ସ୍ଥାନରେ ପ୍ୟାଚ ପକାଯାଇଥିଲା । ତାପରେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯୋଗୁଁ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ମାଟି ରାସ୍ତାରେ ପରିଣତ ହୋଇଛି । ସରକାର ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଯେଉଁ ରାସ୍ତା ଭଲ ଅଛି ତାକୁ ଖୋଳି ତାଡି ବିଭାଗ ତରଫରୁ ସେହି ରାସ୍ତାରେ କାର୍ୟ୍ୟ କରାଯାଉଛି । କିନ୍ତୁ ଯେଉଁଠାରେ ଲୋକମାନେ ଅସୁବିଧାରେ ପଡି କ୍ଷତିର ସମ୍ମୁଖୀନ ହେଉଛନ୍ତି ସେଠାରେ କାର୍ଯ୍ୟ କରାଯାଉନାହିଁ । ସରକାର ଏବଂ ବିଭାଗୀୟ ଅଧିକାରୀମାନଙ୍କର ଏହି ବିଚିତ୍ର ନୀତିକୁ ଜନସାଧାରଣ ନାପସନ୍ଦ କରିବା ସହିତ ଅସନ୍ତୋଷ ପ୍ରକାଶ ପାଇଛି ।କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଚୁ କରାଯାଇଥିବା ଏହି ରାସ୍ତାରେ ଏବେ ପିଚୁର ଦେଖା ମିଳୁନାହିଁ । ମାଟି କାମ କଲାବେଳେ ସାକ୍ଷୀ ସ୍ୱରୂପ ଯେପରି ପିଟ କରାଯାଇଥାଏ ସେହିପରି ଏହି ରାସ୍ତାରେ କାଁ ଭାଁ କେଉଁଠି କେମିତି ରାସ୍ତାରେ ସାକ୍ଷୀ ସ୍ୱରୂପ ପିଚୁ ଟିକିଏ ଲାଖି ରହିଛି । ଏ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଏବଂ ରାସ୍ତା ଦୂରାବସ୍ଥା ଯୋଗୁଁ ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି । ରାସ୍ତା ଦୂରାବସ୍ଥା ଯୋଗୁଁ ଏବଂ ଲୋକମାନଙ୍କର ଆକ୍ରୋଶରୁ ବଞ୍ଚିବା ପାଇଁ ନିର୍ମାଣ ସମୟରେ ଡଙ୍ଗରପଡାଠାରେ ରାସ୍ତା ପାର୍ଶ୍ଵରେ ଲୁହା ବୋର୍ଡ଼ ରେ ଲାଗିଥିବା ସୂଚନା ଫଳକକୁ ବିଭାଗ ତରଫରୁ କାଢି ନିଆଯାଇଛି । ତୁରନ୍ତ ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆଇନକୁ ହାତକୁ ନେଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି ।

Comments are closed.