ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ପ୍ରସ୍ତୁତ ତାଲିକାରେ ବ୍ୟାପକ ତ୍ରୁଟି

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ପ୍ରସ୍ତୁତ ହୋଇଥିବା ଆବାସ ଯୋଜନାର ତାଲିକାରେ ବ୍ୟାପକ ତ୍ରୁଟି ଥିବାର ଅଭିଯୋଗ ହୋଇଛି। ଏହି ବ୍ଲକରେ ଗରିବ ପରିବାର ପାଇଁ ଦିଆଯିବାକୁ ଥିବା ଆବାସ ଗୃହ ବଣ୍ଟନ ପାଇଁ ୨୦୨୧ ମସିହା ପାଇଁ ପ୍ରସ୍ତୁତ ତାଲିକା ସମ୍ପୂର୍ଣ ବେନିୟମ ବା ତ୍ରୁଟିପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ବ୍ଲକର ବିଭିନ୍ନ ଗ୍ରାମରେ ଏକାଧିକ ବଖରା ଛାତ ଘର ଥିବା ପରିବାରଙ୍କ ନାମ ଉକ୍ତ ତାଲିକାରେ ଥିବାବେଳେ ଚାଳ କୁଡ଼ିଆ ଘରେ ରହୁଥିବା ଅନେକ ଗରିବ ପରିବାରର ନାମ ତାଲିକାରେ ସ୍ଥାନ ପାଇନାହିଁ। ସେହିପରି ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ସାମିଲ ଥିବା ଅନେକ ପରିବାର ମଧ୍ୟ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି। ଉକ୍ତ ତାଲିକା ସମ୍ପର୍କରେ ଜଣାପଡିବା ପରେ ସାଧାରଣ ଗରିବ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ଅନ୍ୟ ସବୁ ସ୍ଥାନରେ ସାଧାରଣ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଠିକ ଭାବରେ ତଦନ୍ତ ଓ କାହାରିକୁ ଲାଞ୍ଚ ନଦେବା ଏବଂ ଆବାସ ଗୃହ ବଣ୍ଟନରେ ସ୍ୱଚ୍ଛତା ପାଇଁ ସଚେତନ କରାଇ ଅଧିକାରୀମାନେ ଘର ଘର ବୁଲି ତଦନ୍ତ କରୁଥିବା ବେଳେ ଏଠାରେ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ।

ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ତୁରନ୍ତ ବଣ୍ଟନ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏପରି ତ୍ରୁଟିପୂର୍ଣ୍ଣ ପ୍ରସ୍ତୁତ ତାଲିକାରେ କିପରି ଆବାସ ଯୋଜନା ଗୃହ ବଣ୍ଟନ ହେବ ତାହା ଆଗାମୀ ଦିନରେ ଜଣାପଡିବ। ଏପରିକି ବୋତଳମା ପଞ୍ଚାୟତ ଅନ୍ତର୍ଗତ ବୋତଳମା ସ୍ବର୍ଗତ ଦାମୋଦର ସାମନ୍ତରାୟଙ୍କର ଅବିବାହିତ ୮୫ ପ୍ରତିଶତ ଭିନ୍ନକ୍ଷମ ଝିଅ ବାସନ୍ତୀ ସାମନ୍ତରାୟ (୬୦) ବାରମ୍ବାର ଘର ଖଣ୍ଡେ ପାଇଁ ଆବେଦନ କରି ଆସୁଥିବା ବେଳେ ତାଙ୍କର ନାମ ତାଲିକାରେ ନାହିଁ।ସେ ଏବେ ନିରାଶ୍ରୟ ଭାବେ ଭଉଣୀ ଘରେ ଆଶ୍ରୟ ନେଇଛନ୍ତି। ପୋଡାଡିହ ଗ୍ରାମର ସୂଚନା ଅଧିକାର କର୍ମୀ ବିଭୁତିଭୂଷଣ ଦାଶ ପୋଡାଡିହ ପଞ୍ଚାୟତ ଅଧିନସ୍ଥ ୧୧ଟି ଗ୍ରାମର ତାଲିକା ମାଗି ସେଥିରେ ୧୬୦ ଜଣଙ୍କ ନାମ ଥିବାର ଜାଣିବାକୁ ପାଇଥିଲେ। କିନ୍ତୁ ସେଥିମଧ୍ୟରେ ୧୨୦ ଜଣଙ୍କର ଆଗରୁ ଆବାସ ଯୋଜନାରେ ଘର ପାଇଥିବା ବେଳେ ଏବଂ କୋଠାଘର ଥାଇ ସେମାନଙ୍କର ନାମ ଏହି ତାଲିକାରେ ରହିଥିବାର ଦେଖିବା ପରେ ସେ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ତାଲିକାରୁ ବାଦ ଦେଇ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସ୍ଥାନ ଦେବା ପାଇଁ ବିଭାଗୀୟ ସଚିବ, ପିଡି ଖୋର୍ଦ୍ଧା ଏବଂ ବିଡିଓ ବେଗୁନିଆଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।

ଯଦି ଏହି ତ୍ରୁଟିପୂର୍ଣ୍ଣ ତାଲିକାର ପୁନଃ ତଦନ୍ତ କରାନଯାଇଗୃହ ବଣ୍ଟନ କରାଯାଏ ତାହେଲେ ସେ ଏଥିପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ଜଣାଇଛନ୍ତି। ପ୍ରକାଶଥାଉକି ସମ୍ପୃକ୍ତ ପଞ୍ଚାୟତରେ ୨୦୧୭-୧୯ ମସିହାରେ ୭୯ ଜଣ ଅଯୋଗ୍ୟ ବ୍ୟକ୍ତି ଚିହ୍ନଟ ହେବା ପରେ ସେ ସମୟରେ ଦାୟିତ୍ୱରେ ଥିବା ୩ ଜଣ ଭଏଲଡ଼ବ୍ଲୁ ନିଲମ୍ବିତ ହୋଇଥିଲେ। ବର୍ତମାନ ସେହିପରି ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଯୋଗ୍ୟମାନଙ୍କୁ ତାଲିକାରୁ ବାଦ ଦିଆଯାଇ ଅଯୋଗ୍ୟମାନଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ସେମାନଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ କିଛି ଅର୍ଥ ଆଦାୟ କରାଯାଉଛି। ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପକୁମାର ସାହୁ ଏବଂ ବ୍ଲକ କଂଗ୍ରେସ ସଭାପତି ହାଡୁବନ୍ଧୁ ମହାପାତ୍ର କହିଛନ୍ତି ଯେ ଶାସକ ଦଳ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଆବାସ ତାଲିକା ପ୍ରସ୍ତୁତ କରାଯାଇଛି। ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସଠିକ ହିତାଧିକାରୀ ଚୟନ ପାଇଁ ଶ୍ରୀ ସାହୁ ଏବଂ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ନଚେତ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।

Comments are closed.