କୋଭିଡ ଶ୍ମଶାନ ପାଇଁ ଖୋଳାଯାଇଥିବା ପିଟକୁ ସଂକ୍ରମଣ ଭୟରେ ଗ୍ରାମବାସୀ ପୋତିଦେଲେ

ବେଗୁନିଆ : କୋଭିଡ ଶ୍ମଶାନ ପାଇଁ ଖୋଳାଯାଇଥିବା ପିଟକୁ ସଂକ୍ରମଣ ଭୟରେ ପୋତିଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଡିଙ୍ଗର ପଂଚାୟତର ଡିଙ୍ଗର ଗ୍ରାମରେ ।

ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କୋଭିଡ ଶ୍ମଶାନ ନିର୍ମାଣ ପାଇଁ ସ୍ଥିର ହେବା ପରେ ବେଗୁନିଆ ବ୍ଲକ ଏବଂ ତହସିଲ ପ୍ରଶାସନ ତରଫରୁ ଡିଙ୍ଗରଠାରେ କରାଯିବା ପାଇଁ ସ୍ଥିର ହୋଇଥିଲା । କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରରେ ବହୁ ଲୋକ ମୃତ୍ୟୁବରଣ କରୁଥିବାରୁ ଏବଂ ଭୁବନେଶ୍ୱରରେ ସ୍ଥାନ ଅଭାବ ଯୋଗୁଁ ଯେଉଁ ଅଂଚଳର ଲୋକ ସେହି ବ୍ଲକ ଅଂଚଳରେ ଦାହ କରାଯିବା ପାଇଁ ଏହି ଶ୍ମଶାନ ନିର୍ମାଣ କରାଯିବ । ବେଗୁନିଆ ବ୍ଲକ ଡିଙ୍ଗର ପଂଚାୟତର ଡିଙ୍ଗର ଗ୍ରାମଠାରୁ ପାଞ୍ଚ ଶହ ମିଟର ଦୂରରେ ଥିବା ଶ୍ମଶାନ ଜମିକୁ ଦେଖି ବିଡ଼ିଓ, ତହସିଲଦାର, ସହକାରୀ ଯନ୍ତ୍ରୀ ପ୍ରମୁଖ ସ୍ଥାନୀୟ ସରପଞ୍ଚ ଶିବପ୍ରସ।ଦ ଦାସଙ୍କ ସହିତ ଆଲୋଚନା କରି ନିଷ୍ପତି ନେଇଥିଲେ । କିନ୍ତୁ ଗ୍ରାମବାସୀମାନେ ସଂକ୍ରମଣର ଭୟ ରଖି କୋଭିଡ ଶ୍ମଶାନ ନିର୍ମାଣକୁ ବିରୋଧ କରୁଥିବାରୁ ସରପଞ୍ଚ ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଥିଲେ । ସେମାନେ ଭୁବନେଶ୍ୱରରେ ସଂକ୍ରମିତଙ୍କ ଶବ ଦାହ କରାଯାଉଥିବାବେଳେ ସେଠାରେ ଯଦି ସଂକ୍ରମଣ ନ ହେଉଛି ଏଠାରେ କାହିଁକି ହେବ ବୋଲି କହି ବୁଝାଇବାପରେ ଗତକାଲି ପ୍ରଶାସନ ଏକ ଜେସିବି ପଠାଇ ଅତ୍ୟାଧୁନିକ ଉପାୟରେ କିପରି କମ ଖର୍ଚରେ ଅଳ୍ପ କାଠ ଲଗାଇ ଶବ ଦାହ କରାଯାଇପାରିବ ସେଥିପାଇଁ ୪ ଟି ପିଟ ଖୋଳାଯାଇଥିଲା । ଏହି ପିଟ ଗୁଡିକରେ ପଥର ପ୍ୟାଚିଂ କରାଯାଇ ନିର୍ମାଣ କରାଯାଇଥାନ୍ତା । ସେହି ସ୍ଥାନକୁ ବାଉଁଶ ବାଡ଼ କରାଯାଇ ଜାଲି ମାଶାରୀ ଦ୍ୱାରା ଆବଦ୍ଧ କରାଯାଇଥାନ୍ତା । ଏବଂ ସେଠାରେ ଏକାଥରକେ ୪ ଜଣଙ୍କର ଶବଦ।ହ କରାଯାଇଥାନ୍ତା ।କିନ୍ତୁ ଗ୍ରାମବାସୀମାନଙ୍କ ମନରେ ସଂକ୍ରମଣ ଭୟ ଲାଗି ରହିଥିବାରୁ ଗତକାଲି ପ୍ରଶାସନ ପିଟ ଖୋଳି ଆସିବା ପରେ ଆଜି ଗ୍ରାମବାସୀମାନେ ଯାଇ ସେଗୁଡିକ ପୋତି ଦେଇଛନ୍ତି । ଫଳରେ ସମ୍ପୃକ୍ତ ଗ୍ରାମରେ କୋଭିଡ ଶ୍ମଶାନ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଏ ସଂକ୍ରାନ୍ତରେ ବିଡିଓ ରଶ୍ମିରେଖା ଦାସଙ୍କୁ ପଚାରିବାରେ ଲୋକମାନେ ପୋତିଦେବାର ସେ ଖବର ପାଇଛନ୍ତି, ତେଣୁ ଆସନ୍ତାକାଲି ନଚେତ ବାତ୍ୟା ପରେ ଲୋକମାନଙ୍କୁ ଡାକି ସେମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ ।

Comments are closed.