ଟୀକାଦାନ କେନ୍ଦ୍ରରେ ଅବ୍ୟବସ୍ଥା, ସାଧାରଣରେ ଅସନ୍ତୋଷ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକରେ ଚାଲିଥିବା ୪ ଟି ଟୀକାକରଣ କେନ୍ଦ୍ରରେ ଦୀର୍ଘଦିନ ପରେ ଆଜି ଦ୍ୱିତୀୟ ବୁନ୍ଦା ଟୀକାକରଣରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ୯ ତାରିଖରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯିବ ବୋଲି ମାଇକରେ ପ୍ରଚାର କରାଯାଇଥିଲା। ଠିକ ଭାବରେ ପ୍ରଚାର ହୋଇନଥିବା ଯୋଗୁଁ ଲୋକମାନେ କିଛି ବୁଝିନପାରି ଆଜି ସକାଳୁ ଟିକାଦାନ କେନ୍ଦ୍ରଗୁଡିକରେ ଟୀକା ନେବା ପାଇଁ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଲୋକମାନେ ଯେତିକି ସଂଖ୍ୟାରେ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପଂହଁଚିଥିଲେ ସେହି ତୁଳନାରେ ସରକାର ଟୀକା ଯୋଗାଇ ପାରିନଥିଲେ। ଲୋକମାନେ ଟୀକା ନେବା ପାଇଁ ଅପେକ୍ଷା କରି ଯେଉଁମାନେ ଟୀକା ପାଇନଥିଲେ ସେମାନେ ପାଟିତୁଣ୍ଡ ହୋ ହାଲ୍ଲା କରିଥିଲେ । ଆଜି ବେଗୁନିଆରେ ୧୧୨ଜଣ, ବୋତଳମାରେ ୧୧୦ ଜଣ, ଡାଳତୋଳାରେ ୧୨୪ଜଣ ଏବଂ କଣ୍ଟାବାଡ଼ରେ ୧୪୧ଜଣ ଦ୍ୱିତୀୟ ବୁନ୍ଦା ଟୀକା ନେଇଥିବାବେଳେ ପ୍ରତି କେନ୍ଦ୍ରରେ ଶହ ଶହ ଲୋକ ଲୋକମାନଙ୍କ ର ଭିଡ ଦେଖିବାକୁ ମିଳିଥିଲା । ଗତ ସୋମବାର ୩ ତାରିଖ ଦିନ ଏହି ବ୍ଲକକୁ ୩୫୦ବୁନ୍ଦା ଟୀକା ଆସିଥିବାବେଳେ ତା ପୂର୍ବରୁ ୮ଦିନ ଧରି ଟିକାଦାନ ବନ୍ଦ ରହିଥିଲା। ବ୍ଲକ କର୍ତୃପକ୍ଷଙ୍କର ଦୁରଦୃଷ୍ଟିର ଅଭାବ ଯୋଗୁଁ ଟିକାଦାନ କେନ୍ଦ୍ରରେ ଆଜି ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବାର ଲୋକମାନଙ୍କ ମଧ୍ୟରେ ହେଉଥିବା ଅଲୋଚନାରୁ ଜଣାପଡିଛି । ମାଇକରେ ଠିକ ଭାବେ ପ୍ରଚାର ନହେବା ଯୋଗୁଁ ଆଜି ପ୍ରଥମ ବୁନ୍ଦା ଏବଂ ଦ୍ୱିତୀୟ ବୁନ୍ଦା ଟୀକା ନେବା ପାଇଁ ଲୋକମାନେ ଭିଡ଼ କରିଥିଲେ । ଯଦି ଯେଉଁମାନେ ପ୍ରଥମ ବୁନ୍ଦା ନେବାର ୪୫ ଦିନ ହୋଇଗଲାଣି ସେହିମାନେ କେବଳ ଦ୍ୱିତୀୟ ବୁନ୍ଦା ନେବେ ବୋଲି ପ୍ରଚାର କରାଯାଇଥିଲେ ଆଜି ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିନଥାନ୍ତା। କିମ୍ବା ଯଦି ବ୍ଲକ ତରଫରୁ ଯେଉଁମାନେ ଟୀକା ନେବେ ସେମାନଙ୍କର ଏକ ତାଲିକା ବାହାର କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରର ମରାଯାଇଥାନ୍ତା ତାହେଲେ ଅନ୍ୟମାନେ ଗହଳି କରିବାରୁ ନିବୃତ ରହିଥାନ୍ତେ ।
ଆସନ୍ତାକାଲି ପାଇଁ ଆଉ ଟିକା ନଥିବାବେଳେ ଯଦି ରାତିରେ ଆସେ ତାହେଲେ ଦିଆଯିବ ନଚେତ ପୁଣି ଟିକାଦାନ ବନ୍ଦ ରହିବ । ଘଟଣା ସମ୍ପର୍କରେ ଜାଣି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ବିଡିଓ ବେଗୁନିଆ ପୋଲିସ ଏବଂ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ଲୋକମାନଙ୍କୁ ବୁଝା ଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି। ତେବେ ସରକାରଙ୍କ ନିକଟରେ ଟୀକା ନଥାଇ ସରକାର ଆଗୁଆ ତାରିଖ ଘୋଷଣା କରିଛନ୍ତି କାହିଁକି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି। ସେଥିପାଇଁ ରାଜ୍ୟର ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ପାରିବା ପଣିଆ ପ୍ରତି ସାଧାରଣରେ ଆଙ୍ଗୁଳି ନିର୍ଦେଶ କରାଯାଉଛି।

Comments are closed.