ଗଡମାଣତୀ ପୁଲିସ ବିଟ ହାଉସକୁ ରାମଚଣ୍ଡୀଙ୍କ ପୀଠକୁ ସ୍ଥାନାନ୍ତର ଦାବି

ବେଗୁନିଆ; ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଠାରେ ଥିବା ପୋଲିସ ବିଟ ହାଉସଟି ବହୁ ଅବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଥିବାର ଜଣାପଡିଛି। ୧୯୮୭ ମସିହାରୁ ଏଠାରେ ଖୋଲାଯାଇଥିବା ଏହି ବିଟ ହାଉସଟି ବର୍ତମାନ ସୁଦ୍ଧା ଭଡାଘରେ ଚାଲିଛି।ଆଜି ପର୍ଯ୍ୟନ୍ତ ନିଜସ୍ୱ ଗୃହ ନିର୍ମାଣ ହୋଇ ପାରିନାହିଁ। ଏଠାରେ ସବୁବେଳେ କର୍ମଚାରୀ ଅଭାବ ଲାଗି ରହିଛି। ଦୁଇଜଣ କନେଷ୍ଟବଳଙ୍କୁ ନେଇ ଉକ୍ତ ବିଟ ହାଉସ କାର୍ଯ୍ୟ କରୁଛି। ଏଠାରେ କୌଣସି ମାଲି ମୋକଦମା ରୁଜୁ କରାଯାଉନଥିବା ବେଳେ ନାମକୁ ମାତ୍ର ବିଟ ହାଉସଟି ରହିଛି। ଜଣେ ଏଏସଆଇ ରହିବା ପାଇଁ ଥିବାବେଳେ ଏଏସଆଇ ନାହାନ୍ତି। କନେଷ୍ଟବଳ ଦୁଇଜଣ ଏଠାରେ ନିୟମିତ ରହୁନଥିବାର ଅଭିଯୋଗ ହେଉଛି।

ବେଗୁନିଆ ଠାରୁ ଗଡମାଣତୀର ଦୂରତା ୧୫ କିମି ହୋଇଥିବା ବେଳେ ଲୋକମାନେ ବେଗୁନିଆ ଥାନା ଉପରେ ନିର୍ଭର କରିଥାନ୍ତି। ଏଠାରେ ମା ରାମଚଣ୍ଡୀଙ୍କ ମନ୍ଦିର ଅବସ୍ଥିତ। ସରକାର ଏହି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଛନ୍ତି।ଦୈନନ୍ଦିନ ଏହି ସ୍ଥାନରେ ଜନ ଗହଳି ଲାଗି ରହିଥାଏ। ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସୁଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ମା ରାମଚଣ୍ଡୀଙ୍କ ପୀଠ ଯୋଗୁଁ ଏଠାରେ ପୋଲିସ ବିଟ ହାଉସଟି ଖୋଲା ଯାଇଥିଲା।ତେଣୁ ଗଡ଼ମାଣତୀର ଠାରେ ଭଡାରେ ଚାଲୁଥିବା ବିଟ ହାଉସଟି ମା ରାମଚଣ୍ଡୀଙ୍କ ପୀଠକୁ ସ୍ଥାନାନ୍ତର କରାଗଲେ ସମ୍ପୃକ୍ତ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ହେବା ସହ ବାହାରୁ ଆସୁଥିବା ଲୋକମାନେ ନିଜକୁ ସୁରକ୍ଷିତ ରଖି ପାରନ୍ତେ। ତେଣୁ ଏହି ପୋଲିସ ବିଟ ହାଉସକୁ ଫାଣ୍ଡିରେ ପରିଣତ କରାଯାଇ ରାମଚଣ୍ଡୀଙ୍କ ପୀଠରେ ଖୋଲାଯିବା ପାଇଁ କଂଗ୍ରେସ ନେତା ଗୋପବନ୍ଧୁ ରଣସିଂହଙ୍କ ସହିତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Comments are closed.