‘ସମାଜ’ ପ୍ରଭାବ, ରାସ୍ତା ମଝିରୁ ଉଠିଲା ବିଦ୍ୟୁତ ଖୁଣ୍ଟ

ବେଗୁନିଆ: ଖୋର୍ଦ୍ଧା-ବ୍ରହ୍ମପୁର ୧୬ନଂ ଜାତୀୟ ରାଜପଥରୁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଗୋଡା-ପରିଚ୍ଛଳ ରାସ୍ତାର ଗୋଡା ଗ୍ରାମରେ ଥିବା ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିର ନିକଟ ଦେଇ ଯାଇଥିବା ରାସ୍ତା ମଝିରେ ୮/୧୦ଟି ବିଦ୍ୟୁତ ଖୁଣ୍ଟ ରହିଥିବାର ଦେଖିବାକୁ ମିଳିଥିଲା। ପୂର୍ତ୍ତ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କର ଖାମ ଖିଆଲି ମନୋଭାବ ଯୋଗୁଁ ସମ୍ପୃକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଏବଂ ଯାନବାହାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରଭୁ ଲୋକନାଥ ଦେବଙ୍କ ଯୋଗୁଁ ଏହି ରାସ୍ତାରେ ସବୁବେଳେ ଜନଗହଳି ଲାଗି ରହିଥିବା ବେଳେ ରାସ୍ତାଟି ଖୋର୍ଦ୍ଧା-ବଲାଙ୍ଗୀର୫୭ ନଂ ଜାତୀୟ ରାଜପଥକୁ ମଧ୍ୟ ସଂଯୋଗ କରୁଛି। ଖୋର୍ଦ୍ଧା ଦେଇ ବୁଲି ଆସିବା ଅପେକ୍ଷା ୫୭ ନଂ ଜାତୀୟ ରାଜପଥକୁ ସମ୍ପୃକ୍ତ ରାସ୍ତାରେ ଦୂରତା କମ ରହୁଛି। କିନ୍ତୁ ଉକ୍ତ ରାସ୍ତା କାର୍ଯ୍ୟ ଏବେ କରାଯାଇଥିବା ବେଳେ ଠାକୁରଙ୍କ ମନ୍ଦିର ନିକଟରେ ଥିବା ରାସ୍ତା ମଝିରେ ୮/୧୦ ଟି ବିଦ୍ୟୁତ ଖୁଣ୍ଟ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରୁ ଅପସାରଣ କରା ନଯାଇ ରାସ୍ତା କାମ କିପରି କରାଗଲା ବୋଲି ଜନସାଧାରଣ ପ୍ରଶ୍ନ କରିଥିଲେ।

ଏହି ରାସ୍ତାରେ ଗାଡ଼ି ମଟର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ଚଳିତ ମାସ୧୬ ତାରିଖ ଦିନ ଏ ସଂକ୍ରାନ୍ତରେ ‘ସମାଜ’ରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ଯାତାୟାତରେ ଅସୁବିଧା ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ରାସ୍ତା ମଝିରେ ଥିବା ଖୁଣ୍ଟଗୁଡିକ ଅପସାରଣ କରି ରାସ୍ତା କଡକୁ ନେଇଯାଇଛି। ସେଥିପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିବାବେଳେ ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ୟ ସମାଜ ଯୋଗୁଁ ହୋଇଥିବାରୁ ସମାଜ ପ୍ରତି କୃତଜ୍ଞତା ଜଣାଇଛନ୍ତି।

Comments are closed.