ଏମ୍‌ସରେ ଶଯ୍ୟା ସଙ୍କଟ, ବାରଣ୍ଡା ଦରାଣ୍ଡୁଛନ୍ତି ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରେ ଶଯ୍ୟା ଖାଲି ନଥିବାରୁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରାତି ଅଧରେ ଗୁରୁତର ଅବସ୍ଥାରେ ରୋଗୀମାନେ ଘରୋଇ ହସ୍ପିଟାଲ ଯାଉଛନ୍ତି। ଫଳରେ ଗରିବ ଲୋକ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ରୋଗୀ ଅନୁପାତରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ବାରମ୍ବାର ଦାବି ହୋଇ ଆସୁଛି। ଏ ସମ୍ବନ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଗୁରୁତ୍ବ ଦେଉନାହାନ୍ତି। ହୃଦ୍‌ରୋଗ ସହ ଅନ୍ୟାନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡୁଆ ଗାଁର କରୁଣାକର ବାରିକ ଚିକିତ୍ସା ନିମନ୍ତେ ଚଳିତମାସ ୪ ତାରିଖ ମଧ୍ୟାହ୍ନ ୧୨ରୁ ୧ଟା ମଧ୍ୟରେ ଏମ୍‌ସ ଆପାତକାଳୀନ ୱାର୍ଡରେ ପହଞ୍ଚିଥିଲେ। ସେଠାରେ ଡାକ୍ତର କିଛି ପରୀକ୍ଷା କରି ଶଯ୍ୟା ଅଭାବ ଯୋଗୁଁ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇ ଦେଇଥିଲେ। ରୋଗୀକୁ ଆପାତକାଳୀନ କକ୍ଷରୁ ବାହାରକୁ ଅଣାଯାଇଥିଲା। କିନ୍ତୁ ରୋଗୀର ଆର୍ଥିକ ଅବସ୍ଥା ସୁଦୃଢ଼ ନଥିବାରୁ ସମ୍ପର୍କୀୟ ଏମ୍‌ସରେ ଆଡ଼ମିସନ କରି ଚିକିତ୍ସା ଆଶାରେ ରାତି ଯାକ ରୋଗୀକୁ କାକରରେ ରଖିଥିଲେ। ୫ ତାରିଖରେ କାଉଣ୍ଟରରେ ଟିକଟ କାଟି ଭେଷଜ ବିଭାଗ ଓପିଡିରେ ଡାକ୍ତର ପରାମର୍ଶ କରିଥିଲେ। ରୋଗୀ ଗୁରୁତର ଥିବାରୁ ଆଡ଼ମିସନ କରିବାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ହେଲେ ଏମ୍‌ସରେ ଶଯ୍ୟା ଖାଲି ନଥିବାରୁ ଆଡ଼ମିସନ କରାଯାଇ ପାରି ନଥିଲା। ଫଳରେ ରୋଗୀ ଦିନତମାମ ଭେଷଜ ବିଭାଗ ଓପିଡି ବାରଣ୍ଡାରେ ପଡ଼ିରହିଥିଲେ। ରୋଗୀ ଗୁରୁତର ଥିବାରୁ ଭେଷଜ ବିଭାଗ ଡାକ୍ତରଙ୍କ ପରାମର୍ଶ ଅନୁସାରେ କଟକ ବଡ଼ ମେଡିକାଲ ନେଇ ଆଡ଼ମିସନ କରିବାକୁ ପରାମର୍ଶ ଦେଇଥିଲେ। ପରେ ସମ୍ପର୍କୀୟ ରାତି ୭ଟାରୁ ୮ଟା ମଧ୍ୟରେ ଏମ୍‌ସ ଛାଡ଼ି କଟକ ବଡ଼ ମେଡିକାଲରେ ଆଡ଼ମିସନ ହୋଇଥିଲେ।

ଏହା ପୂର୍ବରୁ ବାଳକାଟିର ଜଣେ ରୋଗୀ ରାତି ୧୨ଟାରେ ଗୁରୁତର ଅବସ୍ଥାରେ ଏମ୍‌ସ ହସ୍ପିଟାଲ ଆସିଥିଲେ। ଆଇସିୟୁରେ ତୁରନ୍ତ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଏମ୍‌ସ ଆଇସିୟୁରେ ଶଯ୍ୟା ଖାଲି ନଥିବାରୁ ଅନ୍ୟ ହସ୍ପିଟାଲରେ ଆଡ଼ମିସନ କରିବାକୁ କୁହାଯାଇଥିଲା। ରୋଗୀର ଆର୍ଥିକ ଅବସ୍ଥା ନଥିଲେ ମଧ୍ୟ ସମ୍ପର୍କୀୟ ବାଧ୍ୟ ହୋଇ ରାତି ଗୋଟାଏରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ନେଇ ଆଡ଼ମିସନ କରିଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ, ଶଯ୍ୟା ଅଭାବ ଯୋଗୁଁ ଏମ୍‌ସରେ ପ୍ରତିଦିନ ଏମିତି ଏକାଧିକ ଘଟଣା ଘଟୁଛି। ଦିଲ୍ଲୀ ପରେ ଭୁବନେଶ୍ୱର ଏମ୍‌ସ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରି ଆସୁଛି। ଭୁବନେଶ୍ୱର ଏମ୍‌ସକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଏବଂ ଓଡ଼ିଶାର କୋଣ ଅନୁକୋଣରୁ ରୋଗୀ ଆସୁଛନ୍ତି। ଦୂର ଦୂରନ୍ତରୁ ଆସୁଥିବା ଗୁରୁତର ରୋଗୀ ଶଯ୍ୟା ପାଇଁ ହସ୍ପିଟାଲ ବାହାରେ ଖରା କାକରରେ ରାତି ଯାପନ କରି ଅପେକ୍ଷା କରୁଛନ୍ତି।

ଦୁଇ ସପ୍ତାହ ହେଲା ଏଠାରେ ଗୋଟିଏ ହେଲେ ବିଭାଗରେ ଶଯ୍ୟା ଖାଲି ନାହିଁ। ଯେତେ ଗୁରୁତର ରୋଗୀ ଆସୁଛନ୍ତି ସେମାନଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଡାକ୍ତରଖାନା ରେଫର କରି ଦେଉଛନ୍ତି। ୯୯୬ ଶଯ୍ୟା ପାଇଁ ଏମ୍‌ସର ଭିତ୍ତିଭୂମି ସଜଡ଼ା ଯାଇଛି। ୨୦୧୨ରୁ ଏମ୍‌ସ କାର୍ୟ୍ୟକ୍ଷମ ହୋଇ ଆସୁଥିଲେ ମଧ୍ୟ ଆବଶ୍ୟକ ଶଯ୍ୟା ସୁବିଧା ହୋଇପାରିନାହିଁ। ଏବେ ୯୧୫ ଶଯ୍ୟା କାର୍ୟ୍ୟକ୍ଷମ ହେଉଛି। ଏମ୍‌ସରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଚିକିତ୍ସା ଓ ଜଟିଳ ଅସ୍ତ୍ରୋପଚାର ପାଇଁ ରୋଗୀ ଆଡ଼ମିସନ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏମ୍‌ସରେ ବିଭିନ୍ନ ଜନକଲ୍ୟାଣକର ସ୍ୱାସ୍ଥ୍ୟ ଯୋଜନା ଏବଂ ଉନ୍ନତ ଚିକିତ୍ସା ପାଇଁ ଏମ୍‌ସରେ ସର୍ବଦା ରୋଗୀଙ୍କ ଭିଡ଼ ରହୁଛି। ହେଲେ ଶଯ୍ୟା ଅଭାବରୁ ଅନେକ ଗରିବ ଶ୍ରେଣୀର ରୋଗୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଏମ୍‌ସ ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଏଠାରେ ୯୯୬ ଶଯ୍ୟା ପାଇଁ ଭିତ୍ତିଭୂମି ତିଆରି ହୋଇଛି। ୯୧୫ ଶଯ୍ୟା କାର୍ୟ୍ୟକ୍ଷମ ହୋଇଛି। କୋଭିଡ ପାଇଁ ଅବଶିଷ୍ଟ ଶଯ୍ୟା କାର୍ୟ୍ୟକ୍ଷମ ହୋଇପାରିନି। ଗୋଟିଏ ବ୍ଲକକୁ କୋଭିଡ ହସ୍ପିଟାଲ କରାଯାଇଛି। ୯୯୬ ବାଦ୍‌ ଶଯ୍ୟା ବୃଦ୍ଧି କରିବା କର୍ତ୍ତୃପକ୍ଷଙ୍କ ହାତରେ ନାହିଁ। ସରକାର ଚାହିଁଲେ ଭିତ୍ତିଭୂମି ତିଆରି କରି ଶଯ୍ୟା ବୃଦ୍ଧି କରିପାରିବେ।

Comments are closed.