ଗଛରେ ଚଢିଛି ଭାଲୁ, ଗ୍ରାମବାସୀ ଭୟଭୀତ

ନବରଙ୍ଗପୁର : ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମରେ ଶାଳ ଗଛରେ ଭାଲୁ ଚଢି ଯାଇଛି । ଗଛ ବହୁତ ଉଚ୍ଚ ଥିବାରୁ ତଳକୁ ଆସୁନାହିଁ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ରାତିରେ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ଆଡ଼କୁ ଆସିଥିଲା। ସକାଳ ହୋଇଯିବାରୁ ଲୋକମାନେ ମହୁଲ ସଂଗ୍ରହ କରିବାକୁ ବାହାରିବାରୁ ଲୋକଙ୍କୁ ଦେଖି ଭୟରେ ଗଛ ଉପରକୁ ଚଢି ଯାଇଛି। ଉମରକୋଟ ବନ ବିଭାଗକୁ ଗ୍ରାମବାସୀ ଖବର ଦେବା ପରେ ବନ ବିଭାଗ ତତ୍ପରତା ଦେଖାଇ  ଉମରକୋଟ ରେଞ୍ଜରଙ୍କ ନେତୃତ୍ୱରେ ୱାଲଡ ଲାଇଫ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ  ପହଞ୍ଚିଛନ୍ତି। ଭାଲୁ ଭୟଭୀତ ଥିବା ଯୋଗୁଁ ଭିଡ଼ ହଟେଇଛନ୍ତି ଓ ଅପେକ୍ଷା କରିଛନ୍ତି ପରିବେଶ ଶାନ୍ତ ହେଲେ ହୁଏତ ଭାଲୁ ତଳକୁ ଆସିପାରେ। ଆଜି ରାତି ଅପେକ୍ଷା କରିବା ପରେ ଯଦି ଭାଲୁ ତଳକୁ ଆସିବ ନାହିଁ ଆସନ୍ତା କାଲି ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଭାଲୁ ଗଛ ଉପରେ ଚଢିଯିବା ଚଳିତ ବର୍ଷ ଏହି ଅଂଚଳରେ ଦ୍ୱିତୀୟ ଘଟଣା। ଗତ ଜାନୁୟାରୀରେ ସୁନାବେଢ଼ା ଗ୍ରାମରେ ଭାଲୁ ଏମିତି ଗଛରେ ଚଢି ଯାଇଥିଲା ଯାହାକୁ ଟ୍ରାଙ୍କୁଲାଇଜର ଦେଇ ଅଚେତ କରି ବନ ବିଭାଗ ଉଦ୍ଧାର କରିଥିଲା ।
ଏହି ଅଞ୍ଚଳରେ ଭାଲୁ ନିୟମିତ ଦେଖା ଯାଉଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Comments are closed.