ଘରୋଇ ପ୍ରଶଂସକଙ୍କ ରୋଷ ପାଇଁ ପ୍ରସ୍ତୁତ ରୁହ – ସର୍ଫରାଜ

ମାଞ୍ଚେଷ୍ଟର: ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ଦଳକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ପାକିସ୍ତାନ କ୍ରିକେଟର୍‌ମାନେ ଯଦି ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ନିଜ ପ୍ରଦର୍ଶନରେ ଉନ୍ନତି ନ ଆଣନ୍ତି ତେବେ ସ୍ୱଦେଶ ଫେରିବା ପରେ ଘରୋଇ ପ୍ରଶଂସକଙ୍କ ରୋଷର ଶିକାର ହେବାକୁ ପ୍ରସ୍ତୁତ ହୋଇ ରହିବାକୁ ସାଥୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି ଏହି ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଦଳ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ ଖେଳି ମାତ୍ର ୩ ପଏଣ୍ଟ ହାସଲ କରିଛି। ଏପରି ପରିସ୍ଥିତିରେ ଦଳ ସେମିଫାଇନାଲରେ ପ୍ରବେଶ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ପରବର୍ତ୍ତୀ ୪ଟି ମ୍ୟାଚ୍‌ରେ ପାକିସ୍ତାନ କ୍ରିକେଟର୍‌ ଭଲ ପ୍ରଦର୍ଶନ କରିବା ନିହାତି ଆବଶ୍ୟକ ବୋଲି ସର୍ଫରାଜ କହିଛନ୍ତି। ଯଦି ପାକିସ୍ତାନ କ୍ରିକେଟର୍‌ମାନେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ଘରୋଇ ପ୍ରଶଂସକଙ୍କ ରୋଷର ଶିକାର ହେବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଏପରି ପରିସ୍ଥିତିରେ ପାକିସ୍ତାନ ଦଳର ଅନେକ କ୍ରିକେଟର୍‌ ସ୍ୱଦେଶ ଫେରିବାକୁ ନିଶ୍ଚିତ ଭାବେ ଭୟଭୀତ ଥିବେ ବୋଲି ସେ ମତ ଦେଇଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ର ବିଫଳତାକୁ ଭୁଲି ପରବର୍ତ୍ତୀ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ସାଥୀ କ୍ରିକେଟର୍‌ଙ୍କୁ ଆହ୍ୱାନ ଦେଇଛନ୍ତି ସର୍ଫରାଜ।

ଭାରତଠାରୁ ପରାସ୍ତ ହେବା ପରେ ଖେଳାଳିମାନଙ୍କ ମନୋବଳ ନିଶ୍ଚିତ ଭାବେ ନିମ୍ନଗାମୀ ହୋଇଥିବ ଏଥିରେ ସନ୍ଦେହ ନାହିଁ। ତେବେ ଖେଳାଳିମାନେ ମନୋବଳ ଦୃଢ଼ ରଖିବା ନିହାତି ଆବଶ୍ୟକ। ଦଳ ବର୍ତ୍ତମାନ ସୁଦ୍ଧା ବିଶ୍ବକପ୍ ସେମିଫାଇନାଲରୁ ବାଦ୍ ପଡ଼ିନାହିଁ। ବାକିଥିବା ୪ଟି ଯାକ ମ୍ୟାଚ୍‌ରେ ବିଜୟୀ ହେବା ସହ ଦଳ ଭଲ ନେଟ୍ ରନ୍‌ରେଟ୍‌ ବଜାୟ ରଖିପାରିଲେ ସେମିଫାଇନାଲରେ ପ୍ରବେଶ କରିବା ଆଶା ରହିଛି। ସୂଚନାଥାଉକି ପାକିସ୍ତାନ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳିବ। ଏ ସଂପର୍କରେ ମତ ଦେଇ ସର୍ଫରାଜ କହିଥିଲେ ପାକିସ୍ତାନକୁ ବାକି ଥିବା ସମସ୍ତ ମ୍ୟାଚ୍‌ରେ ବିଜୟୀ ହେବାକୁ ପଡ଼ିବ। ଏହା କଷ୍ଟକର ହୋଇଥିଲେ ମଧ୍ୟ ଅସମ୍ଭବ ନୁହେଁ। ଖେଳାଳିମାନେ ଯଦି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ତେବେ ୪ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ ବୋଲି ସର୍ଫରାଜ ଆଶାବ୍ୟକ୍ତ କରିଛନ୍ତି।

Comments are closed.