ମହାଲିଙ୍ଗ ସନସାଇନ୍ ସ୍କୁଲରେ ବିଡିଓ ଓ ତହସିଲଦାରଙ୍କ ଯାଞ୍ଚ

ଭବାନୀପାଟଣା/ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲରେ କାଗଜପତ୍ର ଯାଞ୍ଚ ପାଇଁ ଗୋଲାମୁଣ୍ଡା ବିଡିଓ ତହସିଲଦାର ପହଞ୍ଚିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ସନସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପରେ ସ୍କୁଲର ବିଭିନ୍ନ କାଗଜପତ୍ରକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ୱର ଜାଲ ସ୍କୁଲରେ ପହଞ୍ଚିଛନ୍ତି । ସ୍କୁଲର ଅନୁମୋଦନ, ଅଧିସ୍ବୀକୃତି ଓ ଆୟବ୍ୟୟ ତଥା ଅନ୍ୟ ଜରୁରୀ କାଗଜପତ୍ର ଯାଞ୍ଚ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀର ପୋଲିସ କେ ଗାଁ ଥାନା ସହାୟତାରେ ମହାଲିଙ୍ଗ କଲେଜର କାଗଜପତ୍ର ଛାନଭିନ ପାଇଁ କଲେଜରେ ପହଞ୍ଚିଛି । କଲେଜର ତାଲା ଭାଙ୍ଗି କାଗଜପତ୍ର ଗୁଡିକର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି । ମାଲିକ ଗୋବିନ୍ଦ ସାହୁ କଲେଜର ବହୁ କେଳେଙ୍କାରୀରେ ସାମିଲ ଥିବା ବେଳେ ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରି ପର୍ଦ୍ଦାଫାସ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସେହିଭଳି ମହାଲିଙ୍ଗ ଯୁକ୍ତଦୁଇ ଓ ଯୁକ୍ତତିନି ବିଜ୍ଞାନ ମହାବିଦ୍ୟାଳୟରେ ମାଳ ମାଳ ସରକାରୀ ଯୋଜନା ରାଜନେତାମାନେ ଅଜାଡି ଦେଇଛନ୍ତି। ଏହାର ସରଜମିନ ତଦନ୍ତ କରାଗଲେ ବହୁ ଘଟଣାର ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.