ନଈ ଏପାରିରେ ଗାଁ; ଆରପାରିରେ ତହସିଲ, ବ୍ଲକ କାର୍ଯ୍ୟାଳୟ

ପୁରୁଷ ପୁରୁଷ ଧରି ଜୁଆରିଆ ଭରାନଈ ପାରି ହୋଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଛନ୍ତି ଲୋକେ। ନଈରେ ପୋଲଟିଏ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ଅନୁଧ୍ୟାନ ଓ କାଗଜ କଲମରେ ଅଟକି ଯାଇଛି କାର୍ଯ୍ୟ। ଫଳରେ ସ୍ଥାନୀୟ ୨୪ଟି ଗାଁ ଲୋକଙ୍କ ସହ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି ପୀଠକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଜୀବନକୁ ବାଜି ଲଗାଇ ପ୍ରତିଦିନ ଜୁଆରିଆ ନଈରେ ପାରି ହେଉଛନ୍ତି। ବିଶେଷକରି ବ୍ଲକ କିମ୍ବା ତହସିଲକୁ ଯାଉଥିବା ଲୋକ ସକାଳେ ଗଲେ ସଞ୍ଜକୁ ଫେରନ୍ତି। ଏପରିସ୍ଥଳେ ବୈତରଣୀ ଓ ସାଳନ୍ଦୀ ନଦୀ ଦ୍ୱୟର ତିନିତର ଘାଟରେ ପୋଲ ନହେବା ବିଡ଼ମ୍ବନାର ବିଷୟ।

ଆରଡି(ବାବାଜି ଶଙ୍କର ପାଢୀ): ଭଦ୍ରକ ଜିଲାର ତଳିଆ ଅଞ୍ଚଳଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ସୁନ୍ଦରପୁର ୪ଟି ପଞ୍ଚାୟତ ୨୪ଟି ଗାଁର ଲୋକ ବ୍ଲକ ଓ ତହସିଲକୁ ବିଭିନ୍ନ କାର୍ଯ୍ୟ ପାଇଁ ପୁରୁଷ ପୁରୁଷ ଧରି ବୈତରଣୀ ଓ ସାଳନ୍ଦୀ ଜୁଆରିଆ ଭରାନଈରେ ପାରି ହୋଇଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲଟିଏ ନିର୍ମାଣ ହୋଇପାରି ନାହିଁ। ଏହି ନଈର ତିନିତର ଘାଟ ଦେଇ ବାହାର ଜିଲାର ପର୍ଯ୍ୟଟକ ପ୍ରତିଦିନ ମଟରଚାଳିତ ବୋଟରେ ପାରି ହୋଇ ଆଖଣ୍ଡଳମଣିଙ୍କ ପୀଠକୁ ଆସିଥାନ୍ତି। ତା’ସହ ବନ୍ଦରନଗରୀ ଚାନ୍ଦବାଲି, ମା’ଧାମରାଈ ପୀଠ ସହ ବିଶ୍ୱପ୍ରସିଦ୍ଧ ଭିତର କନିକାକୁ ପର୍ଯ୍ୟଟନ ଋତୁରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିପଜ୍ଜନକ ଭାବେ ଭରାନଈରେ ଜଳଯାତ୍ରା କରିଥାନ୍ତି। ଏହି ବ୍ଲକ ପୁରାତନ ବନ୍ଦର ନଗରୀ ହୋଇଥିବାରୁ ଭଦ୍ରକ ଜିଲାକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଉକ୍ତ ନଦୀଘାଟଗୁଡ଼ିକରେ ପକ୍କା ପୋଲନିର୍ମାଣ ପାଇଁ ୨୧ ବର୍ଷ ଧରି ବ୍ୟୟ ଅଟକଳ କରାଯିବା ସହ ଟେଣ୍ଡର ପ୍ରକ୍ରିୟାରେ ସୀମିତ ରହିଯାଇଛି। ୫ବର୍ଷ ତଳେ ପକ୍କା ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କଦ୍ୱାରା ଦୁଇ ଦୁଇ ଥର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ତାହା କେବଳ ଫଳକରେ ସୀମିତ ହୋଇ ରହିଯାଇଛି। ଏହି ବିଛିନ୍ନାଞ୍ଚଳର ଲୋକମାନେ ବାପଗୋସାପ ଅମଳରୁ ହୁଲିଡଙ୍ଗା ଓ ମଟରଚାଳିତ ଡଙ୍ଗାଦ୍ୱାରା ଦୈନଦିନ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଥିଲେ ମଧ୍ୟ କାହାରି ନଜର ପଡ଼ି ନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ବିଶେଷକରି ଗୋଟିଏ ମଟରଚାଳିତ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଲୋକଙ୍କ ସମେତ ମଟରଗାଡି ପାରି କରାଯିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଲାଇଫ ଜ୍ୟାକେଟ ନଥିବା ଯାତ୍ରୀ ପ୍ରକାଶ କରିଛନ୍ତି। ଚାନ୍ଦବାଲି ବ୍ଲକ ଓ ତହସିଲର ୪ଟି ପଞ୍ଚାୟତର ୨୪ଟି ଗାଁ ନଈ ଏପାରିରେ ଥିବାରୁ ଆରପାରିକୁ କୌଣସି କାମ ପାଇଁ ଯିବାକୁ ହେଲେ ସକାଳେ ଗଲେ ସଞ୍ଜକୁ ଫେରନ୍ତି ଲୋକେ। ଯଦି କାର୍ଯ୍ୟାଳୟରେ ଅଧିକାରୀ ନଥା’ନ୍ତି ଲୋକେ ନିରାଶ ହୋଇ ଫେରିଥାନ୍ତି। ବଡକଥା ହେଲା ଏହି ଜୁଆରିଆ ନଈରେ ହିଂସ୍ର କୁମ୍ଭୀର ଥିବାରୁ ଅନେକ ସମୟରେ କୁମ୍ଭୀର ମୁହଁରେ ଯାଉଛି ଲୋକଙ୍କ ଜୀବନ।

ସୂଚନା ଅନୁଯାୟୀ, ୧୯୮୨ରେ ମୁଆଁ ଘାଟ ନିକଟସ୍ଥ ଲଞ୍ଚଘାଟର ଏକ ଲଞ୍ଚ ବୁଡ଼ିଯିବା ଫଳରେ ଲଞ୍ଚରେ ଥିବା ୧୭ଜଣ ପର୍ଯ୍ୟଟକ ନଦୀରେ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୬ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୮୬ରେ ମକରମେଳା ବୁଲିବା ପାଇଁ ଆରଡିପୀଠରୁ ଧାମରାର ମା’ଧାମାରାଈ ମନ୍ଦିରକୁ ଏକ ଦେଶୀ ଡଙ୍ଗାରେ ଯାଇଥିବା ୨୨ଜଣ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ମୁହାଣ ନିକଟରେ ଓଲଟି ପଡ଼ିଥିଲା। ଫଳରେ ଛୋଟ ପିଲାଙ୍କ ସହ ୧୯ଜଣ ଭାସିଯାଇଥିଲେ। ୨୦୧୬ ଶ୍ରାବଣ ମାସରେ ଆଖଣ୍ଡଳମଣିଙ୍କୁ ଜଳଲାଗି ପାଇଁ କେନ୍ଦ୍ରାପଡା ଜିଲାର ପ୍ରାୟ ୩୫ଜଣ ଏକ ମଟର ଡଙ୍ଗାରେ ମୁଆଁଘାଟ ପାରି ହେଉଥିବା ସମୟରେ ୨ଟି ଡଙ୍ଗା ମଧ୍ୟରେ ଧକ୍କା ହେବାରୁୁ ୨ଜଣ କାଉଡ଼ିଆ ଜୁଆରିଆ ନଈରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମକ୍ରମେ ଜଣେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ହୋଇଥିଲା। ୩୮ବର୍ଷ ମଧ୍ୟରେ ଲଞ୍ଚ ଓ ଡଙ୍ଗା ବୁଡି ଘଟଣାରେ ୩୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କୁମ୍ଭୀର ମୁହଁରେ ଅନେକ ଜୀବନ ଯାଇଛି। ହେଲେ ଏପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନର ଚେତା ପଶୁ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ପ୍ରଶାସନ ଯାତ୍ରୀଙ୍କ ପାଇଁ ନଦୀଘାଟରେ କୌଣସି ସୁରକ୍ଷା ବ୍ୟବସ୍ଥା ନକରି ବିଭିନ୍ନ ପର୍ବପର୍ବାଣିରେ ନଦୀଘାଟରେ ଯାତାୟାତ ବନ୍ଦ କରି ଚୁପ ବସି ରହୁଥିବା ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସହ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Comments
Loading...