ବିଡିଏର ବଡ଼ ନିଷ୍ପତ୍ତି, ମାଗଣାରେ ମିଳିବ ଘରକୁ ରାସ୍ତା

ଭୁବନେଶ୍ୱର: ଜମିଜମା ସଂକ୍ରାନ୍ତରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବିଡିଏ ଦ୍ବାରା ହୋଇଥିବା ନିୟମ ଅନୁସାରେ ବାହ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ କୋଠା ମାଲିକଙ୍କୁ ଆଗୁଆ ଅର୍ଥ ଦେବାକୁ ପଡ଼ୁଥିବା ବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏଣିକି ସରକାରୀ ପ୍ରକଳ୍ପରେ ନିର୍ମାଣ ହେଉଥିବା କୋଠାବାଡ଼ି କ୍ଷେତ୍ରରେ ଉକ୍ତ ଯୋଜନା ଅର୍ଥ ଦେବାକୁ ପଡ଼ିବ ନାହିଁ। ଶିଳ୍ପ ବିକାଶ ନିଗମ(ଇଡ୍‌କୋ) ଦ୍ବାରା ପ୍ରଦତ୍ତ ଜମି ଏବଂ ବିକଶିତ ଭିତ୍ତିଭୂମି ଅଞ୍ଚଳ ନିମନ୍ତେ ଏହି ଅର୍ଥ ଛାଡ଼ କରାଯିବ। ଅଟ୍ଟାଳିକା ନିକଟକୁ ଅଣଓସାରିଆ ରାସ୍ତା ଥିଲେ ନିୟମ ଅନୁଯାୟୀ ୬ ମିଟର ପ୍ରସ୍ଥ ରାସ୍ତା ନିମନ୍ତେ ବଳକା ଅଂଶ ବିଡିଏ/ବିଏମ୍‌ସି ପକ୍ଷରୁ ଯୋଗାଇ ଦିଆଯିବ।

ବିଏମ୍‌ସି/ବିଡିଏଠାରୁ କୋଠା ନିର୍ମାଣ ଅନୁମତି ସମୟରେ ବାହ୍ୟ ଭିତ୍ତିଭୂମି ବିକାଶ(ଏକ୍ସଟରନାଲ ଇନ୍‌ଫ୍ରାଷ୍ଟ୍ରକ୍ଟର ଡେଭଲମେଣ୍ଟ ପ୍ଲାନ୍‌) ନିମନ୍ତେ ଗୃହକର୍ତ୍ତାଙ୍କୁ ଯୋଜନା ଅଟକଳ ମୂଲ୍ୟର ୧ ପ୍ରତିଶତ ଦେବାକୁ ପଡ଼ୁଛି। ଏହି ନିୟମ ପିଛିଲା ଭାବେ ଅର୍ଥାତ୍‌ ୨୦୨୦, ଏପ୍ରିଲ୍‌ ୨୧ରୁ ଲାଗୁ କରାଯାଇଥିଲା। ନଚେତ୍‌ କୋଠା(ବିଲଡିଂ) ଅନୁମତି ମିଳୁ ନାହିଁ। ଗୃହକର୍ତ୍ତାଙ୍କୁ ବିଲ୍‌ଡିଂ ପ୍ଲାନ/ ଲେ’ ଆଉଟ୍‌ ନିମନ୍ତେ ଆବେଦନ ସମୟରେ ଇଆଇଡିପି ଅନୁମତି ନେବାକୁ ପଡ଼ୁଛି। ଏଥିପାଇଁ ଗୃହକର୍ତ୍ତା ଅତିରିକ୍ତ ଅର୍ଥ ଦେଉଛନ୍ତି। ଉକ୍ତ ବ୍ୟବସ୍ଥା ଓଡ଼ିଶା ଡେଭଲପମେଣ୍ଟ ଅଥରିଟି(ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ ୨୦୨୦ ଅନୁଯାୟୀ ଲାଗୁ ହୋଇଛି। ଏଥିପାଇଁ ବିଡିଏ ମାର୍ଗଦର୍ଶିକା ଜାରି କରିଛି। ୫ଶହ ବର୍ଗ ମିଟର ବା ଏହାଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ‌ହେବାକୁ ଥିବା ଅଟ୍ଟାଳିକା ପ୍ରକଳ୍ପ କ୍ଷେତ୍ରରେ ଇଆଇଡିପି ଅର୍ଥ ଦେବାକୁ ପଡ଼ୁଛି। ଏପରକି ଲୋ’ ରିସ୍କ ବିଲଡିଂ କ୍ଷେତ୍ରରେ ଉକ୍ତ ଅର୍ଥ ଲାଗୁ ହେଉଛି।

ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ ଏବଂ ଗରିବଙ୍କ ନିମନ୍ତେ ଗୃହ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ଏହି ଅର୍ଥ ଲାଗୁ ହେଉ ନ ଥିବାବେଳେ ଏଣିକି ସମସ୍ତ ସରକାରୀ ଏବଂ ଇଡ୍‌କୋ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କ୍ଷେତ୍ରରେ ଏହା ଛାଡ଼ କରାଯିବ। ଇଆଇଡିପି ଏନ୍‌ଓସି ପାଇଁ ଗୃହ ନିର୍ମାଣକାରୀ ସଂସ୍ଥା ସମ୍ପୃକ୍ତ ଅଞ୍ଚଳର ପ୍ରଶାସନ ନିକଟରେ ଆବେଦନ କରି ୭ଦିନ ଭିତରେ ଅନୁମତି ହାସଲ କରୁଛନ୍ତି। ଇଆଇଡିପି ଅର୍ଥ ଜମା ୬ମାସ ଭିତରେ ସ୍ଥାନୀୟ ପ୍ରଶାସନ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ କରିବାକୁ ନିୟମ ରହିଛି। ଇଆଇଡିପି ଅନୁମତି ନିମନ୍ତେ ବିଭିନ୍ନ ଅଞ୍ଚଳରେ କମିଟି ଗଠନ ହୋଇଛି। ଉକ୍ତ କମିଟି ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ ପରେ ପ୍ରକ୍ରିୟା ଆଗକୁ ବଢ଼ୁଛି।

ଏହି ନିୟମ ସମସ୍ତ ଘରୋଇ ଏବଂ ସରକାରୀ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ଲାଗୁ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ କରିଛି ବିଡିଏ। ସରକାରୀ ପ୍ରକଳ୍ପରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି। ପ୍ରକଳ୍ପ ଅଞ୍ଚଳରେ ରାସ୍ତା, ନାଳ, ଆଲୋକ, ସ୍ବେରେଜ୍‌, ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟକରଣ, ଆବର୍ଜନା ପରିଚାଳନା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଅଗ୍ରିମ ଅର୍ଥ ଆଉ ଆବଶ୍ୟକ ପଡ଼ିବ ନାହିଁ। ଏହାକୁ ଆଖି ଆଗରେ ରଖି ବିଡିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ହେଲେ ଘରୋଇ ପ୍ରକଳ୍ପ ଏବଂ ବ୍ୟକ୍ତିଗତ ମାଲିକାନାରେ ନିର୍ମାଣ ହେଉଥିବା ଅଟ୍ଟାଳିକା ଅଞ୍ଚଳରେ ୬ମିଟର ରାସ୍ତା, ଘରର ଆବର୍ଜନା ପାଣି, କଠିନ ଆବର୍ଜନା, ଆଲୋକ ବ୍ୟବସ୍ଥା ହେଉ ନାହିଁ। ଉପକଣ୍ଠ ଏବଂ ତଳିଆ ଅଞ୍ଚଳରେ ନିର୍ମାଣ ହେଉଥିବା ଅଟ୍ଟାଳିକାକୁ ଆବଶ୍ୟକ ରାସ୍ତା କି ପାନୀୟଜଳର ସୁବିଧା ରହୁନାହିଁ। ଠିକା ସଂସ୍ଥାଠାରୁ ଘର କିଣିଥିବା ଲୋକେ ମୌଳିକ ସୁବିଧା ମିଳୁ ନ ଥିବା ବିଡିଏ/ବିଏମ୍‌ସି ନିକଟରେ ଅଭିଯୋଗ କରୁଛନ୍ତି। ବାହ୍ୟ ଅଞ୍ଚଳ ବିକାଶ ହେଉ ନ ଥିବାରୁ ବର୍ଷା ସମୟରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଧନଜୀବନ କ୍ଷୟକ୍ଷତି ହେଉଛି। କିଛି ଲୋକ ଜଳାଶୟ ପୋତି ଘର କରୁଛନ୍ତି। ତେଣୁ ବର୍ଷାଜଳ ଏବଂ ଘରର ଆବର୍ଜନା ପାଣି ନିଷ୍କାସିତ ହୋଇପାରୁନାହିଁ। ରାସ୍ତାରେ ଆବର୍ଜନା ପାଣି ବର୍ଷସାରା ମାଡୁଛି। ପରବର୍ତ୍ତୀ ସମୟରେ ଗମନାଗମନ ଏବଂ ମଳ ପରିଚାଳନା କ୍ଷେତ୍ରରେ ଗୁରୁତର ସମସ୍ୟା ହେଉଛି।

ଅଟ୍ଟାଳିକା ପ୍ରକଳ୍ପ ଅଞ୍ଚଳରେ ସର୍ବସାଧାରଣ ରାସ୍ତା ନିମନ୍ତେ ଉପଯୁକ୍ତ ଓସାର ନ ଥିଲେ ବିଡିଏ ପକ୍ଷରୁ କିଛି ଅଂଶ ମାଗଣାରେ ଯୋଗାଇ ଦିଆଯିବ। ନିୟମ ଅନୁସାରେ ନିର୍ମାଣ ପ୍ରକଳ୍ପ ଅଞ୍ଚଳକୁ ୬ମିଟର ଓସାରିଆ ସର୍ବସାଧାରଣ ରାସ୍ତା ରହିବା ଦରକାର। ଯଦି ଗୃହକର୍ତ୍ତାଙ୍କ ଘରଡିହକୁ ଲାଗି ଅତିକମ୍‌ରେ ୪.୫ ମିଟର ପ୍ରସ୍ଥ ରାସ୍ତା ଥିବ ତେ‌ବେ ୬ ମିଟର ଓସାର ରାସ୍ତା ନିମନ୍ତେ ବାକି ଅଂଶ ପ୍ରଶାସନ ମାଗଣାରେ ଯୋଗାଇ ଦେବ। କୋଣ ଅଞ୍ଚଳରେ ଥିବା ଘରଡିହକୁ ଲାଗି ଯାଇଥିବା ରାସ୍ତା ଅଣଓସାର ଥିଲେ ପ୍ରଶସ୍ତ ରାସ୍ତା ନିମନ୍ତେ ବିଡିଏ ଜମି ବ୍ୟବସ୍ଥା କରିବ।

Comments are closed.