ବିସିସିଆଇର ସମ୍ପତ୍ତି ୧୪,୪୮୯ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ରୂପେ ପରିଗଣିତ ଭାରତୀୟ କ୍ରିକେଟ୍ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ୨୦୧୮-୧୯ ବର୍ଷ ସୁଦ୍ଧା ମୋଟ ସମ୍ପତ୍ତିର ପରିମାଣ ୧୪,୪୮୯ କୋଟି ଟଙ୍କା ବୋଲି ଜଣାପଡ଼ିଛି। ବିସିସିଆଇ ବାଲାନ୍‌ସ ସିଟ୍‌ରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ନିମନ୍ତେ ବିସିସିଆଇ ଆୟ ସଂପର୍କରେ ତାଲିକା ପ୍ରସ୍ତୁତ ହୋଇନାହିଁ। ୨୦୧୯-୨୦ରେ ବିସିସିଆଇ ପାଖାପାଖି ୨୩୯୭.୧୯ କୋଟି ଟଙ୍କା ରୋଜଗାର କରିଥିବା ଆଲୋଚନା ହେଉଛି। ୨୦୧୮ ଆଇପିଏଲ୍‌ରୁ ବିସିସିଆଇ ୨୪୦୭.୪୬ କୋଟି ଟଙ୍କା ଆୟ କରିଥିବା ଆକଳନ କରାଯାଇଛି। ସେହିପରି ଭାରତୀୟ କ୍ରିକେଟ୍‌ ଦଳର ମ୍ୟାଚ୍‌ ପ୍ରସାରଣ ଅଧିକାର ବାବଦକୁ ବିସିସିଆଇ ୮୨୮ କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ୍‌ ବ୍ୟୟର ପରିମାଣ ୧,୫୯୨.୧୨ କୋଟି ଟଙ୍କା ଦର୍ଶାଯାଇଛି।

ସୂଚନାଯୋଗ୍ୟ; ୨୦୧୪-୧୫ ବର୍ଷ ଶେଷ ସୁଦ୍ଧା ବିସିସିଆଇର ମୋଟ୍‌ ସମ୍ପତ୍ତି ପରିମାଣ ୫,୪୩୮.୬୧ କୋଟି ଟଙ୍କା ଥିଲା; ଯାହାକି ୨୦୧୫-୧୬ ବର୍ଷ ଶେଷ ବେଳକୁ ୭,୮୪୭.୦୭ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୬-୧୭ରେ ସମ୍ପତ୍ତି ପରିମାଣ ୮,୪୩୧.୮୬ କୋଟିରେ ପହଞ୍ଚିଥିବା ବେଳେ ୨୦୧୭-୧୮ରେ ଏହା ବଢ଼ି ୧୧,୮୮୯.୬୧ କୋଟି ଟଙ୍କା ଛୁଇଁଥିଲା। ବିସିସିଆଇ ସମ୍ପତ୍ତି ତାଲିକାରେ ସ୍ଥାବର ସମ୍ପତ୍ତି, ବ୍ୟାଙ୍କ ବାଲାନ୍‌ସ ଓ ଫିକ୍ସଡ ଡିପୋଜିଟ୍‌ ରହିଛି। ୨୦୧୮-୧୯ ବର୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଖେଳିଥିବା ମ୍ୟାଚ୍‌ରୁ ୪୪୬.୨୬ କୋଟି, ବ୍ୟାଙ୍କରୁ ସୁଧ ବାବଦରେ ୨୯୦.୭୩ କୋଟି ଓ ଆଇସିସି/ଏସିଆନ୍‌ କ୍ରିକେଟ୍‌ ପରିଷଦଠାରୁ ୨୫.୦୩ କୋଟି ଟଙ୍କା ବିସିସିଆଇ ପାଇଥିଲା। ଗତ କିଛିବର୍ଷ ହେବ ବିସିସିଆଇର ଆୟରେ ବ୍ୟାପକ ବୃଦ୍ଧି ଘଟିଛି। ଭାରତୀୟ ଦଳ ଖେଳୁଥିବା ମ୍ୟାଚ୍‌ର ପ୍ରସାରଣ ଅଧିକାର ବିକ୍ରି, ଜାତୀୟ ଦଳର ମୁଖ୍ୟ ପ୍ରାୟୋଜକଙ୍କ ସହ ଅନ୍ୟ ପ୍ରାୟୋଜକ, ପୋଷାକ ପ୍ରାୟୋଜକଙ୍କ ଠାରୁ ବିସିସିଆଇ ବେଶ୍‌ ଅର୍ଥ ରୋଜଗାର କରୁଛି। ଭାରତୀୟ କ୍ରିକେଟ୍‌ ଦଳ ଭାରତରେ ଖେଳୁଥିବା ପ୍ରତି ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ପ୍ରସାରଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆ ୪୩.୨୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଥାଏ। ଏହାବାଦ୍‌ ଷ୍ଟାର ଇଣ୍ଡିଆ ନିକଟରେ ଆଇପିଏଲ୍‌ର ପ୍ରସାରଣ ଅଧିକାର ରହିଛି। ଏଥିପାଇଁ ଷ୍ଟାର ଇଣ୍ଡିଆ ତରଫରୁ ୫ ବର୍ଷ ପାଇଁ ୧୬,୩୪୭.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବିସିସିଆଇର ଆୟକର ବିଭାଗ, ଆଇପିଏଲ୍‌ର ପୂର୍ବତନ ଦଳ କୋଚି, ଡେକାନ୍‌ ଚାର୍ଜର୍ସ, ସାହାରା, ନିଓ ସ୍ପୋର୍ଟସ୍‌, ୱାଲର୍ଡ ସ୍ପୋର୍ଟସ ଗ୍ରୁପ୍‌ ଆଦିଙ୍କ ସହ ବିଭିନ୍ନ ମାମଲାରେ ଆଇନଗତ ଲଢ଼େଇ ଜାରିରହିଛି। ଯଦି ବିସିସିଆଇ ସବୁ ମାମଲାରେ ପରାସ୍ତ ହୁଏ; ତେବେ ବିସିସିଆଇକୁ ଅନେକ ଅର୍ଥ ପ୍ରଦାନ କରିବାକୁ ପଡ଼ିବ।

Comments
Loading...