ସଠିକ୍‍ ସୁଚନା ଦୂର କରିବ ଗୁଣିଗାରେଡି ଓ କୁସଂସ୍କାର

ଭୁବନେଶ୍ୱର: ଗୁଣିଗାରେଡି ଓ ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକମାନଙ୍କୁ ଆଇନ୍‍ ପରିସରକୁ ଆଣିବା ପାଇଁ ତ୍ୱରିତ ପଦକ୍ଷେପର ଆବଶ୍ୟକତା ରହିଥିବା ରାଜ୍ୟ ସୁଚନା କମିଶନର୍‍ ଶଶିପ୍ରଭା ବିନ୍ଧାଣୀ କହିଛନ୍ତି। ସ୍ୱେଚ୍ଛାସେବୀ ସଙ୍ଗଠନ ‘ମମତା’ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶଶିପ୍ରଭା କହିଛନ୍ତି, ଲୋକମାନଙ୍କ ପାଖରେ ସଠିକ୍‍ ସୁଚନା ପହଞ୍ଚାଇ ସେମାନଙ୍କ ଭ୍ରାନ୍ତ ଧାରଣା ଦୂର କରାଯାଇ ଆଇନ୍‍ ଓ ପୀଡିତାଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ କରାଯାଇ ପାରିଲେ ଏହି ସମସ୍ୟା ଅନେକାଂଶରେ ଦୂର କରାଯାଇ ପାରିବ।

ଆମ ଦେଶରେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଡାହାଣୀ ଓ ଗୁଣିଆ ସମ୍ପର୍କିତ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ଏକ ପରିସଂଖ୍ୟାନ ଅନୁଯାୟୀ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣ ହତ୍ୟାର ଶିକାର ହେଉଥିବା ଵେଲେ ୨୦୧୦ରୁ ଏ ଯାଏଁ ୨୫୪ ଜଣ ପୁରୁଷ, ୧୯୫ ଜଣ ମହିଳା ଏବଂ ୮୪ ଜଣ ଶିଶୁ ଏହାର ଶିକାର ହୋଇଛନ୍ତି। ଗୁଣିଗାରେଡି ପ୍ରତିକାର ଆଇନ୍‍ ୨୦୧୩ରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷମାନଙ୍କୁ ମଧ୍ୟ ଅର୍ନ୍ତଭୁକ୍ତ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।

ଏହି କର୍ମଶାଳାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ କହିଛନ୍ତି ଯେ ଅନ୍ୟ କୌଣସି ବିଷୟ ଭଳି କୁସଂସ୍କାର ମଧ୍ୟ ଆମ ମନର ଏକ ବିଶ୍ୱାସ ବ୍ୟବସ୍ଥା। ଏହା କେବଳ ଓଡିଶା କି ଭାରତ ନୁହେଁ ଆଫ୍ରିକା ମହାଦେଶରେ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସୁଛି। ବିଶ୍ୱ ସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏହି ସମ୍ପର୍କରେ ଗବେଷଣା କରୁଛନ୍ତି; ତେବେ ଆମେ ଦେଶରେ ମଧ୍ୟ କୁସଂସ୍କାର, ଅନ୍ଧବିଶ୍ୱାସ, ଗୁଣିଗାରେଡି ଆଦି ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଗୁଡିକ ସବିଶେଷ ଗବେଷଣା କରିବା ଆବଶ୍ୟକ। ତୃଣମୂଳ ସ୍ତରର ଗୁଣିଗାରେଡି, ଗୁଣିଆ ଓ ଡାହାଣୀ ମାନଙ୍କ କାହାଣୀର ମୌଳିକ ଆଧାର ଓ କାରଣ ପାଇପାରିଲେ ଏହାର ପ୍ରତିକାର କରାଯାଇ ପାରିବ ବୋଲି ଡ. ପାଣ୍ଡେ ମତବ୍ୟକ୍ତ କରିଥିଲେ।

ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣାରେ ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ, ଗଞ୍ଜାମ ଓ ରାୟଗଡା ଜିଲା ଗୁଡିକ ଆଗରେ ଅଛନ୍ତି ବୋଲି ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୁତାର କହିବା ସହ ସେ ଏପରି କାହାଣୀର ଅନୁସନ୍ଧାନ କରିଛନ୍ତି ଏବଂ ଜମି ଓ ସମ୍ପତ୍ତି ହଡପ, ଯୌନ ଶୋଷଣ କରିବାରେ ବିଫଳତା, ଅସହିଷ୍ଣୁତା, ଅନ୍ଧବିଶ୍ୱାସ ଆଦି ମୂଳ କାରଣ। ସିୱାଇଏସ୍‍ଡିର ମାର୍ଗବର୍ଶକ ଜଗଦାନନ୍ଦ କହିଥିଲେ, ପ୍ରତିଟି ଘଟଣାର ମୌଳିକ ଆଧାରକୁ ଖୋଜି ବାହାର କରି ଲୋକ ଲୋଚନକୁ ଆଣି ପାରିଲେ ଏହା ବାସ୍ତବ ସମାଧାନ ହେବ। ଭାରତ ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ କୁସଂସ୍କାର, ଅନ୍ଧବିଶ୍ୱାସ ଓ ଗୁଣି ଗାରେଡି ପାଇଁ ସାମାଜିକ ଆନ୍ଦୋଳନରେ ସତ୍ୟତା ଅନୁସନ୍ଧାନ ଦଳର ପ୍ରମୁଖ ଭୁମିକା ରହିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି କର୍ମଶାଳାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ. ବିଜୟ ସାହୁ, ‘ମମତା’ର ଡ. ତରୁଲତା ଦ୍ୱିବେଦୀ ଓ ଡ. ଶ୍ରୀମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଡ. ଲୋନା ନାୟକ, ଏନ୍‍ସିଇଆର୍‍ଟିର ଡ. ଜୋସ୍ନା ମହାପାତ୍ର, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡା, ଆଇନାର ସମ୍ପାଦିକା ସ୍ନେହା ମିଶ୍ର, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.