ଟ୍ରାଫିକ୍‌ ଯନ୍ତ୍ରଣା : ମଲ୍‌ ଆଗରେ ମନଇଚ୍ଛା ପାର୍କିଂ, ରାମମନ୍ଦିରରୁ ବାଣୀବିହାର….

ଭୁବନେଶ୍ବର  : ରାଜଧାନୀରେ ଯାନବାହନ ସଂଖ୍ୟା ଯେତିକି ବୃଦ୍ଧି ପାଉଛି ପାର୍କିଂ ଓ ଟ୍ରାଫିକ୍‌ ସମସ୍ୟା ସେହି ପରିମାଣରେ ଦିନକୁ ଦିନ ବୃଦ୍ଧି ପାଉଛି। ରାମମନ୍ଦିରରୁ ବାଣୀବିହାର ଯାନବାହନ ଚଳାଚଳ ଯନ୍ତ୍ରଣାଦାୟକ ହେଉଛି। ରାସ୍ତାର ଉଭୟ ପାର୍ଶ୍ବରେ ଖୋଲିଛି ବଡ଼ ବଡ଼ ସପିଙ୍ଗ୍‌ ମଲ୍‌। ତା’ସହ ଅନେକ ଅଳଙ୍କାର ଦୋକାନ ଓ ଶିକ୍ଷାନୁଷ୍ଠାନ ରାସ୍ତା କଡ଼ରେ ରହିଛି। ହେଲେ ଉକ୍ତ ମଲ୍‌ କିମ୍ବା ଦୋକାନରେ ପର୍ଯ୍ୟାପ୍ତ ପରିମାଣରେ ପାର୍କିଂ ସ୍ଥାନ ନଥିବାରୁ ରାସ୍ତାରେ ଗାଡ଼ି ପାର୍କିଂ କରାଯାଉଛି। ୨କି.ମି ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗୁଛି। ସନ୍ଧ୍ୟା ହେଲେ ଉକ୍ତ ରାସ୍ତାରେ ଟ୍ରାଫିକ୍‌ ସ୍ଥିତି ଅଣାୟତ୍ତ ହୋଇଯାଉଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ବରେ ଓପିଟିସିଏଲ୍‌, ​ସ୍ବେରେଜ୍‌ କାମ ଯୋଗୁଁ ଖୋଳି ଦିଆଯାଇଛି। ହେଲେ ମନ୍ଥର ଗତିରେ କାମ ଚାଲିଥିବାରୁ ଟ୍ରାଫିକ୍‌ ସମସ୍ୟା ଦ୍ବିଗୁଣିତ ହେଉଛି। ରାସ୍ତା ଉପରେ ବାଲି, ଇଟା, ମେସିନ୍‌ ଓ ତାରକୁ ଗଦା କରିଦେଇଛନ୍ତି। ଆଉ ଏକ ଲେନ୍‌ରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଇଛି। ଏହାଦ୍ବାରା ଟ୍ରାଫିକ୍‌ ସମସ୍ୟା ଗୁରୁତର ହେଉଛି। ସେପଟେ ରାସ୍ତାରେ ମଧ୍ୟ ଗର୍ତ୍ତ ହୋଇଛି। ଅନେକ ଦିନ ହେବ ମରାମତି ହୋଇନଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବାଣୀବିହାରରୁ ରାମମନ୍ଦିର ରାସ୍ତାରେ ୩ଟି ଟ୍ରାଫିକ୍‌ ଓ ୬ରୁ ଊର୍ଦ୍ଧ୍ବ କଟ୍‌ ରହିଛି। ହେଲେ ଅନେକ ସମୟରେ ଟ୍ରାଫିକ୍‌ ପୋଷ୍ଟରେ ପୁଲିସ କର୍ମଚାରୀଙ୍କ ଦେଖାମିଳୁନି। ନିୟମ ଉଲ୍ଲଙ୍ଘନ କରି ଚାଳକ ଗାଡ଼ି ଚଳାଉଛନ୍ତି। ରାସ୍ତା ମଝିରେ କଟ୍‌ ଥିବାରୁ ଲୋକଙ୍କ ଗହଳି ଲାଗୁଛି। ଉକ୍ତ ରାସ୍ତାରେ ବେସରକାରୀ ହସ୍ପିଟାଲ ଓ ସପିଙ୍ଗ୍‌ ମଲ୍‌ ସଂଖ୍ୟା ମଧ୍ୟ ବଢ଼ୁଛି। ହେଲେ ଭିତ୍ତିଭୂମି ସାଙ୍ଗକୁ ପାର୍କିଂର ସୁବିଧା ନଥିବାରୁ ରାସ୍ତାରେ ଗାଡ଼ିଗୁଡ଼ିକ ଛିଡ଼ା ହେଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ଟ୍ରାଫିକ୍‌ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ କହିଛନ୍ତି, ମଲ୍‌ ଓ ସୁନା ଦୋକାନଗୁଡ଼ିକ ସାମ୍ନାରେ ବେଆଇନ ପାର୍କିଂ ହଟାଇବା ଲାଗି ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏସ୍‌ପିଓ ନିଯୁକ୍ତି କରାଯାଇଛି। ରାସ୍ତାକଡ଼ରେ ଗୋଟିଏ ଲେନ୍‌ରେ ଗାଡ଼ି ରଖିବାକୁ ଅନୁମତି ଦିଆଯାଇଥିବାବେଳେ ଧଳା ଗାର ଭିତରେ ଗାଡ଼ି ରଖିବାକୁ କୁହାଯାଇଛି। ସେହିପରି ଉକ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଯେଭଳି ନ ଉପୁଜିବ ସେଥିପ୍ରତି କମିସନରେଟ ପୁଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି।

ଠେଲାଗାଡ଼ିର ଲମ୍ବା ଲାଇନ୍‌: ବଡ଼ ବଡ଼ ସପିଙ୍ଗ୍‌ ମଲ୍‌ ଆଗରେ ଠେଲା ଗାଡ଼ିର ଲମ୍ବା ଲାଇନ୍‌ ଲାଗୁଛି। ଏହାସହ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସାମ୍ନାରେ ଦହିବରା, ଗୁପ୍‌ଚୁପ୍‌ ଦୋକାନୀ ପସରା ମେଲାଉଛନ୍ତି। ମଲ୍‌ ପକ୍ଷରୁ ନିର୍ମାଣ କରାଯାଇଥିବା ପାର୍କିଂ ସ୍ଥାନରେ ଉଠା ଦୋକାନୀ ବ୍ୟବସାୟ ଚଳାଉଛନ୍ତି। ଯାହାଫଳରେ ପାର୍କିଂ ଲାଗି ସ୍ଥାନ କମିଯିବାରୁ ରାସ୍ତାରେ ଦୁଇ ଓ ଚାରି ଚକଆ ଯାନ ପାର୍କିଂ କରାଯାଉଛି। ତା’ସହ ସପିଙ୍ଗ୍‌ ମଲ୍‌ ଆଗରେ ଯାତ୍ରୀଙ୍କୁ ନେବା ଲାଗି ଅଟୋ ଓ କାର୍‌ ଛିଡ଼ା ହେଉଥିବାରୁ ଯାତାୟାତ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ରାସ୍ତା ଉପରେ ସ୍ମାର୍ଟଭେଣ୍ଡିଂ: ରାସ୍ତା ପାର୍ଶ୍ବରେ ଖୋଲିବ ନୂଆ ସ୍ମାର୍ଟଭେଣ୍ଡିଂ। ଅନେକ ଦିନ ହେଲା ଏଭଳି ରାସ୍ତା କଡ଼ରେ ଥୁଆ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନାହିଁ। ଉକ୍ତ ଭେଣ୍ଡିଂଗୁଡ଼ିକ ରାସ୍ତା ଉପରେ ଥୁଆ ହୋଇରହିଛି। ଫଳରେ ଅଣଓସାରିଆ ରାସ୍ତାକୁ ସଙ୍କୁଚିତ କରୁଛି।

ବସ୍‌ଷ୍ଟପ୍‌ କରୁଛି ରାସ୍ତାଜାମ୍‌: ସହିଦନଗର ମେ‌େ‌ଟ୍ରା ହାଉସ୍‌ ସାମ୍ନାରେ ଥିବା ବସ୍‌ଷ୍ଟପ୍‌ରେ ସବୁବେଳେ ଭିଡ଼। ଯାହା ଟ୍ରାଫିକ୍‌ ସମସ୍ୟାର ମୁଖ୍ୟ କାରଣ। ରାସ୍ତା ଉପରେ ବସ୍‌ ରହିବା ସହ ଉକ୍ତ ସ୍ଥାନରେ ଅଟୋଷ୍ଟାଣ୍ଡ ରହିଛି। ଅଣଓସାରିଆ ରାସ୍ତା ସାଙ୍ଗକୁ ବସ୍‌, ଅଟୋରେ ଯାତ୍ରୀ ପରିବହନ ସମସ୍ୟାକୁ ବହୁଗୁଣିତ କରୁଛି। କମିସନରେଟ ପୁଲିିସ ପକ୍ଷରୁ ଅଟୋ ଚାଳକଙ୍କୁ ଶୃଙ୍ଖଳିତ କରିବା ପାଇଁ ଅଟୋ ବେ କରାଯାଇଥିଲେ ହେଁ ଏବେ ପ୍ରହସନ ପାଲଟିଛି।

ସଂପ୍ରସାରଣ କେବେ? : ବାଣୀବିହାର ଛକର ଗୁରୁତ୍ବ ଦିନକୁ ଦିନ ବଢୁଥିବାବେଳେ ଛକକୁ ସଂପ୍ରସାରଣ କରାଯାଉନି। ଦୁଇ ଲେନ୍‌ରେ ଗାଡ଼ି ଯିବା କଥା ‌ହେଲେ ଗୋଟିଏ ଲେନ୍‌ରେ ଗାଡ଼ି ପାର୍କିଂ କରାଯାଇଛି। ରାସ୍ତା ଅଧା ପର୍ଯ୍ୟନ୍ତ ଉଠା ଓ ଠେଲା ଦୋକାନୀଙ୍କ କବ୍‌ଜାରେ ରହିଛି। ଅନେକ ସମୟରେ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ଦୋକାନୀମାନେ ସଙ୍ଗେସଙ୍ଗେ ପୁଣି ନିଜର ପସରା ମେଲାଇ ଦେଉଛନ୍ତି।

 

Comments are closed.