କରୋନା ବଦଳାଇଲା ପେସା, ପରିବା ବିକିଲେ ବଲିଉଡ କଳାକାର

ଉତ୍ତରଭୁବନେଶ୍ବର/ଭୁବନେଶ୍ବର : କଥାରେ ଅଛି ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ’- ଏହି ଉକ୍ତିର ବାସ୍ତବତା ଜଣେ ବଲିଉଡ କଳାକାରଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’, ‘ପୃଥ୍ବୀରାଜ ଚୌହାନ’, ମେଗାଷ୍ଟାର ସଞ୍ଜୟ ଦତ୍ତଙ୍କ ସହ ‘ସମ୍‌ସେର’, ରଣବୀର ସିଂହଙ୍କ ସହ ‘ଜୋସ୍‌ଭାଇ କୋରଦାର’, ‘ବାହୁବଳୀ-୩’ ପ୍ରଭୃତି ଚିତ୍ରରେ ଅଭିନୟ କରିଥିବା ଏହି ବଲିଉଡ କଳାକାର ଜଣଙ୍କ ହେଲେ ଓଡ଼ିଆ ପୁଅ କାର୍ତ୍ତିକ ସାହୁ। ଖାଲି ହିନ୍ଦୀ ଚିତ୍ର କାହିଁକି ସେ ମଧ୍ୟ ମେଗା ଧାରାବାହିକ ‘ଶ୍ରୀଗଣେଶ’, ‘ହଷ୍ଟଷ୍ଟେଜ୍‌’, ‘‌‌ୱେବ୍‌ ସିରିଜ୍‌’ରେ ପ୍ରତିଭା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଏହି ଯୁବ ପ୍ରତିଭା ଜଣଙ୍କ ବଲିଉଡ​‌​‌ରେ କ୍ୟାରିୟର କରିବାର ସ୍ବପ୍ନ ଦେଖୁଥିବାବେଳେ କରୋନା ସାଜିଲା ବାଧକ। ଆଶା ରହିଗଲା ଆଶାରେ। ପରିସ୍ଥିତି ବଦଳାଇ ଦେଲା ପେସା। ଶେଷରେ ଜନ୍ମମାଟିକୁ ଫେରି କାର୍ତ୍ତିକ ଏବେ ରାଜଧାନୀରେ ପରିବା ବିକି ପରିବାର ଚଳାଇବାର ପ୍ରୟାସ କରୁଛନ୍ତି।

କେନ୍ଦ୍ରାପଡ଼ା ଜିଲା ଗରଦପୁରର ଏକ ଚାଷୀ ପରିବାରରେ କାର୍ତ୍ତିକଙ୍କ ଜନ୍ମ। ପିଲା ବେଳୁ ପୁଲିସ ଚାକିରି କରିବାର ଲକ୍ଷ୍ୟ ଥିଲା। ହେଲେ ଘରର ଅାର୍ଥିକ ସ୍ଥିତି ଭଲ ନଥିବାରୁ ମାୟାନଗରୀ ମୁମ୍ବଇ ଚାଲିଯାଇଥିଲେ। ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଜିମ୍‌ ଯାଇ ସୁନ୍ଦର ସ୍ବାସ୍ଥ୍ୟ ଗଠନ ପରେ ବାଉନ୍ସର ଭାବେ କାର୍ଯ୍ୟ ତୁଲାଉଥିଲେ। ପରେ ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ ଛୋଟମୋଟ ୱେବ୍‌ ସିରିଜ୍‌ ଏବଂ ସିରିଅାଲ୍‌ରେ ଅଭିନୟ କରିଥିଲେ। ହଠାତ ସେ ଷ୍ଟାର ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଥିଲେ। ପିଲାବେଳୁ ପୁଲିସ ହେବାର ସ୍ବପ୍ନ ଏହି ଚଳଚ୍ଚିତ୍ର ମାଧ୍ୟମରେ ପୂରଣ କରିଥିଲେ କାର୍ତ୍ତିକ। ଏହାପରେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଅକ୍ଷୟ କୁମାରଙ୍କ ଆଉ ଏକ ଚଳଚ୍ଚିତ୍ର ‘ପୃଥ୍ବୀରାଜ ଚୌହାନ’ର ଶେଷ ସୁଟିଂ ଲାଗି ଜୟପୁର ଯାଇଥିଲେ। ସେଠାରେ କରୋନା ପାଇଁ ସୁଟିଂ କିଛି ଦିନ ସ୍ଥଗିତ କରାଯିବାରୁ ସେ ଘରକୁ ଫେରିଥିଲେ। ଏହାପରେ ଲକ୍‌ଡାଉନ୍‌ ଯୋଗୁଁ ଘରେ ରହିଯାଇଥିଲେ। ଘରେ ରହିବା ପରେ ପରିବାରର ବୋଝ ଓ ନିଜର ଖର୍ଚ୍ଚ ବଢ଼ିଥିଲା। କେତେଦିନ ଏପରି ଲାଗି ରହିବ, ପରିବାର କିପରି ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ପଡ଼ିଥିଲେ। ଶେଷରେ ୨୦ଦିନ ହେବ ରୋଜଗାର ଆଶାରେ ଭୁବନେଶ୍ବର ପଳାଇ ଆସିଥିଲେ। ପଳାଶୁଣି ଅଞ୍ଚଳରେ ଭଡ଼ା ନେଇ ଏକ ଘରେ ରହିବା ସହ ପରିବା ବିକ୍ରି କରୁଛନ୍ତି। ୧୫ ଦିନ ହେବ ପାଖରେ ଥିବା ମାତ୍ର ୨ହଜାର ଟଙ୍କାରେ ପରିବା ଆଣି ରସୁଲଗଡ଼ ଫାଣ୍ଡି ନିକଟରେ ବିକ୍ରି କରି କେଉଁଦିନ ୫୦୦ ଟଙ୍କା ଲାଭ ହେଉଛି ତ ଆଉ କେଉଁଦିନ ବର୍ଷା ଲାଗି କ୍ଷତି ହେଉଛି। ତଥାପି ସଂଘର୍ଷ ଜାରି ରଖିଛନ୍ତି କାର୍ତ୍ତିକ। କଟକଣା ହଟିବା ପରେ ପୁଣି ମାୟାନଗରୀ ମୁମ୍ବଇ ଫେରିବେ ବୋଲି କାର୍ତ୍ତିକ କହିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ଚଲାପଥରେ ଯେମିତି କରୋନା କଣ୍ଟା ହୋଇଛି।

Comments are closed.