ଆଜି ଅସଲ ଛାଡ଼ଖାଇ

ଭୁବନେଶ୍ବର: ଏଥର ଛାଡ଼ଖାଇକୁ ଆମିଷ ବାର ପଡ଼ିଲାନି। ମଙ୍ଗଳବାର ଛାଡ଼ ପଡ଼ିଥିବାରୁ ଆମିଷ ବ୍ୟବସାୟୀ ଭାବିଥିଲେ ବେପାର କିଛିଟା ଜମିବ- ତାହା ମଧ୍ୟ ହେଲାନାହିଁ। ତେବେ ବୁଧବାର ଅସଲ ଛାଡ଼ଖାଇ ପାଳିବେ ସହର ବାସିନ୍ଦା। ମଙ୍ଗଳବାର ଯେଉଁମାନେ ଛାଡ଼ଖାଇ କରିନାହାନ୍ତି ସେମାନେ ବୁଧବାର ନିଶ୍ଚିତଭାବେ ହାଣ୍ଡି ଆଇଁଷ କରିବେ।

କାର୍ତ୍ତିକ ମାସ ସାରା ଆମିଷ ଘରେ ପଶିନଥିଲା। ବୁଧବାରକୁ ମାଛ ହେଉକି ମାଉଁସ ଘରକୁ ଆସିବ। ଏଥିପାଇଁ ବ୍ୟବସାୟୀ ପ୍ରସ୍ତୁତ ଅଛନ୍ତି ଛାଡ଼ଖାଇ ଦିନ ବେପାର ହେଲାନାହିଁ। ବୁଧବାର ଗ୍ରାହକ ଯିବେ କୁଆଡ଼େ, ସେହି ଖୁସିରେ ଅଛନ୍ତି ଆମିଷ ବ୍ୟବସାୟୀ। ସେଥିପାଇଁ ମଟନ ବ୍ୟବସାୟୀ ରଙ୍ଗଦିଆ ଖାସିଙ୍କୁ ସଜାଡ଼ି ରଖିଛନ୍ତି। କୁକୁଡ଼ା ବ୍ୟବସାୟୀ ବ୍ରୟଲର, ବନରାଜ ଏବଂ ଦେଶୀ କୁକୁଡ଼ାକୁ ବିଭିନ୍ନ ସ୍ଥାନରୁ ମଗାଇ ରଖିଛନ୍ତି। କୋଭିଡ ଯୋଗୁଁ ଏଥର ବାହାରୁ ଖାସି ବିଶେଷ ମଗାଇ ନାହାନ୍ତି ମାଂସ ବ୍ୟବସାୟୀ। ପାଖାପାଖି ନିଆଳି, ବାଳକାଟି, ଖୋର୍ଦ୍ଧା, ଆଠଗଡ଼, ନୟାଗଡ଼, ବେଗୁନିଆ, ରଣପୁର ପ୍ରଭୃତି ଅଞ୍ଚଳରୁ ସୋମବାର ଠାରୁ ଛେଳି, ମେଣ୍ଢା ଆଣି ସଜାଡ଼ି ରଖିଛନ୍ତି। ପୁଣି ମଙ୍ଗଳବାର ରାତିରେ ମାଛଗାଡ଼ି ଆସୁଛି। ୩୦ ଟନ୍‌ ମଧୁର ମାଛ ମଗାଇଛନ୍ତି ୪ ନମ୍ବର ମାଛ ବ୍ୟବସାୟୀ ସଂଘ। ଏହାବାଦ୍‌ ୫ ଟନ୍‌ ସମୁଦ୍ର ମାଛ ମଗାଯାଇଥିବା ବେଳେ ସ୍ଥାନୀୟ ଜିଅନ୍ତା ଦେଶୀମାଛ ୨ ଟନ୍‌ ପାଖାପାଖି ସହରକୁ ଆସିବ ବୋଲି କହିଛନ୍ତି ମାଛ ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ସୟଦ ସମସୁର ଅଲ୍ଲୀ।
ମଙ୍ଗଳବାର ଛାଡ଼ଖାଇରେ ମାଛ, ମାଂସ ଦର ପୂର୍ବପରି ରହିଥିଲା। ଆସନ୍ତାକାଲି ଟିକିଏ ଉଚ୍ଚା ହେବାର ସମ୍ଭାବନା ରହିଛି ା ତଥାପି ଆଜି ୧୦ ଟନ୍‌ ମାଛ ବିକ୍ରି ହୋଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଖାସିମାଂସ ସହରରେ ୭ ଟନ୍‌ ବିକ୍ରି ହୋଇଛି ା ଆସନ୍ତାକାଲି ୧୦୦୦ ଛେଳିକୁ ବଳି ଦିଆଯିବ ବୋଲି କହିଛନ୍ତି ମାଂସ ବ୍ୟବସାୟୀ କମଲ ଉଦ୍ଦିନ ଅହମ୍ମଦ। ତେବେ ମୂଲ୍ୟ ସେମିତି ବୃଦ୍ଧି ହେବନାହିଁ ା କିଲୋ ପ୍ରତି ୬୫୦ରୁ ୭୦୦ ଟଙ୍କା ରହିବ। ଦେଶୀ କୁକୁଡ଼ା ଗୋଟା କିଲୋ ୩୫୦ଟଙ୍କା ରହିବ। ବନରାଜ ଗୋଟା କିଲୋ ପ୍ରତି ୨୫୦ ଟଙ୍କା ଏବଂ ବ୍ରୟଲର କିଲୋ ୧୮୦ ଟଙ୍କାରେ ବିକ୍ରି କରାଯିବାକୁ ବ୍ୟବସାୟୀମାନେ ସ୍ଥିର କରିଛନ୍ତି ା

Comments are closed.