ସହରରେ ଜଙ୍ଗଲ

ଜୟକୃଷ୍ଣ ପାଣିଗ୍ରାହୀ

ପ୍ରାଚୀନ ଇରାକର ମେସୋପୋଟାମିଆ ଅଞ୍ଚଳସ୍ଥ ଉରୁକ୍‌ରେ ପ୍ରାୟ ୬,୫୦୦ ବର୍ଷ ପୂର୍ବେ ୟୁଫ୍ରେଟିସ୍ ନଦୀ ଉପକୂଳରେ ସହରୀ ସଭ୍ୟତାର ଉପକ୍ରମ ହୋଇଥିବା ଆଧୁନିକ ଐତିହାସିକମାନେ ମତ ପୋଷଣ କରନ୍ତି; କିନ୍ତୁ ଆଧୁନିକ ସହରଗୁଡ଼ିକର ସ୍ଥାପନ ଏବଂ ପ୍ରସାରଣ ବିଶେଷ ଭାବରେ ଅଷ୍ଟାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ଘଟିଥିବା ଶିଳ୍ପ ବିପ୍ଳବ ସହିତ ତାଳଦେଇ ସଂଘଟିତ ହୋଇଚାଲିଛି, ଯାହା ହେଉଛି ପ୍ରାକୃତିକ ପରିବେଶ ବିନିମୟରେ ଏକ ପରିବର୍ତ୍ତିତ, ଅପ୍ରାକୃତିକ, ମାନବକୃତ ପରିବେଶ ମଧ୍ୟରେ ବାସସ୍ଥଳୀ ସ୍ଥାପନ ଏବଂ ଜୀବନଯାପନର ଏକ ବିକଳ୍ପ ବ୍ୟବସ୍ଥା। ଉତ୍କୃଷ୍ଟ ଜୀବନଶୈଳୀ, ଅର୍ଥନୈତିକ ପ୍ରଗତି ଏବଂ ସାମାଜିକ ଅଗ୍ରଗତିର ପ୍ରତୀକ ରୂପେ ପରିଗଣିତ ସହରାଧିକରଣ ବା ସହରୀକରଣ ଐତିହାସିକ କାଳରୁ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବ୍ୟବସାୟ, ମନୋରଞ୍ଜନ, କ୍ରୀଡା ଏବଂ ରାଜନୈତିକ ଗତିବିଧି ଇତ୍ୟାଦି କ୍ଷେତ୍ରରେ ଗ୍ରାମାଞ୍ଚଳ ତୁଳନାରେ ଅଧିକ ସୁଯୋଗ ପ୍ରଦାନର କ୍ଷେତ୍ର ରୂପେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଧୁନିକତାର ବିକାଶ ଏବଂ ଶିଳ୍ପାୟନର ପ୍ରସାର ସହିତ ଅଙ୍ଗାଙ୍ଗୀଭାବେ ଜଡିତ ସହରାଞ୍ଚଳଗୁଡ଼ିକର ସଂଖ୍ୟା ଏବଂ ପ୍ରସାରଣରେ ବୃଦ୍ଧି ଲୋକମାନଙ୍କର ଗ୍ରାମାଞ୍ଚଳରୁ ସହରକୁ ପ୍ରବାସଗମନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଚାଲିଛି । ସୁଉଚ୍ଚ, ବହୁତଳ ବିଶିଷ୍ଟ ଅଟ୍ଟାଳିକାଗୁଡ଼ିକର ସ୍ଥାପନ ସହିତ ଭୂସମାନ୍ତର ଏବଂ ଭୂଲମ୍ବ ଭାବରେ ନଗରାଞ୍ଚଳଗୁଡ଼ିକର ପରିସୀମା କ୍ରମଶଃ ବିସ୍ତାରିତ ହେବା ସହିତ ଏସବୁର ଜନସଂଖ୍ୟାର ସାନ୍ଧ୍ରତାରେ ମଧ୍ୟ ବୃଦ୍ଧି ଘଟୁଛି ।
ସହରାଧିକରଣ ଉପରେ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ସମ୍ପର୍କ ବିଭାଗ ଦ୍ୱାରା ୨୦୧୮ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଶ୍ୱରେ ପ୍ରାୟ ୫୫% ଲୋକ ସହରଗୁଡ଼ିକ​‌େ​‌ର ବସବାସ କରୁଥିଲା ବେଳେ ୨୦୫୦ ମସିହା ବେଳକୁ ଏହି ସଂଖ୍ୟା ୬୮% ରେ ଉପନୀତ ହେବ; ଅର୍ଥାତ୍ ଆଉ ୨୫୦ କୋଟି ଅଧିକ ଲୋକ ସହରାଞ୍ଚଳର ପରିଧି ମଧ୍ୟରେ ପ୍ରବେଶ କରିବେ ଏବଂ ଏହି ବୃଦ୍ଧିର ପ୍ରାୟ ୯୦% ହିଁ ଏସିଆ ଓ ଆଫ୍ରିକା ମହାଦେଶରେ ଘଟିବ। ଏହି କ୍ରମରେ ଭାରତବର୍ଷରେ ନଗରାଞ୍ଚଳବାସୀଙ୍କର ସଂଖ୍ୟା ୪୧୬ ନିୟୁତ ବୃଦ୍ଧି ଘଟିବାକୁ ଥିଲାବେଳେ ଚୀନରେ ଏହା ୨୫୫ ନିୟୁତରେ ସୀମିତ ରହିବ। ସୂଚନାଯୋଗ୍ୟ ଯେ ବିଶ୍ୱ ସହରାଞ୍ଚଳ ଜନସଂଖ୍ୟା ୧୯୫୦ ମସିହାରେ ୭୫୧ ନିୟୁତରେ ଆବଦ୍ଧ ଥିଲାବେଳେ ପରବର୍ତ୍ତୀ ସମୟରେ ଏହା କ୍ଷିପ୍ରଗତିରେ ବୃଦ୍ଧି ପାଇ ୨୦୧୮ ମସିହାରେ ୪୨୦ କୋଟି ଅତିକ୍ରମ କଲା। ଉନବିଂଶ ଶତାବ୍ଦୀରେ ଅଧିକାଂଶ ସହର ଇଉରୋପ ଏବଂ ଉତ୍ତର ଆମେରିକାରେ ସ୍ଥାପିତ ହୋଇଥିଲେ ହେଁ ବର୍ତ୍ତମାନ କିନ୍ତୁ ଏହି ସ୍ଥାନ ଅଧିକାର କରିଛନ୍ତି ଦକ୍ଷିଣ ଓ ପୂର୍ବ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଦେଶ ସମୂହ, ଯେଉଁମାନେ କି ମୁଖ୍ୟତଃ ବିକାଶଶୀଳ ରାଷ୍ଟ୍ର । ଦଶ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବୃହତ୍‌ ସହର (ମେଗାସିଟି) ଗୁଡ଼ିକରୁ ଅଧିକାଂଶ ମଧ୍ୟ ୨୦୩୦ ମସିହା ସୁଦ୍ଧା ଏହିସବୁ ଅଞ୍ଚଳରେ ଉପଲବ୍ଧ ହେବେ। ଅନେକ ସ୍ଥଳରେ ଏସବୁ ହିଁ ଜଙ୍ଗଲ, ବୃକ୍ଷ ସମୃଦ୍ଧ ଅଞ୍ଚଳ ଏବଂ ଜଳଉତ୍ସର ପ୍ରତିବଦଳରେ ପ୍ରତିଷ୍ଠିତ ହୋଇଚାଲିଛି ।

ଏପରି ପରିବର୍ତ୍ତିତ ବିଶ୍ୱ ଦୃଶ୍ୟପଟରେ ଏବେ କ୍ରମଶଃ ସୁସ୍ପଷ୍ଟ ହେଉଥିବା ସହରୀକରଣର ଉପଜାତ ଓ ନକାରାତ୍ମକ ଦିଗଗୁଡିକ ଅଧିକ ଉଦ୍‌ବେଗ ଏବଂ ବିଶ୍ଳେଷଣର ବିଷୟବସ୍ତୁ ପାଲଟିଛି। ପୃଥିବୀପୃଷ୍ଟର ମାତ୍ର ଦୁଇ ଶତାଂଶ ସ୍ଥାନ ଦଖଲ କରିଥିବା ସହରାଞ୍ଚଳ କିନ୍ତୁ ସମଗ୍ର ବିଶ୍ୱରେ ବ୍ୟବହୃତ ସମୁଦାୟ ବିଦ୍ୟୁତ୍‌ଶକ୍ତିର ପ୍ରାୟ ୭୮% ଏବଂ ବିଶ୍ୱତାପନର ମୁଖ୍ୟ କାରଣ ତଥା ବିଭିନ୍ନ ଉତ୍ସରୁ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପର ୬୦% ରୁ ଅଧିକ ନିମନ୍ତେ ଦାୟୀ ଅଟେ। ଯେତେବେଳେ ପୃଥିବୀର ବହୁବିଧ ସ୍ଥଳୀୟ ଏବଂ ଜଳୀୟ ପରିସଂସ୍ଥାଗୁଡ଼ିକରେ ଆକଳିତ ପ୍ରାୟ ୧୫.୬ ନିୟୁତ ବିବିଧ ଜୀବଜାତି ପ୍ରାକୃତିକ ପରିବେଶ ମଧ୍ୟରେ ବର୍ତ୍ତମାନ ଜୀବନଯାପନ କରୁଛନ୍ତି, ସେତେବେଳ ବିବର୍ତ୍ତନ ପ୍ରକ୍ରିୟାର ଶ୍ରେଷ୍ଠ ଜୀବ ମଣିଷ କିନ୍ତୁ କୃତ୍ରିମ ସହରୀ ସଭ୍ୟତା ପ୍ରତି ଅଧିକ ଆକୃଷ୍ଟ ହୋଇ ଚାଲିଛି। ସମୟ କ୍ରମେ ବଡ଼ ଗ୍ରାମ ସହରରେ, ଛୋଟ ସହର ବଡ ସହରରେ ଏବଂ ବଡ ସହର ବିଶାଳ ସହର ବା ମେଗାସିଟିରେ ପରିଣତ ହେଉଛନ୍ତି। ଜନସଂଖ୍ୟା ପ୍ଲାବିତ ମେଗାସିଟିର ସଂଖ୍ୟା ବିଶ୍ୱରେ ୨୦୦୦ ମସିହା ବେଳକୁ ୧୭ଟି ଥିଲାବେଳେ ଜାତିସଂଘର ଆକଳନ ଅନୁଯାଇ ୨୦୩୦ ବେଳକୁ ଏହି ସଂଖ୍ୟା ୪୩ରେ ପହଞ୍ଚିବ; କିନ୍ତୁ ଏପରି ପରିବର୍ତ୍ତନର ବିପରୀତ ଦିଗରେ ଅନେକ ସହର ଆଜି, ବିଶେଷକରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ​‌େ​‌ର, ପ୍ରଦୂଷଣ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ଉତ୍ତାପ ବୃଦ୍ଧି ପରି ପରିବେଶୀୟ ସମସ୍ୟା ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜଳଯୋଗାଣ, ପରିମଳ, ବିଦ୍ୟୁତଶକ୍ତି, ଗମନାଗମନ ଇତ୍ୟାଦି ମୌଳିକ ସେବା କ୍ଷେତ୍ରର ସମସ୍ୟା ତଥା ବାସହୀନତା, ବସ୍ତିବହୁଳତା, ନିଯୁକ୍ତି ସୁଯୋଗରେ ହ୍ରାସ, ଆବଶ୍ୟକ ଭିତ୍ତିଭୂମିର ଅଭାବ ପରି ଅନେକ ଗମ୍ଭୀର ଆହ୍ୱାନର ସମୁଖୀନ ହେଉଛନ୍ତି। ସହର କଂକ୍ରିଟମୟ ହେବା, ସବୁଜିମାରେ ହ୍ରାସ ଘଟିବା ଏବଂ ବିଭିନ୍ନ ଉତ୍ସରୁ ସବୁଜଗୃହ ବାଷ୍ପର ନିର୍ଗମନ ହେବା ଦ୍ୱାରା ଏହାର ତାପମାତ୍ରାରେ ବୃଦ୍ଧି ଘଟି ସହର ଏକ ‘ଉତ୍ତାପ ଦ୍ବୀପ’ରେ ପରିଣତ ହେଉଛି। ନଗରାଞ୍ଚଳ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏକ ସହରର ପରିବେଶୀୟ ଗୁଣବତ୍ତା, ସବୁଜିମା ଏବଂ ପ୍ରାକୃତିକତାର ଆକର୍ଷଣ ହିଁ ଆଗାମୀ ଦିନରେ ଏହାର ବାସୋପଯୋଗିତାକୁ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। ସହର ମଧ୍ୟରେ ପ୍ରାକୃତିକ ପରିବେଶର ପୁନଃସ୍ଥାପନ ଦ୍ୱାରା ଆମ ସ୍ୱାସ୍ଥ୍ୟରକ୍ଷା ଏବଂ ସୁସ୍ଥାବସ୍ଥା ସୁରକ୍ଷିତ କରିବା ଠାରୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଜୈବବିବିଧତାର ସଂରକ୍ଷଣ ପର୍ଯ୍ୟନ୍ତ ସୁନିଶ୍ଚିତ କରିହେବ। ଏହାକୁ ଦୃଷ୍ଟିରେ ରଖି ଜାତିସଂଘର ନିରବଛିନ୍ନ ବିକାଶ ଲକ୍ଷ୍ୟର ୨୦୩୦ ଏଜେଣ୍ଡାରେ ସହନୀୟ ସହରୀକରଣକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।

ବର୍ତ୍ତମାନର ସହରାଞ୍ଚଳ ପ୍ରଶାସନ କିନ୍ତୁ କଂକ୍ରିଟ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦେଇ ପ୍ରକୃତି ଏବଂ ଜୈବବିବିଧତା ପ୍ରସଙ୍ଗକୁ ଗୌଣ ଦୃଷ୍ଟିରେ ବିଚାର କରୁଛନ୍ତି। ବାସ୍ତବରେ ସହରାଞ୍ଚଳ ଯୋଜନା ପ୍ରସ୍ତୁତିରେ ସାମାଜିକ ଏବଂ ପରିବେଶୀୟ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେଲେ ଆମେ ଏପରି ପରିବେଶ ସୃଷ୍ଟି କରିପାରିବା ଯେଉଁଠାରେ ଲୋକମାନେ ଉନ୍ନତ ମାନର ଜୀବନଯାପନ କରିପାରିବେ ଏବଂ ବିଭିନ୍ନ ଜାତିର ପଶୁପକ୍ଷୀମାନେ ମଧ୍ୟ ସୁରକ୍ଷିତ ରହି ଏକ ଜୀବନ୍ତ ପରିବେଷ୍ଟନୀ ସୃଷ୍ଟିରେ ସହାୟକ ହେବେ । ନଗରାଞ୍ଚଳରେ କ୍ଷୁଦ୍ର କ୍ଷୁଦ୍ର ଜଙ୍ଗଲ ସ୍ଥାପନ ଏବଂ ପଥପାର୍ଶ୍ବ ଚାରାରୋପଣ ହେଲେ ଏସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଭୂମିକା ନିର୍ବାହ କରି ଅମ୍ଳଜାନ ସୃଷ୍ଟି ଏବଂ ଅଙ୍ଗାରକ ଗଚ୍ଛିତ କରିବା ସହିତ ବାୟୁ ବିଶୁଦ୍ଧୀକରଣ, ତାପମାତ୍ରା ନିୟନ୍ତ୍ରଣ, ବର୍ଷା ଜଳ ଅମଳ, ଜୀବଜନ୍ତୁଙ୍କୁ ବାସସ୍ଥଳୀ ପ୍ରଦାନ ଏବଂ ସୁଶୀତଳ ଛାୟା ଦାନ ପରି ବହୁବିଧ କାର୍ଯ୍ୟ ସମ୍ପାଦନ କରିବେ। ସବୁଜିମାର ବୃଦ୍ଧି ଦ୍ୱାରା ସହରର ତାପମାତ୍ରାରେ ଏକ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ଘଟାଇ ଉତ୍ତାପ ଦ୍ୱୀପ ପ୍ରଭାବକୁ ପ୍ରଶମିତ କରିହେବ। ଶାରୀରିକ ବ୍ୟାୟାମ ଏବଂ ଅବସର ସମୟରେ ଚିତ୍ତବିନୋଦନ ନିମନ୍ତେ ଏହାହିଁ ହେଉଛି ପ୍ରକୃଷ୍ଟ ସ୍ଥାନ। ସବୁଜ ବଳୟର ପରିଚାଳନା, ସବୁଜ ନିର୍ମାଣ ଶୈଳୀକୁ ପ୍ରାଧାନ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବୃକ୍ଷଲତାକୁ ଗୁରୁତ୍ୱ ମାଧ୍ୟମରେ ସହରକୁ ପ୍ରାକୃତିକ ପ୍ରାଚୁର୍ଯ୍ୟର କ୍ଷେତ୍ରରେ ପରିଣତ କରିହେବ। ସବୁଜିମା ଆଚ୍ଛାଦିତ, ସ୍ବଚ୍ଛ, ଶୀତଳ ଏବଂ ସୁନ୍ଦର ପରିବେଶ ନିଶ୍ଚିତ ରୂପେ ଚାପମୁକ୍ତ, ସୁସ୍ଥ, ନିରୋଗ, ପ୍ରଫୁଲ୍ଲିତ ଏବଂ ଦୀର୍ଘ ଜୀବନଯାପନ ନିମନ୍ତେ ସହାୟକ ହେବା ସହ କାର୍ଯ୍ୟଦକ୍ଷତାର ବୃଦ୍ଧି ଘଟାଇବ। ପ୍ରକୃତି ଠାରୁ କ୍ରମଶଃ ଦୁରେଇ ଯାଉଥିବା ନୂତନ ପିଢ଼ିଙ୍କର ପ୍ରକୃତି ସହ ନିବିଡ଼ତାର ସମ୍ପର୍କକୁ ସୁଦୃଢ କରିବା, ପରିବେଶ ସଂରକ୍ଷଣ ସମସ୍ୟା ପ୍ରତି ସମ୍ବେଦନଶୀଳତା ଜାଗ୍ରତ କରିବା ଏବଂ ଅନ୍ୟ ଜୀବଜାତିଙ୍କ ସହ ସହାବସ୍ଥାନର ଶିକ୍ଷା ଲାଭ ନିମନ୍ତେ ଏହା ହିଁ ପ୍ରକୃଷ୍ଟ ସ୍ଥାନ ହେବ। ଏବେ ବିଶ୍ୱରେ ବାର୍ଷିକ ଦଶ ନିୟୁତ ହେକ୍ଟର ହାରରେ ଘଟୁଥିବା ଜଙ୍ଗଲ ହ୍ରାସ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ଏପରି ଜଙ୍ଗଲ ସ୍ଥାପନ କିଛି ପରିମାଣରେ ସହାୟକ ହେବ।

ବିକଶିତ ରାଷ୍ଟ୍ରଗୁଡ଼ିକ ଗୁଣାତ୍ମକ ଜୀବନ ପ୍ରତି ଅଧିକ ସଚେତନ ଥିବାରୁ ଏଠାର ସହରାଞ୍ଚଳରେ ପାର୍କ, ଉଦ୍ୟାନ, ନଗର ବନ ଇତ୍ୟାଦି ସ୍ଥାପନ ମାଧ୍ୟମରେ ସୃଷ୍ଟ ସବୁଜିମାର ପରିମାଣ ସନ୍ତୋଷଜନକ ହୋଇଥାଏ। ଆମେରିକାର ସ୍ଥିତି ବିଚାର କଲେ ଏଠାରେ ପ୍ରାୟ ଶହେ ନିୟୁତ ଏକରରୁ ଅଧିକ ସହରାଞ୍ଚଳ ଓ ଗୋଷ୍ଠୀ ଜଙ୍ଗଲ ରହିଛି, ଏବଂ ପାଞ୍ଚ ହଜାର ଏକରରୁ ଅଧିକ ସ୍ଥାନ ଦଖଲ କରିଥିବା ପୋର୍ଟଲଓଣ୍ଡସ୍ଥ ଫରେଷ୍ଟ ପାର୍କ ହେଉଛି ଏହାର ବୃହତ୍ତମ ନଗରାଞ୍ଚଳ ଜଙ୍ଗଲ। ସେହିପରି ଏବେ ଇଉରୋପୀୟ ସହରଗୁଡ଼ିକରେ ମଧ୍ୟ ପ୍ରାକୃତିକ ସମ୍ବଳର ସୁରକ୍ଷା ଏବଂ ପରିବେଶ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ନଗରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲମାନ ସ୍ଥାପନ ଓ ଏହାର ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହି ଲକ୍ଷ୍ୟରେ ଆମ ଦେଶର ସହରଗୁଡିକର ପରିବେଶକୁ ସମୃଦ୍ଧ କରିବା ନିମନ୍ତେ କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାବଡେକର ଗତ ବିଶ୍ୱ ପରିବେଶ ଦିବସ ଅବସରରେ ଭାରତବର୍ଷର ଦୁଇ ଶହଟି ସହରରେ ‘ନଗର ବନ’ ଯୋଜନା ଶୁଭାରମ୍ଭର ଘୋଷଣା କରିଥିଲେ। ପୁନେ ସହରସ୍ଥିତ ୱାର୍ଜେ ନଗର ବନକୁ ଏକ ଆଦର୍ଶ ମଡେଲ ରୂପେ ଗ୍ରହଣ କରି ସହରମାନଙ୍କର ଦୃଶ୍ୟପଟ୍ଟକୁ ଏହି ଯୋଜନା ମାଧ୍ୟମରେ ଆକର୍ଷଣୀୟ କରାଯିବ। ଆଶା କରାଯାଏ ଯେ ଜନସାଧାରଣଙ୍କ ଅଂଶଗ୍ରହଣରେ ତଥା ଜଙ୍ଗଲ ବିଭାଗ, ପୌରାଞ୍ଚଳ କର୍ତ୍ତୃପକ୍ଷ, ଏନଜିଓ, କର୍ପୋରେଟ୍ ସଂସ୍ଥା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସହଯୋଗିତା ମାଧ୍ୟମରେ ଏହି ଯୋଜନା ଏକ ଜନଅନ୍ଦୋଳନରେ ପରିଣତ ହେବ। ଏବେ ରାୟପୁର ସହରର ମଧ୍ୟଭାଗରେ ହଜାର କୋଟି ମୂଲ୍ୟର ଜମିରେ କୋଠାଘର ଭାଙ୍ଗି ୧୯ ଏକର ବିଶିଷ୍ଟ ଏକ ନଗର ବନ ବା ଅକ୍ସି-ଜୋନ୍ ସୃଷ୍ଟି ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି। ଓଡିଶା ସରକାର ମଧ୍ୟ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ପରି ପାଞ୍ଚଟି ମହାନଗରରେ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାସ୍ତାପାର୍ଶ୍ବ ବୃକ୍ଷ, ପାର୍କ ଏବଂ ଉଦ୍ୟାନଗୁଡ଼ିକ ସହିତ ସ୍ଥାପିତ ନଗର ବନ ସବୁ ସହରର ପରିବେଷ୍ଟନୀକୁ ସମୃଦ୍ଧ କରିବା ସହ ଜୈବବିବିଧତାକୁ ରୁଦ୍ଧିମନ୍ତ କରିବାରେ ସହାୟକ ହେବେ। ମନସ୍ତାତ୍ତ୍ୱିକ ଚିନ୍ତନ ଏବଂ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସହିତ ସହରର ବାସୋପଯୋଗିତାର ମହତ୍ତ୍ୱକୁ ଉପଲବ୍ଧି କରି ନଗର ବନାଞ୍ଚଳ ସୃଷ୍ଟି ପ୍ରକ୍ରିୟାକୁ ପ୍ରୋତ୍ସାହନ ପ୍ରଦାନ କରିବା ଆମ ବିଜ୍ଞତାର ପରିଚାୟକ ହେବ।

Comments
Loading...