୨୦ ବର୍ଷ ଧରି ବିଜୁଳି ସଂଯୋଗ ପାଇଁ ଅରକ୍ଷିତଙ୍କ ସଂଘର୍ଷ , ଡିବିରି ଆଲୁଅରେ ବନ୍ଧା ଭବିଷ୍ୟତ

ଭୁବନେଶ୍ବର : ସରକାରୀ ଯୋଜନା ଲୋକଙ୍କ କଲ୍ୟାଣ ପାଇଁ। ଜଣେ ହେଲେ ବି ନିଜ ଅଧିକାରରୁ ବଞ୍ଚିତ ହେବେ ନାହିଁ ବୋଲି ସରକାର କହୁଛନ୍ତି। ଅନେକ ସମୟରେ ଘୋଷଣା ଆଉ ବାସ୍ତବତା ମଧ୍ୟରେ ବହୁ ତଫାତ ରହିଯାଏ। ଏହି ଉକ୍ତିର ସତ୍ୟତା ଜାଣିବା ପାଇଁ କେଉଁ ଗାଁ ଗଣ୍ଡାକୁ ଯିବାର ଆବଶ୍ୟକତା ନାହିଁ। ରାଜଧାନୀ ଭୁବନେଶ୍ବରକୁ ଲାଗିଥିବା ଧଉଳି ପଞ୍ଚାୟତର ୭୫ ବର୍ଷୀୟ ଅରକ୍ଷିତ ଦାସଙ୍କୁ ଦେଖିଲେ ଏହା ବେଶ୍ ସ୍ପଷ୍ଟ ହୋଇଯିବ। ଆଜକୁ ୨୦ ବର୍ଷ ହେଲା ବିଜୁଳି ସଂଯୋଗ ନେବା ପାଇଁ ସଂଘର୍ଷ କରୁଥିବା ଅରକ୍ଷିତ ଆଜି ବି ସରକାରୀ ବ୍ୟବସ୍ଥା ସହ ଲଢ଼େଇ ଜାରି ରଖିଛନ୍ତି। ଦି’ ଅକ୍ଷର ପାଠ ପଢ଼ି ନଥିବା ଅରକ୍ଷିତଙ୍କର ଏହା ଅନ୍ତିମ ଇଚ୍ଛା ଯେ ସେ ବିଜୁଳି ବତି ତଳେ ନିଜ ନାତି ନାତୁଣୀଙ୍କୁ ପାଠ ପଢ଼ୁଥିବା ଦେଖିବେ। ସରକାରଙ୍କ କ୍ଷମତାକେନ୍ଦ୍ର ଲୋକସେବା ଭବନଠାରୁ ୧୨ କି.ମି ଦୂରରେ ରହୁଥିବା ଅରକ୍ଷିତଙ୍କ ଏହି ସଂଘର୍ଷ ଆଜିର ସମୟରେ ବେଶ୍ ତାତ୍ପର୍ଯ୍ୟ ବହନ କରୁଛି।

ପେସାରେ ଜଣେ ଚାଷୀ, ଅରକ୍ଷିତ କହନ୍ତି ଧଉଳି ଛକ ନିକଟରେ ଆଜକୁ ୪୫ବର୍ଷ ହେଲା ନିଜ ପୈତୃକ ଜମିରେ ଘର କରି ରହି ଆସୁଛନ୍ତି। ପ୍ରଥମେ ବିଦ୍ୟୁତ ଆବଶ୍ୟକ ନଥିଲା। କାଳକ୍ରମେ ପରିବାର ବଢ଼ିବା ସହିତ ଆବଶ୍ୟକତା ଦେଖା ଦେବାରୁ ବିଜୁଳି ସଂଯୋଗ ପାଇଁ ଉତ୍ତରା ବିଦ୍ୟୁତ କାର୍ୟ୍ୟାଳୟରେ ଆବେଦନ କଲେ। ବିଜୁଳି ସଂଯୋଗ ତ ମିଳିଲା ନାହିଁ ବରଂ ଯେତେ ଜଣ ଅଧିକାରୀ ବଦଳୁଥାନ୍ତି ତାଙ୍କୁ ସେତେ ଥର ଆବେଦନ କରିବାକୁ ପଡ଼ିଛି। ଏହିପରି ବିଦ୍ୟୁତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ୨୦ ବର୍ଷ ବିତି ଗଲାଣି, କିନ୍ତୁ ତାଙ୍କ ଘରୁ ଅନ୍ଧକାର ହଟିଲା ନାହିଁ। ବିଜୁଳି ପାଇବାକୁ ହେଲେ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦାଖଲ ନକଲେ ସଂଯୋଗ ମିଳିବ ନାହିଁ ବୋଲି ତାଙ୍କୁ ଶୁଣାଇ ଦିଆଯାଉ ଥିବା ସେ ଅଭିଯୋଗ କରିଛନ୍ତି।

ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୧୬ ବର୍ଷର ବଡ଼ ନାତିର ପାଠ ପଢ଼ା ଡ଼ିବିରି ବତି ଉପରେ ନିର୍ଭର କରୁଥିବା ବେଳେ ଆଉ ଦୁଇ ଛୋଟ ପିଲାଙ୍କ କଥା ନକହିବା ଭଲ। ଘରକୁ ଲାଗି କରି ଥିବା ୨ ଏକର ଜମିରେ ଭଲ ଫସଲ ଫଳାଇବା ପାଇଁ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଋଣ କରି ବୋର୍‌ ୱେଲ୍‌ ଖୋଳିଲେ। ଭାବିଥିଲେ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ବିଜୁଳି ସଂଯୋଗ ମିଳିଯିବ। ହେଲେ ବୋର୍‌ ୱେଲ୍‌ରୁ ପାଣି ମୁନ୍ଦାଏ ପାଇବା ବଦଳରେ ବ୍ୟାଙ୍କ ଋଣ ଶୁଝି ଚାଲିଛନ୍ତି। ଗାଈ ବଳଦଙ୍କ ପାଇଁ ପାଣି ମୁନ୍ଦାଏ ଯୋଗାଡ଼ କରିବା ପାଇଁ ବି ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଅରକ୍ଷିତଙ୍କୁ ବିଜୁଳି ସଂଯୋଗ ଦେବା ପାଇଁ ମାର୍ଚ୍ଚ ମାସରେ ଜିଲାପାଳ କ୍ଷମତାଧାରୀ ସରପଞ୍ଚ ବିଭାଗକୁ ସୁପାରିସ କରିଥିଲେ। ତାକୁ ଧରି ସେସୁ ମୁଖ୍ୟାଳୟ ଧାଇଁଲେ। ସ୍ଥାନୀୟ କାର୍ୟ୍ୟାଳୟକୁ ଜଣାଇ ଦିଆଯିବ କହି ତାଙ୍କୁ ସେଠୁ ବିଦା କରିଦେଲେ। ଆଜି ବି ତାଙ୍କ ଘର ଅନ୍ଧାର। ଥରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସଂଯୋଗ ଦେବା ପାଇଁ ତାଙ୍କ ଘରକୁ ଆସିଥିଲେ। ଘର ପାଖରେ ଥିବା ଖୁଣ୍ଟରୁ ତାର ଟାଣିବା ବଦଳରେ ୩୦୦ ମିଟର ଦୂରରୁ ତାର ଟଣାଯିବ ବୋଲି କହିଲେ। ତାର, ଖୁଣ୍ଟ ଓ ଏକ ଟ୍ରାନ୍ସଫର୍ମର ବସାଇବା ପାଇଁ ଟଙ୍କା ଜମା କରିବା ପରେ ଯାଇ ବିଦ୍ୟୁତ ସଂଯୋଗ ମିଳିବ କହି ଚାଲିଗଲେ ବୋଲି ଅରକ୍ଷିତ ଅଭିଯୋଗ କରିଛନ୍ତି।

ସରକାରୀ ସେବାର ମୁଁ ଜଣେ ଉପଭୋକ୍ତା ହେବା ପାଇଁ ଚାହୁଁଛି, ସେବା ବାବଦରେ ବିଲ୍ ପୈଠ କରିବାକୁ ଚାହୁଁଛି। କ’ଣ ପାଇଁ ମୋତେ ଏଥିରୁ ବଞ୍ଚିତ କରାଯାଉଛି। ଏହି ସରକାର କାହା ପାଇଁ, ଏତେ ବିଧି ବ୍ୟବସ୍ଥା କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁଠି ଖୋଦ୍ ବିଭାଗୀୟ ମନ୍ତ୍ରୀ ଘନ ଘନ ଉଚ୍ଚସ୍ତରୀୟ ବୈଠକ କରି ପ୍ରତି ଘରକୁ ବିଜୁଳି ସଂଯୋଗ ଦିଆଯିବ‌ ବୋଲି କହୁଛନ୍ତି, ସେଠି ଅରକ୍ଷିତଙ୍କ ଭଳି ଜଣେ ଚାଷୀର ଏ ଅବସ୍ଥା ଆମର ବିଧି ବ୍ୟବସ୍ଥା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Comments are closed.