ଆଜି ଭିନ୍ନକ୍ଷମ ଦିବସ, ଆମେ ବି ସକ୍ଷମ

ସ୍ବାଭିମାନରେ ବଞ୍ଚିବାକୁ ସମୀରଙ୍କ ପଣ
ଛିଡ଼ା ହେବାର ବଳ ନାହିଁ କି ଅଣ୍ଟା ସଳଖି ମୁଣ୍ଡ ଉଠାଇବାକୁ ସାହସ ନାହିଁ। ହାତ ଓ ଆଣ୍ଠୁ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି। ହାତର ସାହାରା ନେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି। ତଥାପି ସ୍ବାଭିମାନର ସହିତ ସମାଜରେ ବଞ୍ଚିବାକୁ ପଣ କରିଛନ୍ତି ସମୀର ପ୍ରଧାନ।


ପୋଖରିପୁଟ ଅଞ୍ଚଳରେ ରହନ୍ତି ସମୀର। ବାପା, ମା’ ଓ ଭାଇଙ୍କ ସହିତ ବହୁ କଷ୍ଟରେ ବାଲ୍ୟକାଳ ଅତିବାହିତ କରିଛନ୍ତି। ବାପା, ମା’ ଦିନମଜୁରିଆ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସିତ କରାଇ ପାରିନଥିଲେ। ସେ ସପ୍ତମ ପର୍ଯ୍ୟନ୍ତ ପଢ଼ିଛନ୍ତି।
ନିଜ ରୋଜଗାରରେ ପରିବାର ଲୋକଙ୍କୁ ସହଯୋଗ କରିବାକୁ ‌ଶ୍ରେୟ ମଣିଥିଲେ। ପ୍ରଥମେ ଏକ କମ୍ପାନୀରେ ଧୂପ ଶୁଖାଇବା କାମ କରୁଥିଲେ। ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଲା। ପରେ ମଧୁସୂଦନ ପାର୍କ କଡ଼ରେ ଖାଦ୍ୟ ସାମଗ୍ରୀ ବିକ୍ରି ଆରମ୍ଭ କରିଥିଲେ। କେହି ସହୃଦୟ ବ୍ୟକ୍ତି ତାଙ୍କୁ ଦେଖିଲା ପରେ ଗୋଟିଏ ଟ୍ରାଇ ସାଇକଲ ଯୋଗାଇ ଦେଇଛନ୍ତି। ଏଥିରେ କୁରକୁରି, ଚକୋଲେଟ, ମଟର, ବାଦାମ ପ୍ରଭୃତି ବିକ୍ରି କରୁଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି, ସେଥିରେ ପରିବାର ଚଳିଯାଉଛି ବୋଲି କହିଛନ୍ତି ସମୀର।

ଚା’ ବିକି ଚଳୁଛି ପରିବାର
ନିଜ ଗୋଡ଼ରେ ଛିଡ଼ା ହେବାକୁ ବଳ ନଥିବା ବେଳେ ହାତରେ ଜିନିଷ ଧରିବା ମଧ୍ୟ କ‌‌ଷ୍ଟକର। କାନ୍ଧ ଉପରେ ପରିବାର ବୋଝ। ଭିନ୍ନକ୍ଷମ ହୋଇ ମଧ୍ୟ ନିଜେ ସ୍ବାବଲମ୍ବୀ ହେବାକୁ ପ୍ରୟାସ କରୁଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଜିତା ସାହୁ।


ଢେଙ୍କାନାଳ ଜିଲାରେ ଏକ ଗରିବ ପରିବାରରେ ସଜିତାଙ୍କ ଜନ୍ମ। ପରିବାର କହିଲେ ବାପା, ମା’ ଓ ଭାଇକୁ ବୁଝାଏ। ବାପା ଚାଷ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଅଷ୍ଟମ ଶ୍ରେଣୀ ପଢୁଥିବା ବେଳେ ହିଁ ଶରୀର ଅସୁସ୍ଥ ହୋଇଗଲା। ଅ‌େ‌ସ୍ତ୍ରାପଚାର ପରେ ତାଙ୍କ ହାତ ଗୋଡ଼ କାମ କଲାନି। ୨୦୧୬ରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ଭୁବନେଶ୍ବରକୁ ପଳେଇ ଆସିଥିଲେ। ଏଠାରେ ପ୍ରଶିକ୍ଷଣ ନେବା ସହ ପେପର ପ୍ଲେଟ୍‌ କାମ ଆରମ୍ଭ କରିଥିଲେ। କରୋନା ଯୋଗୁଁ ଏହି କାର୍ଯ୍ୟ ବନ୍ଦ ଥିବାରୁ ସେ ପାର୍କ ସମ୍ମୁଖରେ ହର୍ବାଲ ଟି ବିକ୍ରି କରୁଛନ୍ତି। ଦିନକୁ ହଜା​‌େ​‌ରରୁ ୧୫ଶହ ଟଙ୍କା ରୋଜଗାର ହେଉଛି। ଏହି କାର୍ଯ୍ୟରେ ଦୁଇ ବାନ୍ଧବୀ ମାଳତୀ ଓ ସୁଭଦ୍ରା ସହଯୋଗ କରୁଛନ୍ତି। ସରକାରଙ୍କ ପକ୍ଷରୁ ଏମାନଙ୍କୁ ଭେଣ୍ଡିଙ୍ଗ ଜୋନ୍‌ ମିଳିଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।

ସେବାରେ ସମର୍ପିତ
ନିଜେ ଦୁଃଖୀ ଓ ଅସହାୟ । ହେଲେ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ଲାଘବ ସହ ସହାୟତାର ହାତ ବଢ଼ାଉଛନ୍ତି ତ୍ରିଲୋଚନ ସାହୁ । ଚାଲିବା ପାଇଁ ତାଙ୍କୁ ଆଶା ବାଡ଼ିର ସାହାଯ୍ୟ ନେବାକୁ ପଡ଼ୁଛି। ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ପାଲଟିଛନ୍ତି ସେ ।


କାରଗିଲ ବସ୍ତିରେ ଏକ ଭଡ଼ା ଘରେ ରହନ୍ତି ତ୍ରିଲୋଚନ। ନିଜ ଅଟୋରେ ଭିନ୍ନକ୍ଷମ ଲୋକଙ୍କ ସେବା କରୁଥିଲେ। ହେଲେ କରୋନା ମହାମାରୀ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଯେଉଁ ଅଟୋ ଚଳାଇ ସେବା କରୁଥିଲେ ସେଥିରେ ପରିବା ବିକ୍ରି ଆରମ୍ଭ କରିଛନ୍ତି । ସେଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା ସହିତ ଅନ୍ୟ ଦିବ୍ୟାଙ୍ଗ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଦିନକୁ ୫୦୦ ଟଙ୍କା ପାଖାପାଖି ରୋଜଗାର କରୁଛନ୍ତି । ଏହି ଟଙ୍କାରେ ସେ ଦିବ୍ୟାଙ୍ଗ ମହିଳାଙ୍କୁ ସାହାଯ୍ୟ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି ।

Comments are closed.