ଭୁବନେଶ୍ବରରୁ ମଣିପୁର ଗଲେ ୩୮ ପ୍ରବାସୀ

ଭୁବନେଶ୍ୱର : ଓଡିଶାରେ ଲକ୍ ଡାଉନ୍ ଯୋଗୁଁ ନିଜ ରାଜ୍ୟକୁ ଫେରି ପାରୁ ନଥିବା କାର୍ଯ୍ୟରତ ୩୮ ଜଣ ପ୍ରବାସୀ ମଣିପୁର ଯାଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ରାକେଶ ରଞ୍ଜନଙ୍କ ଅନୁରୋଧ କ୍ରମେ ଓଡିଶା ସରକାରଙ୍କ ଶ୍ରମ ଆୟୁକ୍ତ ଡଃ.ଏନ୍.ତିରୁମାଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜି ୩୮ ଜଣ ପ୍ରବାସୀଙ୍କୁ ଭୁବନେଶ୍ୱରରୁ ମଣିପୁରକୁ ଏକ ବସ୍‌ ଯୋଗେ ପଠାଇବାର ସୁବ୍ୟବସ୍ଥା କରାଯାଇଛି। ପ୍ରକାଶ ଥାଉକି, ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବ ବର୍ଗର ଏବଂ ସେମାନେ ବିଭିନ୍ନ ହୋଟେଲ, ସ୍ପା ଓ ସେଲୁନ୍‌ରେ କାର୍ଯ୍ୟରତ ଥିଲେ। ଚଳିତ ମଇ ମାସ ୫ ତାରିଖରେ ଏ ସଂପର୍କର ମଣିପୁର ସରକାରଙ୍କଠାରୁ ୪୪ ଜଣଙ୍କର ଏକ ତାଲିକା ଓଡିଶା ରାଜ୍ୟ ସରକାର ପାଇଥିଲେ। ଏହାପରେ ଓଡିଶାରେ କାର୍ଯ୍ୟରତ ଏହି ପ୍ରବାସୀଙ୍କୁ ମୋବାଇଲ୍ ଫୋନ୍‌ରେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରାଯାଇ ତନ୍ମଧ୍ୟରୁ ୩୮ ଜଣଙ୍କୁ ମଣିପୁର ପଠାଇବାର ବ୍ୟବସ୍ଥା କରାଯାଇଛି।
ଓଡିଶା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶକ୍ରମେ ଶ୍ରମ ଆୟୁକ୍ତ ଡଃ ନାୟକ ମଣିପୁର ସରକାରଙ୍କ ସହ ଯୋଗାଯୋଗ କରି ଏସବୁ ଦାୟିତ୍ୱ ନିର୍ବାହ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ନିଜ ରାଜ୍ୟକୁ ଫେରି ପାରିଥିବା କାର୍ଯ୍ୟରତ ଏହି ପ୍ରବାସୀ ଯୁବବର୍ଗ ଓଡିଶା ସରକାର ତଥା ରାଜ୍ୟ ଶ୍ରମ ବିଭାଗକୁ ପ୍ରଶଂସା କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ସମେତ ଯୁଗ୍ମ ଶାସନ ସଚିବ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରବାସୀମାନଙ୍କ ମଣିପୁର ଗସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Comments are closed.