ବଡ଼ଦାଣ୍ଡ ଢାଞ୍ଚାରେ ହେବ ରଥଖଳା

ଭାଙ୍ଗିବ ବ୍ୟାଖ୍ୟାନ କେନ୍ଦ୍ର , ଯାତ୍ରୀ ଆଶ୍ରୟସ୍ଥଳୀ, ପାନୀୟଜଳ ପ୍ରକଳ୍ପ, ଏଟିଏମ କାଉଣ୍ଟର, କମ୍ପୋଷ୍ଟ ମେସିନ ଗୃହ - ହଟିବ ଗାଡ଼ି ପାର୍କିଂ ସ୍ଥାନ

ଭୁବନେଶ୍ବର : ଝଟକିବ ଶ୍ରୀଲିଙ୍ଗରାଜ ମନ୍ଦିର। ଏହାର ଚତୁଃପାର୍ଶ୍ବ ହେବ ସୌନ୍ଦର୍ଯ୍ୟମୟ। ୬୬ ଏକର ଜମିରେ ୯ଟି ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହେବ। ଗୌରବ ବହନ କରିବ ଶ୍ରୀଲିଙ୍ଗରାଜ ଐତିହ୍ୟ। କୋଷେ ଦୂରରୁ ଭକ୍ତମାନେ ଯେପରି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଢାଞ୍ଚାରେ ଏକାମ୍ରକ୍ଷେତ୍ର ଭୁବନେଶ୍ବରକୁ ସମୃଦ୍ଧ ଓ ବିକଶିତ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ଗତ ୧୨ ତାରିଖରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଘୋଷଣା କରିଛନ୍ତି।

ରବିବାର ସକାଳେ ଅର୍ଥାତ ୧୦ଦିନ ପରେ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧିମଣ୍ଡଳୀ ଏଠାକାର ବର୍ତ୍ତମାନ ଅବସ୍ଥିତି ଏବଂ ପରିସ୍ଥିତ ଅନୁଧ୍ୟାନ କରିଛନ୍ତି। ଲିଙ୍ଗରାଜ ସିଂହଦ୍ବାର ସାମ୍ନା ଓ ଦକ୍ଷିଣ ପାର୍ଶ୍ବରେ ନିର୍ମାଣଧୀନ ବ୍ୟାଖ୍ୟାନକେନ୍ଦ୍ର, ଯାତ୍ରୀ ଆଶ୍ରୟସ୍ଥଳୀ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଭଙ୍ଗାଯିବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ କରୁଥିବାରୁ ପ୍ରତିନିଧିମଣ୍ଡଳୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଡାକି କାମ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ପ୍ରତିନିଧିମଣ୍ଡଳୀ ମନ୍ଦିର ଅଫିସ, ଲିଙ୍ଗରାଜ ହାଟ, ହାଟ ପଛପଟେ ଭଙ୍ଗା ଯାଇଥିବା ସୁଲଭ ଶୌଚାଳୟ ଅବସ୍ଥା ବୁଲି ଦେଖିଥିଲେ। ଭଙ୍ଗାଯାଇଥିବା ସ୍ଥାନ ତୁରନ୍ତ ସମତୁଲ କରାଯିବା ସହ ପା‌େ‌ଚରି କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହାପରେ ପ୍ରତିନିଧିମଣ୍ଡଳୀ କୋରାପୁଟ ଭବନ ଅଭିମୁଖେ ଯାଇଥିଲେ। ସେଠାରେ ମାର୍କେଟ ଆସୋସିଏସନ ନାମରେ ଜବରଦଖଲରେ ଥିବା ବିଏମ୍‌ସିର ଏକ ଏକର ଜମି ଦଖଲମୁକ୍ତ କରିବା ପାଇଁ ମିଳିତ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହି ଜମିକୁ ଲିଙ୍ଗରାଜଙ୍କ ଜଣେ ପ୍ରମୁଖ ସେବାୟତ ଅକ୍ତିଆରରେ ରଖିଛନ୍ତି। ସିଂହଦ୍ବାର ସାମ୍ନା ଡ୍ରେନ୍‌ ଉପରେ ଥିବା ଦୁଇଟିି ଦୋକାନ ଘର ଭଙ୍ଗାଯିବ। ଉକ୍ତ ଜାଗାକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହାକୁ ପୂର୍ବରୁ ଉଚ୍ଛେଦ କରାଯାଇପାରି ନଥିଲା।

ମନ୍ଦିର ସମ୍ମୁଖ ଏଟିଏମ କାଉଣ୍ଟର, ଲାଏନ୍ସ କ୍ଲବର ପାନୀୟଜଳ ପ୍ରକଳ୍ପ, ମନ୍ଦିର ସିଂହଦ୍ବାର ସାମ୍‌ନା ଦେବୀ ପାଦହରା ଓ ସହସ୍ରଲିଙ୍ଗ ପୁଷ୍କରିଣୀ ନିକଟସ୍ଥ ଗାଡ଼ି ପାର୍କିଂ ଆଦିକୁ ସେଠାରୁ ହଟାଇବା ଲାଗି ପ୍ରତିନିଧିମଣ୍ଡଳୀ ନିର୍ଦେଶ ଦେଇଛନ୍ତି। ଗାଡ଼ି ପାର୍କିଂ ବ୍ୟବସ୍ଥା ମନ୍ଦିର ପ୍ରଶାସନ ନିଲାମ ଦ୍ବାରା ହେଉଥିବାରୁ ଏହାକୁ ସେଠାରୁ ହଟାଇ ନୂତନ ଲିଙ୍ଗରାଜ ମାର୍କେଟ ବିଲ୍‌ଡିଂକୁ ସ୍ଥାନାନ୍ତର କରିବାକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରତିନିଧିମଣ୍ଡଳୀ ନିର୍ଦେଶ ଦେଇଛନ୍ତି। ମନ୍ଦିର କାର୍ଯ୍ୟାଳୟ ନିକଟସ୍ଥ କମ୍ପୋଷ୍ଟ ମେସିନ ଘର, ପି. ବିଶୋଇଙ୍କ ଘର ଉଚ୍ଛେଦ ହେବ। ଏହାବ୍ୟତୀତ ଲିଙ୍ଗରାଜଙ୍କ ରଥଖଳାକୁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ସୌନ୍ଦର୍ଯ୍ୟକରଣ କରାଯିବ। ରଥଖଳାରେ ଘାସ ଗାଲିଚା ଓ ଟାଇଲ ପଡ଼ିବ ବୋଲି ପ୍ରତିନିଧିମଣ୍ଡଳୀ ପ୍ରସ୍ତାବ ଦେଇଛନ୍ତି। ପ୍ରତିନିଧିମଣ୍ଡଳୀରେ ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଡିଏ ଉପାଧ୍ୟକ୍ଷ ଏବଂ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ, ବିଏମସିର ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ଅବନୀକାନ୍ତ ପଟ୍ଟନାୟକ, ବିଡିଏ ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ହରିଶ୍ଚନ୍ଦ୍ର ନାୟକ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମହେନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଅରୁଣ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ଓ ଜୋନ୍‌ ଏସ୍‌ପି ବିଷ୍ଣୁ ପାତ୍ର, ଶ୍ରୀଲିଙ୍ଗରାଜ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ସାମିଲ ଥିଲେ। ମନ୍ଦିର ଚତୁଃପାର୍ଶରେ ଉଚ୍ଛେଦ ଜାରି ରହିବା ପର୍ଯ୍ୟନ୍ତ ମନ୍ଦିର କାର୍ଯ୍ୟାଳୟ ନିକଟରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ମୁତୟନ ରହିବ।

Comments are closed.