ଶ୍ରୀଲିଙ୍ଗରାଜଙ୍କ ସମ୍ମୁଖ ନିଷିଦ୍ଧାଞ୍ଚଳରେ ବ୍ୟବସାୟ

କର୍ମଚାରୀ ମୁତୟନ ପାଇଁ ଜୋନ୍‌ ଏସିପିଙ୍କୁ ବିଏମ୍‌ସିର ଚିଠି

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ ଚାଲଛି। କୋଷେ ଦୂରରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦେଖାଯିବା ନିମନ୍ତେ ବ୍ୟବସ୍ଥା ହେଉଛି। ପାର୍କିଂ ସ୍ଥଳ, ନୋ ଭେଣ୍ଡିଂ ଜୋନ୍‌, ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା, ଫୁଲ କୁଣ୍ଡ, ଜୋତା ଷ୍ଟାଣ୍ଡ ପ୍ରଭୃତି ଚିହ୍ନଟ ହୋଇଛି।
ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଛି, କିନ୍ତୁ ଏବେ କିଛି ବ୍ୟବସାୟୀ ନୋ ଭେଣ୍ଡିଂ ଜୋନ୍‌ (ନିଷିଦ୍ଧାଞ୍ଚଳ)ରେ ପଶି ବ୍ୟବସାୟ କରୁଛନ୍ତି। ଫଳରେ ସୁସ୍ଥ ପରିବେଶ ବ୍ୟାଘାତ ହେଉଛି। ଏହି ଅମାନିଆ ବ୍ୟବସାୟୀଙ୍କୁ ହଟାଇବା ସହିତ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ କରିବାକୁ ବିଏମ୍‌ସି ଡେପୁଟି କମିସନର କମଲଜିତ୍‌ ଦାସ ଅତିରିକ୍ତ ପୁଲିସ କମିସନର (ଏସିପି) ଜୋନ୍‌-୨ଙ୍କୁ ଚିଠି ଲେଖିଛନ୍ତି। ଶୀଘ୍ର ପୁଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ମୁତୟନ କରାଯିବା ସହିତ ଅନଧିକାର ପ୍ରବେଶ କରି ବ୍ୟବସାୟ କରୁଥିବା ଦୋକାନୀଙ୍କୁ ହଟାଇବା ନିମନ୍ତେ ପଦକ୍ଷେପ ନେବାକୁ ଜୋନ୍‌ ଏସିପିଙ୍କଠାରୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଶ୍ରୀଲିଙ୍ଗରାଜଙ୍କ ଚାରିପାଖ ଅଞ୍ଚଳର ହାଟସାହି, ରଥଗଡ଼ା, ମନ୍ଦିର ସମ୍ମୁଖ, ଉତ୍ତର ଦ୍ବାରକୁ ନୋ ଭେଣ୍ଡିଂ ଜୋନ୍‌ ଘୋଷଣା କରାଯାଇଛି। ବ୍ୟାରିକେଡ ନିର୍ମାଣ କରାଯିବା ସହିତ ବ୍ୟବସାୟ ନିଷିଦ୍ଧ ହୋଇଛି। ହେଲେ ଏବେ ୨୦ରୁ ଅଧିକ ଦୋକାନୀ ଏଠାରେ ପଶି ବ୍ୟବସାୟ କରୁଛନ୍ତି। ବହୁବାର ହଟାଯିବା ପରେ ମଧ୍ୟ କିଛିଦିନ ଅନ୍ତରରେ ପୁଣିଥରେ ବ୍ୟବସାୟ କରୁଛନ୍ତି। ତେଣୁ ଅମାନିଆ ବ୍ୟବସାୟୀଙ୍କୁ ଆକଟ କରିବା ନିମନ୍ତେ ପୁଲିସ କର୍ମଚାରୀ ମୁତୟନ କରିବାକୁ ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.