ପେଟ୍ରୋଲ ପମ୍ପ ବିସ୍ଫୋରଣ ଫୋରେନ୍‌ସିକ୍‌ ରିପୋର୍ଟ ମିଳିଲା, ସୂର୍ଯ୍ୟଶକ୍ତି ଭେସେଲ୍ସର ତ୍ରୁଟି ସ୍ପଷ୍ଟ: ପୁଲିସ କମିସନର

ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲପମ୍ପର ଏଲ୍‌ପିଜି ଟାଙ୍କି ବିସ୍ଫୋରଣ ଘଟଣାକୁ ମାସେରୁ ଅଧିକ ବିତି ଯାଇଛି। ବିଳମ୍ବ ହେଲେ ବି ମଙ୍ଗଳବାର ଫୋରେନ୍‌ସିକ୍‌ ଲାବୋରେଟୋରୀ ରିପୋର୍ଟ କମିସନରେଟ୍ ପୁଲିସର ହସ୍ତଗତ ହୋଇଛି। ବି‌େ‌ସ୍ଫାରଣ କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ ତଥାପି ବିସ୍ଫୋରଣ ପାଇଁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଦାୟୀ ବୋଲି ଫୋରେନ୍‌ସିକ୍‌ ରିପୋର୍ଟରେ ଉ‌େ‌ଲ୍ଲଖ କରାଯାଇଥିବା ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ରିପୋର୍ଟ ପୁଲିସର ହସ୍ତଗତ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇନାହିଁ। ପେଟ୍ରୋଲପମ୍ପରେ ଏଲ୍‌ପିଜି ଟାଙ୍କି ଭର୍ତ୍ତି କରାଯିବା ପୂର୍ବରୁ ଯାଞ୍ଚ ଓ ମରାମତି କରୁଥିବା ଫରିଦାବାଦସ୍ଥିତ ସୂର୍ଯ୍ୟଶକ୍ତି ଭେସେଲ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀର ତ୍ରୁଟି ଯୋଗୁଁ ଏଭଳି ବିସ୍ଫୋରଣ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଅଛି। କମିସନର ଡ. ଷଡଙ୍ଗୀଙ୍କ କହିବା ଅନୁସାରେ ପେଟ୍ରେଲପମ୍ପର ଏଲ୍‌ପିଜି ଟାଙ୍କିର ମରାମତି ବେଳେ ବିସ୍ଫୋରଣ ଘଟିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରଦିନ ଗଞ୍ଜାମର ସଦାନନ୍ଦ ନାୟକ ନାମକ ବ୍ୟକ୍ତିିଙ୍କର ମୃତ୍ୟୁ ଘଟିଥିଲା। ନିଖୋଜ ଥିବା ଆସିକା ଅଞ୍ଚଳର ସୀମାଞ୍ଚଳ ପରିଡ଼ାଙ୍କ ଦେହାବଶେଷକୁ ଏଫ୍‌ଏମ୍‌ଟି ବିଭାଗକୁ ପଠାଯାଇଥିଲା। ଏହା ଜଣେ ମଣିଷର ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ବାପାମା’ଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇ ଡିଏନ୍‌ଏ ଯାଞ୍ଚ ପାଇଁ ପଠାଯାଇଥିଲା ଓ ଖଣ୍ଡବିଖଣ୍ଡିତ ମୃତଦେହ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ସେହିପରି ସୂର୍ଯ୍ୟଶକ୍ତି ଭେ‌େ‌ସଲ୍‌ ସଂସ୍ଥାର ସୁପରଭାଇଜର ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଏପର୍ଯ୍ୟନ୍ତ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ସୂର୍ଯ୍ୟଶକ୍ତି ଭେସେଲ୍‌ସ କମ୍ପାନୀ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପଦାକୁ ଆସିବା ପରେ କମ୍ପାନୀ ଏବଂ ଏହାର କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଡ. ଷଡଙ୍ଗୀ କହିଛନ୍ତି। ସୂର୍ଯ୍ୟଶକ୍ତି ଭେସେଲ୍‌ ନାମରେ ବାସ୍ତବରେ କମ୍ପାନୀ ରହିଛି କି ନାହିଁ ତାହା ଅନୁଧ୍ୟାନ ଲାଗି ଦିପାବଳୀରେ ଜଣେ ଅଫିସର ଫରିଦାବାଦ୍‌ ଯିବେ। ଅଫିସର ସେଠାରେ ଅନୁଧ୍ୟାନ କରିବା ପରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ ମାଲିକଙ୍କୁ ସମନ କରିବେ। ବିସ୍ଫୋରଣରେ ଅନ୍ୟ କେହି ସମ୍ପୃକ୍ତ ‌କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯାଉଛି। ଭାରତୀୟ ତୈଳ ନିଗମଠାରୁ ଟେଣ୍ଡର ମାଧ୍ୟମରେ ସୂର୍ଯ୍ୟଶକ୍ତି ଭେସେଲ୍‌ କାର୍ଯ୍ୟାଦେଶ ପାଇଛି କି ନାହିଁ ତାହା ତଦନ୍ତ ପରିସରଭୁକ୍ତ କରାଯିବ। ସମ୍ବେଦନଶୀଳ କାର୍ଯ୍ୟ କରିବାକୁ ଉକ୍ତ କମ୍ପାନୀ ଦାୟିତ୍ବ ଦିଆଯିବା ପୂର୍ବରୁ ତାହାର ଗୁଣାତ୍ମକମାନ ବା ଦକ୍ଷତାକୁ ମାପକ ଭାବେ ନିଆଯାଇ ଏହି ଚୁକ୍ତି କରାଯାଇଛି କି ନାହିଁ ସେ ଦିଗରେ ବି ତଦନ୍ତ କରାଯାଉଛି ବୋଲି କମସନର ଡ. ଷଡଙ୍ଗୀ କହିଛନ୍ତି।

Comments are closed.