ମନ ଇଚ୍ଛା ରାଜଧାନୀ ରାଜରାସ୍ତାରେ ଅଟକିବନି ଅଟୋ, ବସ୍ ବେ ଭଳି ରାଜଧାନୀରେ ହେବ ଅଟୋ ବେ’

ଭୁବନେଶ୍ବର: ଯାତ୍ରୀ ଯେଉଁଠି ଠିଆ ହୋଇ ହାତ ଦେଖାଇଲେ ସେଠି ଅଟୋ ରହିବ। ରାସ୍ତା କଡ଼ ହେଉ ବା ରାସ୍ତା ମଝି। ବେପରୁଆ ଅଟୋ ଚାଳକ ଅଟୋ ଅଟକାଇ ଯାତ୍ରୀ ଉଠାଇଥାନ୍ତି। ସେହିପରି ଅଟୋ ଚାଳକ ଯାତ୍ରୀ ଉଠାଇବା ଲାଗି ପ୍ରତିଯୋଗିତା କରି ବିଭିନ୍ନ ଛକରେ ପାଖକୁ ପାଖ ଗାଡ଼ି ଠିଆ କରି ଦିଅନ୍ତି। କେତେକ ସମୟରେ ରାସ୍ତାର ଅଧା ସେମାନଙ୍କ ଦଖଲରେ ରହିଥାଏ। ଅଟୋ ଷ୍ଟାଣ୍ଡ ନାମରେ ରାସ୍ତା ଉପରେ ଗାଡ଼ି ଥୋଇ ଜାମ୍‌ କରିଥାନ୍ତି। ତେବେ ଏଭଳି ପରିସ୍ଥିତିକୁ ସଜାଡ଼ିବା ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ଅଟୋ ବେ’ କରାଯିବା ଲାଗି ଯୋଜନା କରାଯାଇଛି। ଏନେଇ ଟ୍ରାଫିକ୍‌ ଡିସିପି ସାଗରିକ ନାଥ ସୂଚନା ଦେଇଛନ୍ତି।
ବସ୍‌ ବେ’ ଭଳି ଅଟୋ ପାଇଁ ବିଭିନ୍ନ ଛକ ଏବଂ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ ଯାତ୍ରୀମାନେ ସେଠାରେ ଠିଆ ହୋଇ ଅଟୋ ସେବା ପାଇପାରିବେ। ଅନ୍ୟ ସ୍ଥାନରୁ ଅଟୋ ଯାତ୍ରୀଙ୍କୁ ଉଠାଇ ପାରି​‌ବେନାହିଁ। ପ୍ରତି ରୁଟ୍‌ରେ ଯାଉଥିବା ଅଟୋ ଯାତ୍ରୀଙ୍କୁ ସେଠାରୁ ନେଇ ବିଭିନ୍ନ ବେ’ ନିକଟରେ ଓହ୍ଲାଇ ପାରିବେ। ନଚେତ୍‌ ଯାତ୍ରୀଙ୍କୁ ସେମାନଙ୍କ ଆବଶ୍ୟକ ସ୍ଥଳରେ ଓହ୍ଲାଇ ପାରିବେ। ହେଲେ ରାସ୍ତାରେ ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ।

Comments are closed.