ଇସ୍କନ ମୁଖ୍ୟଙ୍କୁ ଗିରଫ ଦାବି

ପୁରୀ : ଅଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କରିଥିବା ମୁମ୍ବଇ ଇସ୍କନ ମୁଖ୍ୟଙ୍କୁ ତୁରନ୍ତ ଗିରଫ କରିବାକୁ ମଙ୍ଗଳବାର ଆନନ୍ଦବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଶ୍ରୀପଞ୍ଚମୀ ତିଥିରେ ରଥଯାତ୍ରା ଆୟୋଜନ ସନାତନ ହିନ୍ଦୁଧର୍ମ ବିରୋଧୀ। ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର  ଉଲ୍ଲଙ୍ଘନ କରାଯାଇଛି ବୋଲି ଉକ୍ତ କମିଟି ପକ୍ଷରୁ ଅଭିଯୋଗ ​ହୋଇଛି।  ଇସ୍କନ ମୁଖ୍ୟଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଲିଖିତ ଏତଲା ଦିଆଯାଇଛି। ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ସହ ମୁମ୍ବଇ ଇସ୍କନ ମୁଖ୍ୟଙ୍କୁ ଗିରଫ ନିମନ୍ତେ କମିଟିର ସଭାପତି ଗୋପାଳ ଚନ୍ଦ୍ର ଦାଶ ଏବଂ ସମ୍ପାଦକ ଦୁର୍ଗାମାଧବ ତ୍ରିପାଠୀ ଦାବି କରିଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଇସ୍କନ ସଂସ୍ଥା ବର୍ଷସାରା ମହାପ୍ରଭୁଙ୍କ ରଥଯାତ୍ରା ଅଦିନରେ ଆୟୋଜନରୁ କ୍ଷାନ୍ତହେବ ନାହିଁ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ଏହାକୁ ମିଶାଇ ଇସ୍କନ ବିରୋଧରେ ଚାରିଦିନରେ ୪ଗୋଟି ଲିଖିତ ଅଭିଯୋଗ ପୁଲିସ ପାଖରେ କରାଯାଇଛି। ଏହାପୂର୍ବରୁ ଶ୍ରୀଜଗନ୍ନାଥ ସେନା, ସଚେତନ ନାଗରିକ ମଞ୍ଚ ଏବଂ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ  ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପୁଲିସ ଏପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଭକ୍ତ ଓ ସେବକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।

ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠରେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। କେତେକ ସେବକ ସଭ୍ୟ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ତିଥି ବ୍ୟତିରେକ ଅନ୍ୟ ସମୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ଉପରେ ମନ୍ଦିର ପ୍ରଶାସନ କଟକଣା ଜାରି କରିବା ସମ୍ଭାବନା ରହିଛି। ଆବଶ୍ୟକ ପଡିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ କରାଯିବା ସହ ଦଣ୍ଡବ୍ୟବସ୍ଥା କରାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଥିବା ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଉଲ୍ଲଙ୍ଘନ ପାଇଁ ଇସ୍କନକୁ ତାଗିଦ କରାଯିବାର ବେଳ ଆସିଥିବା ପୂର୍ବତନ ପୁରୀ ବିଧାୟକ ମହେଶ୍ବର ମହାନ୍ତି ସୋମବାର ମତ ଦେଇଥିଲେ। ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରା ବିଶ୍ବର ସବୁଠାରୁ ବଡବୋଲି ମୁମ୍ବାଇ ଶାଖା କର୍ମକର୍ତ୍ତାଙ୍କ ବିବୃତ୍ତି ବିବାଦକୁ ଅଧିକ ଜଟିଳ କରିଦେଇଛି।

Comments are closed.