ଆଜିଠୁ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ : ପୁଲିସ ସହାୟତା ଲୋଡ଼ିଲା ବିଏମ୍‌ସି

ଭୁବନେଶ୍ବର : କଲ୍ୟାଣ ମଣ୍ଡପଗୁଡ଼ିକୁ ସୋମବାରଠାରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକରେ ବିଏମସି ଏବଂ ବିଡିଏ ଗାଇଡଲାଇନ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିବ ସେଗୁଡ଼ିକ ସିଲ୍‌ କରି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଯାଞ୍ଚ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ସମ୍ଭାବନା ଥିବାରୁ ବିଏମ୍‌ସି କମିସନରେଟ ପୁଲିସର ସହାୟତା ଲୋଡ଼ିଛି। ସହିଦନଗର, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି ଅଞ୍ଚଳରେ ୧୫ ବିବାହ ମଣ୍ଡପ ଏବଂ କଲ୍ୟାଣ ମଣ୍ଡପଗୁଡ଼ିକ ବିଏମ୍‌ସି ଏବଂ ବିଡିଏର ନିୟମ ପାଳନ କରିନଥିବା ଜଣାପଡ଼ିଛି। ପ୍ରଥମ କରି ସହିଦନଗର ଅଞ୍ଚଳରେ ଥିବା ବେଆଇନ ବିବାହ ଏବଂ କଲ୍ୟାଣ ମଣ୍ଡପକୁ ପୂର୍ବାହ୍ନ ସାଢ଼େ ୧୦ଟାରୁ ଯାଞ୍ଚ କରାଯାଇ ମଣ୍ଡପଗୁଡ଼ିକୁ ସିଲ୍‌ କରି ଦିଆଯିବ। ପରେ ଅନ୍ୟ କଲ୍ୟାଣ ମଣ୍ଡପଗୁଡ଼ିକ ଯାଞ୍ଚ କରାଯିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ସହରରେ ୯୪ କଲ୍ୟାଣ ମଣ୍ଡପ ରହିଛି। ମଣ୍ଡପରେ ପରିମଳ ବ୍ୟବସ୍ଥା, ପାର୍କିଂ, ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକ ମୁକ୍ତସ୍ଥାନ, ଡ୍ରେନେଜ ବ୍ୟବସ୍ଥା ସଂକ୍ରାନ୍ତ କାଗଜପତ୍ର ଦାଖଲ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ସମୟସୀମା ଭିତରେ ମାତ୍ର ୩୬ କଲ୍ୟାଣ ମଣ୍ଡପ ପରିଚାଳକ କାଗଜପତ୍ର ଦାଖଲ କରିଛନ୍ତି। କାଗଜପତ୍ର ଦାଖଲ କରିଥିବା କଲ୍ୟାଣ ମଣ୍ଡପଗୁଡ଼ିକର ଅବସ୍ଥିତି ସ୍ଥଳ ପରିଦର୍ଶନ କରାଯାଇ ବ୍ୟବସ୍ଥା ଯାଞ୍ଚ କରାଯିବ। ଗାଇଡଲାଇନ୍‌ ଉଲ୍ଲଘଂନ ଥିଲେ ଉକ୍ତ ମଣ୍ଡପଗୁଡ଼ିକୁ ସିଲ୍‌ କରାଯିବ। ସେହିଭଳି ଯେଉଁ ମଣ୍ଡପଗୁଡ଼ିକ କାଗଜପତ୍ର ଦାଖଲ କରି ନାହାନ୍ତି ସେଗୁଡ଼ିକୁ ଯାଞ୍ଚ ପରେ ସିଲ୍‌ କରାଯିବ ବୋଲି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନାରୁ ଜଣାପଡ଼ିଛି।

Comments are closed.