ଟ୍ରାଫିକ କଟକଣା : ବାପୁଜୀ ନଗରକୁ ଏକପାଖିଆ ରାସ୍ତା

ପ୍ରଥମେ ସଚେତନତା, ପରେ ଜୋରିମାନା

ଭୁବନେଶ୍ବର) : ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ବାପୁଜୀ ନଗର ମାର୍କେଟରେ ୱାନ୍‌ ୱେ (ଏକପାଖିଆ) ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରାଯାଇଛି। ନିୟମ ଅବମାନନା କଲେ ଉଲ୍ଲଘଂନକାରୀଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ ହେବ। ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ। ସୂଚନାଫଳକ ଲଗାଯିବା ସହ ଟ୍ରାଫିକ ପୁଲିସର ଏକ ସ୍ବତନ୍ତ୍ର ଦଳ ସେଠାରେ ଉପସ୍ଥିତ ରହି ୧୫ଦିନ ଯାଏଁ ଲୋକଙ୍କୁ ସଚେତନ କରାଇ‌ବ। ପରେ ନିୟମ ଉଲ୍ଲଘଂନକାରୀଙ୍କଠୁ ପୁଲିସ ଜୋରିମାନା ଆଦାୟ କରିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।

ଉକ୍ତ ଅଞ୍ଚଳରେ ପାର୍କିଂ ସ୍ଥାନ ଜଗିବାକୁ ବାପୁଜୀ ନଗର ବ୍ୟବସାୟିକ କମିଟିର ସୁରକ୍ଷାକର୍ମୀଙ୍କୁ ଏସ୍‌ପିଓ ଭାବେ ନିୟୋଜିତ କରାଯିବ। ସେହିପରି ୩୫ ସ୍ଥାନରେ ହୋର୍ଡିଂ ଲଗାଇବାକୁ ବିଏମ୍‌ସିକୁ କୁହାଯାଇଛି। ନୋ ପାର୍କିଂ ଜୋନ୍‌, ପ୍ରବେଶ ଓ ପ୍ରସ୍ଥାନ ଲିଖିତ ହୋର୍ଡିଂ ଲଗାଯିବା ନିମନ୍ତେ ରବିବାର ଅପରାହ୍ଣରେ ଟ୍ରାଫିକ୍‌ ଡିସିପିଙ୍କ ସହିତ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବାପୁଜୀ ନଗର ବ୍ୟବସାୟୀ ସ୍ଥାନ ଅନୁଧ୍ୟାନ କରିଥିଲେ। ବାପୁଜୀ ନଗରରେ ଜବରଦଖଲରେ ଥିବା ଦୋକାନଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯିବା ପରେ ଉକ୍ତ ନିୟମକୁ ତ୍ବରାନ୍ବିତ କରାଯିବ।

ଅନ୍ୟ ବଜାର ଅଞ୍ଚଳରେ ଖୁବ୍‌ଶୀଘ୍ର : ବାପୁଜୀ ନଗର ପରେ ଅନ୍ୟ ବଜାର ଅଞ୍ଚଳଗୁଡ଼ିକରେ ଏଭଳି ‌େ‌ଶୖଳୀରେ ଭିଡ଼ ନିୟନ୍ତ୍ରଣ ବନ୍ଦୋବସ୍ତ କରାଯିବ। ସହିଦନଗର, ସିଆର୍‌ପି ଭଳି ବ୍ୟବସାୟିକ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ବିଏମ୍‌ସି ଏବଂ ଟ୍ରାଫିକ ପୁଲିସ ପ୍ରଶାସନ ନଜରରେ ଏବେ ଏହି ଅଞ୍ଚଳଗୁଡ଼ିକ ରହିଛି। ଏଠାରେ ବାପୁଜୀ ନଗର ଭଳି ବ୍ୟବସ୍ଥା କରାଗଲେ ସହରର ଭିଡ଼ ନିୟନ୍ତ୍ରଣ ସମସ୍ୟାରେ ସୁଧାର ଆସିପାରିବ ବୋଲି କୁହାଯାଉଛି।

କାହିଁକି ୱାନ୍‌ ୱେ  : ବାପୁଜୀ ନଗରରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଦୋକାନ ରହିଥିବା‌େ‌ବଳେ ପାର୍କିଂ ଓ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଛି। ଭିଡ଼ ଯନ୍ତ୍ରଣାରେ ଲୋକେ ଫସିଯାଇ ନୟାନ୍ତ ହେଉଛନ୍ତି। ଏହାର ସମାଧାନ ପାଇଁ ବିଏମ୍‌ସି, ପୁଲିସ ଓ ବ୍ୟବସାୟିକ ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କ ଉପସ୍ଥିତ ିରେ ଅନୁଷ୍ଠିତ ବୈଠକରେ ୱାନ୍‌ ୱେ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ନୂଆ ଯୋଜନାକୁ ଲୋକେ କେତେଦୂର ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

ୟୁନିଟ୍‌-୧ ହାଟ ସାମ୍‌ନା ରାସ୍ତା, ବାଇକ ପାର୍କିଂ କରି ଜୋରିମାନା ଦେଲେ: ରାଜମହଲରୁ ଏଜି ଛକ ରାସ୍ତାର ୟୁନିଟ୍‌-୧ ହାଟ ସାମ୍‌ନାରେ ଗତ କିଛି ଦିନ ହେବ କମିସନରେଟ୍‌ ପୁଲିସ ବାଇକ ପାର୍କିଂ ଉପରେ କଟକଣା କରିଛି। ଗତକାଲି ଏନେଇ କମିସନରେଟ ପୁଲିସ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା। ତେବେ ରବିବାର ଅପରାହ୍ଣରେ କମିିସନ​‌େ​‌ରଟ ପୁଲିସର ଏହି କଟକଣା ସତ୍ତ୍ବେ ମୁଖ୍ୟ ରାସ୍ତା ଉପରେ ବାଇକ ପାର୍କିଂ କରିଥିବା କିଛି ଚାଳକଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ୫ ଜଣଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଆଗକୁ ଏହି ଜୋରିମାନା ଜୋର୍‌ଦାର ହେବ ବୋଲି ଜଣେ ଟ୍ରାଫିକ୍‌ ଅଧିକାରୀ କହିଛନ୍ତି। ରବିବାର ଅପରାହ୍ଣରେ ଡିସିପି ଟ୍ରାଫିକ୍‌ ସାଗରିକା ନାଥ ଉକ୍ତ ରାସ୍ତା ଦେଇ ଯିବା ସମୟରେ ନୋ ବାଇକ ପାର୍କିଂ ସ୍ଥାନରେ କିଛି ବାଇକ ରଖାଯାଇଥିବା ଦେଖିଥିଲେ। ଫଳରେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିଲା।

ମତାମତ:

-ମାର୍କେଟ ଭିତରେ ଭିଡ଼କୁ ଆଖି ଆଗରେ ରଖି ଟ୍ରାଫିକ୍‌ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏହି ବ୍ୟବସ୍ଥା ଦ୍ବାରା ଭିଡ଼ କମିବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ। (ଅରୁଣ ବିଶ୍ବାସ, ସ୍ଥାନୀୟ ବାସିନ୍ଦା)

-ଥଇଥାନ ବ୍ୟବସ୍ଥା ନ କରାଯାଇ ଦୋକାନ ଉଚ୍ଛେଦ କରାଯାଇଛି। ସହରର ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଏଭଳି ସମସ୍ୟା ଦେଖାଯାଉଛି; ହେଲେ ସେଗୁଡ଼ିକ ଭଙ୍ଗାଯାଉନି। ତେବେ ବାପୁଜୀ ନଗର ମାର୍କେଟରେ ବେଶି ଗହଳି ହେଉନଥିଲେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇ ଗରିବ ଲୋକଙ୍କୁ ହଇରାଣ ହରକତ କରାଯାଉଛି। (ବାବୁଲି ସାହୁ, ଦୋକାନୀ)

Comments are closed.