ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଆଦିବାସୀ ମେଳା : ଆଦିବାସୀ ଗାଁରେ ଜମୁଛି ସହରୀ ବାବୁଙ୍କ ଭିଡ଼

ଢୋଲ, ମହୁରୀ, ଚାଙ୍ଗୁର ତାଳେ ତାଳେ ଆଦିବାସୀ ଯୁବକଯୁବତୀଙ୍କ ସାଂସ୍କୃତିକ ସନ୍ଧ୍ୟା ବେଶ୍‌ ଉପଭୋଗ୍ୟ ହେଉଛି। ୩ ଦିନ ହେଲାଣି ପ୍ରଦର୍ଶନୀ ପଡ଼ିଆକୁ ଦୁଲୁକେଇ ରଖିଛନ୍ତି ଏମାନେ। ଦେଶିଆଭାଷା ସମସ୍ତେ ଜାଣିବା ଓ ଶିଖିବା ପାଇଁ ଏଠାରେ ଏକ ପୁସ୍ତକଭଣ୍ଡାର ଶୋଭାପାଉଛି। ଏହି ଭଣ୍ଡାରରେ ବିଭିନ୍ନ ପ୍ରକାର ଆଦିବାସୀରେ ସମୃଦ୍ଧ ପୁସ୍ତକଗୁଡ଼ିକ ଓଡ଼ିଆ ଭାଷାରେ ଲେଖାଯାଇଛି।


ଟାଣାପେନୁ: ଫୁଲବାଣୀ ଜନଜାତି ଇଡ଼ୁଗୁଡ଼ି (ଘରଦ୍ୱାର) ସମ୍ମୁଖରେ ରହିଛି ‘ଟାଣାପେନୁ’ଘର। ଆଦିବାସୀମାନେ ହେଉଛନ୍ତି ପ୍ରଥମ କୃଷକ। ସେମାନେ ମାଟିଦେବତାଙ୍କୁ ପୂଜା କରନ୍ତି ଯାହା ‘ଟାଣାପେନୁ’ ଭାବେ ପରିଚିତ। ସେହିପରି ପୋଲା ଶାଳୁଆ କାଠ ଗଣ୍ଡିରେ ମାଟି ଭର୍ତ୍ତିକରି ତା’ ଉପରେ ତୁଳସୀଚାରା ଲଗାଇ ପୂଜା କରନ୍ତି ତାହାକୁ ସେମାନେ ‘ତୁଳସୀବ୍ରାହାନୁ’ କୁହନ୍ତି।
ଜନାଙ୍ଗଲସୁମ: ଗାଁରେ କୌଣସି ପର୍ବପର୍ବାଣି କରନ୍ତୁ ବା ଘରେ ଶୁଭକାର୍ଯ୍ୟ- ସବୁସମୟରେ ସେମାନେ ‘ଜନାଙ୍ଗଲସୁମା’ ଅର୍ଥାତ ଗ୍ରାମଦେବତୀଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ଏ ସବୁ ପାରମ୍ପରିକ ରୀତିନୀତିକୁ ସେମାନେ ସହରୀବାବୁଙ୍କୁ ସୂଚନା ଦେଉଛନ୍ତି ।

ଆକର୍ଷଣୀୟ କଳାକୃତି : ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ରାଜଧାନୀବାସୀଙ୍କ ମନ ଜିଣୁଛି। ଆଦିବାସୀ ଓ ଜନଜାତିଙ୍କ ହାତ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗୁଛି। ଏଥିସହ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ମେଳାର ଆକର୍ଷଣ ସାଜିଛି।

କାଗଜ କଣ୍ଢେଇ : କାଠର ନୁହେଁ କି ଲୁହା ନୁହେଁ; ଅବିକଳ ମାଟିରେ ତିଆରି କାଗଜ କଣ୍ଢେଇ। ଅଦରକାରୀ କାଗଜରୁ କଣ୍ଢେଇ ତିଆରି କରି ଗ୍ରାହକଙ୍କ ମନ ଜିଣିଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ହରିହର ସୂତାର। ପେପର, ତେନ୍ତୁଳି ମଞ୍ଜି, ତୁତୁଆ ଓ ଫେବିକଲ ଅଠାକୁ ବ୍ୟବହାର କରି ସେ ପ୍ରସ୍ତୁତ କରିଛନ୍ତି ଘର ସାଜସଜ୍ଜା ସାମଗ୍ରୀ। ପରିବାର ସଦସ୍ୟଙ୍କ ସହିତ ତାଙ୍କ ‘ଅଭଙ୍ଗା କଣ୍ଢେଇ’ ଗ୍ରୁପ୍‌ର ସମସ୍ତ ସଦସ୍ୟାଙ୍କ ସହଯୋଗରେ ପେପର କଣ୍ଢେଇ ତିଆରି କରୁଛନ୍ତି। ହରିହର ତାମିଲନାଡୁରେ ବିଭିନ୍ନପ୍ରକାରର ମୂର୍ତ୍ତି ତିଆରି କରୁଥିଲେ। ତେବେ କାଗଜରେ କଣ୍ଢେଇ ତିଆରି କରିବାକୁ ସେ ପ୍ରଥମେ ପ୍ରୟାସ ଆରମ୍ଭ କଲେ। କାଗଜକୁ ଗ୍ରାଇଣ୍ଡିଂ କରି ସେଥିରେ ଅଠା ମିଶାଇ ସୁନ୍ଦର କଣ୍ଢେଇ ତିଆରି କରାଯାଉଛି।

ମାଟିପାତ୍ରର ଆଦର: ମାଟିରେ ତିଆରି ପାତ୍ରର ଆଦର ବଢ଼ିଛି। ଆଦିବାସୀ ମେଳାରେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ମାଟିର ତାୱା, କଢ଼େଇ, ହାଣ୍ଡି, ଗ୍ଲାସ ଓ କପ୍‌ ଭଳି ବିଭିନ୍ନ ପ୍ରକାରର ଜିନିଷ ମେଳାରେ ଦେଖିବାକୁ ମିଳୁଛି। ତେ‌େ‌ବ ପୂର୍ବ ଅପେକ୍ଷା ବର୍ତ୍ତମାନ ଏହାର ଚାହିଦା ବଢ଼ିଛି ବୋଲି ନବରଙ୍ଗପୁର ଅଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି।

ଦିବ୍ୟାଙ୍ଗ ମହିଳାଙ୍କ ଦକ୍ଷତା : ସୁନ୍ଦରଗଡ଼ରୁ ଆସିଥିବା ଦିବ୍ୟାଙ୍ଗ ମହିଳା ନିର୍ମଳା ନାୟକଙ୍କ ହାତ ତିଆରି କାଠ କଳାକୃତି ଆଦିବାସୀ ମେଳାର ଅନ୍ୟତମ ଆକର୍ଷଣ ପାଲଟିଛି। ଏଥିସହ ବଣାଇଁଗଡ଼ର ୬ ଜଣ ଦିବ୍ୟାଙ୍ଗ ମହିଳାଙ୍କ ହାତର ଯାଦୁ ଦେଖିବାକୁ ମିଳିଛି। ଘର ସଜାଡ଼ିବା ପାଇଁ କର୍ଣ୍ଣର ବେସ, ପେପର ‌େ‌ୱଟ, ପେନ ଷ୍ଟାଣ୍ଡ, ସାଇକଲ, ଧୂପଷ୍ଟାଣ୍ଡ, ପେନସିଲ ବକ୍ସ, ଭଳି ବିଭିନ୍ନ ପ୍ରକାରର ଘର ସାଜସଜ୍ଜା ସାମଗ୍ରୀ ସବୁ ଦେଖିବାକୁ ମିଳୁଛି। ଏହି ସବୁ ସାମଗ୍ରୀ ୩୦ଟଙ୍କାରୁ ଆରମ୍ଭ କରି ୫୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ବ୍ୟବସାୟରେ ସେମାନେ ମାସକୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ବୋଲି ‌ସେ କହିଛନ୍ତି।

ମେଳାରେ ଏଚ୍‌ଆଇଭି ପରୀକ୍ଷା : ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାରେ ଏକ ଏଚ୍‌ଆଇଭି ଚିହ୍ନଟ ଶିବିର ଖୋଲାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମେଳା ଭଳି ଏକ କାର୍ଯ୍ୟକ୍ରମ ଅବସରରେ ଲୋକେ ରକ୍ତ ପରୀକ୍ଷା ପାଇଁ ଏହି ଶିବିରକୁ ଆସୁଥିବା ଦେଖାଯାଇଛି। ମେଳା ବୁଲିବାକୁ ଆସିବା ଅବସରରେ ଲୋକେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଭୁଲି ନାହାନ୍ତି। ସମ୍ପୂର୍ଣ୍ଣ ବିଧିବ୍ୟବସ୍ଥା ଅନୁସାରେ ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି। ଆଜି ଦ୍ବିତୀୟ ଦିନରେ ଓସାକ୍ସ ଷ୍ଟଲ୍‌କୁ ଶତାଧିକ ଦର୍ଶକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ଷ୍ଟଲ୍‌ ଉଦ୍‌ଘାଟନ କରିବା ଅବସରରେ ଓସାକ୍ସ ପ୍ରକଳ୍ପ ନିର୍ଦେଶିକା ଗୁହା ତାପସ ପୁନମ କୁମାର କହିଥିଲେ, ଓଡ଼ିଶା ଅତ୍ୟଧିକ ଆଶଙ୍କାପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉ ନଥିଲେ ସୁଦ୍ଧା ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଏଚ୍‌ଆଇଭି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବା ସହ ଦୀର୍ଘଦିନ ଧରି ସୁସ୍ଥ ଜୀବନଯାପନ ପାଇଁ ଏଆରଟି ଔଷଧ ଦିଆଯାଉଛି। ସଂକ୍ରମଣର ସନ୍ଦେହ ଥିଲେ ୩ ମାସ ମଧ୍ୟରେ ଏଚ୍‌ଆଇଭି ପରୀକ୍ଷା କରାଇନେବା ଜରୁରୀ। ଆଦିବାସୀ ମେଳାରେ ଓସାକ୍ସ ଷ୍ଟଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ସଂଖ୍ୟାରେ ଲୋକ ଆସିବା ସନ୍ତୋଷଜନକ ବୋଲି ସେ କହିଛନ୍ତି। ଅପରପକ୍ଷେ ସାଧାରଣତନ୍ତ୍ର ଦିବସ ଅବସରରେ ଓସାକ୍ସ ପକ୍ଷରୁ ଏକ ପ୍ରଜ୍ଞାପନ ମେଢ଼ ଜରିଆରେ ବିଭିନ୍ନ ସେବା ଓ ସଚେତନ ବାର୍ତ୍ତା ସମ୍ପର୍କରେ ସୂଚନା ଦିଆଯାଇଥିଲା।

Comments are closed.