କ୍ରୀଡ଼ା ସହିତ ଓଡ଼ିଶା ସବୁବେଳେ ରହିଛି: ମୁଖ୍ୟମନ୍ତ୍ରୀ

କ୍ରୀଡ଼ା ସୃଜନଶୀଳ ମହୋତ୍ସବ ସ୍ପୋର୍ଟସ ଆଇଟି ଉଦ୍‌ଯାପିତ

ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଜାଭିୟର ଏମ୍‌ଲିୟନ ବାଣିଜ୍ୟ ବିଦ୍ୟାଳୟର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଚାଲିଥିବା ଦେଶର ପ୍ରଥମ କ୍ରୀଡ଼ା ସୃଜନଶୀଳ ମହୋତ୍ସବ (ସ୍ପୋର୍ଟସ ଇନୋଭେସନ ଫେଷ୍ଟିଭାଲ) ସ୍ପୋର୍ଟସ ଆଇଟି-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ରବିବାର ମଧ୍ୟାହ୍ନରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, କ୍ରୀଡ଼ାର ବିକାଶ ଓ କ୍ରୀଡାବିତ୍‌ଙ୍କୁ ଆଗକୁ ବଢିବା ନେଇ ଓଡ଼ିଶା ସବୁବେଳେ ପ୍ରୋତ୍ସାହିତ କରିଆସୁଛି। କ୍ରୀଡ଼ା ସହିତ ସଦାସର୍ବଦା ଓଡ଼ିଶା ରହିଆସିଛି। ରାଜ୍ୟ ଓ ଜାତୀୟ କ୍ରୀଡ଼ାକୁ ଆଗକୁ ନେବା ନେଇ ଆମେ କାର୍ୟ୍ୟ କରୁଛୁ। ଏଥିପାଇଁ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ। କ୍ରୀଡ଼ା ସୃଜନଶୀଳ ମହୋତ୍ସବ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟିକରିଛି।

ବିଶେଷକରି ଯୁବବର୍ଗଙ୍କ ଭିତରେ କ୍ରୀଡ଼ା ପ୍ରତି ଜାଗ୍ରତ ମନୋଭାବ ସୃଷ୍ଟିହେବ। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଗୁରୁତ୍ବ ଦିଆଯାଉଛି। ବିଶ୍ବର ଏକ ଅଗ୍ରଣୀ କ୍ରୀଡ଼ା ପ୍ରତିଷ୍ଠାନ ଭାବେ ଗଢିତୋଳିବା ନେଇ ଆ​‌େ​‌ମ ଲକ୍ଷ୍ୟ ପଥରେ ଆଗେଇ ଚାଲିଛୁ। ଓଡ଼ିଶା ଦ୍ବିତୀୟ ବର୍ଷ ପାଇଁ ହାସଲ କରିଥିବା ସ୍ପୋର୍ଟସଷ୍ଟାର ଏସ୍ ପୁରସ୍କାର ହାସଲ କରିଛି। ଏକାଧିକ କ୍ରୀଡ଼ାରେ ହାଇପର୍ଫର୍ମାନ୍‌ସ ସେଣ୍ଟର ନିର୍ମାଣ କରା ଯାଇଥିବା ବେଳେ ଆଉ କିଛି କ୍ରୀଡ଼ାରେ ଆୟୋଜନ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, କ୍ରୀଡ଼ା ସୃଜନଶୀଳ ମହୋତ୍ସବ ସ୍ପୋର୍ଟସ ଆଇଟି କ୍ରୀଡ଼ାବିତ୍‌ଙ୍କୁ କ୍ରୀଡ଼ା ବିଷୟରେ ସୂଚନା ଦେବାରେ ସହାୟକ ହୋଇଛି। ବିଶେଷକରି ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ। ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ବିନୀଳ କ୍ରିଷ୍ଣା ପ୍ରମୁଖ କ୍ରୀଡ଼ା ସୃଜନଶୀଳ ସ୍ପୋର୍ଟସ ଆଇଟି ଓଡ଼ିଶାରେ ତଥା ଯୁବପିଢିଙ୍କ ମଧ୍ୟରେ ଖେଳ ପ୍ରତି ଉତ୍ସାହ ଭରିବ ବୋଲି ମତବ୍ୟକ୍ତ କରିଥିଲେ। ଏକ୍ସଇବିଏସ୍‌ ଅଧ୍ୟକ୍ଷ ଆସ୍‌ଲେ ଫର୍ଣ୍ଣାଣ୍ଡିଜ୍‌, ଜାଭିୟର ବିଶ୍ବବିଦ୍ୟାଳୟ କୁଳପତି ଫାଦର ଟୋନି ଉଭାରୀ ଏସ୍‌.ଜେ, ଗୁପ୍ତା ପାୱାର ପରିଚାଳନା ନିର୍ଦେଶକ ମହେନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରୀଡ଼ା ଉଭାବନ ସ୍ପୋର୍ଟସ ଆଇଟି ମହୋତ୍ସବରେ ଫୁଟବଲ, ହକି, କ୍ରିକେଟ, ସନ୍ତରଣ, କରାଟେ, ଭାରୋତ୍ତୋଳନ, ଟେବୁଲ ଟେନିସ ଆଦି କ୍ରୀଡ଼ା ଉପରେ ଆଲୋଚନା କରା ଯାଇଥିଲା। ଏଥିରେ ୧୨ଟି ପ୍ରମୁଖ କ୍ରୀଡ଼ାର ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

Comments are closed.