ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମାଟ୍ରିକ୍‌ ଶୂନ ଫଳ ଚିନ୍ତା : ‘ମିଶନ ଜିରୋ ରେଜଲ୍ଟ’ ପାଇଁ ତତ୍ପରତା

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମାଟ୍ରିକ୍‌ ପରୀକ୍ଷାରେ ଫଳ ଶୂନ ବିଦ୍ୟାଳୟ ସଂଖ୍ୟା କମାଇବାକୁ ଅଣ୍ଟା ଭିଡ଼ିଛି। ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଛି। ଏହାର ସ୍ଥିିତି ପରଖିବାକୁ ବିଭିନ୍ନ ଜିଲାର ଶୂନ ଫଳ ହୋଇଥିବା ବିଭିନ୍ନ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଭେଟୁଛନ୍ତିି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଅନ୍ୟ ପଦାଧିକାରୀ।

ଆସନ୍ତା ମାଟ୍ରିକ୍‌ ପରୀକ୍ଷାରେ ଶୂନ ଫଳ ବିଦ୍ୟାଳୟ ସଂଖ୍ୟା କମାଇବାକୁ ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯାଇଥିବାବେଳେ ଏଥିରେ ସାମିଲ ହେବାକୁ ଜିଲା ସଂଖ୍ୟା ବଢିବାରେ ଲାଗିଛି। ପ୍ରଥମେ କଟକ ଜିଲାରେ ଶୂନ ଫଳ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କେନ୍ଦ୍ରାପଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲା ସାମିଲ ହୋଇଥିବାବେଳେ ଖୋଦ୍‌ ଜିଲାପାଳମାନେ ଏହାକୁ ସଫଳ କରିବାକୁ ଅଣ୍ଟା ଭିଡୁଛନ୍ତିି। ପୂର୍ବରୁ ଟେଷ୍ଟ ପରୀକ୍ଷା ପରେ ସବୁ ବିଦ୍ୟାଳୟରେ ପାଠ ପଢା ବନ୍ଦ କରାଯାଇଥିବାବେଳେ ଏଥର ବିଭାଗ ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ଯାଏଁ ରାଜ୍ୟର ସବୁ ବିଦ୍ୟାଳୟରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ।

ଏହି ମିଶନକୁ ସଫଳ କରିବା ପାଇଁ ବିଭାଗ ପକ୍ଷରୁ ନୂଆ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟରେ ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ମେଧା ବିଦ୍ୟାର୍ଥୀଙ୍କ ସହ ମିଶାଇ ଏକ ଗ୍ରୁପ୍‌ ଗଠନ କରାଯାଇଛି। ନିୟମିତ ଭାବେ ବିଦ୍ୟାଳୟରେ ୩୧ ତାରିଖ ଯାଏଁ ପରୀକ୍ଷା ପାଇଁ ବିଭିନ୍ନ ସେଟ୍‌ର ପ୍ରଶ୍ନପତ୍ରକୁ ଅଭ୍ୟାସ କରାଯାଇଛି। ପରୀକ୍ଷା ଭୟ ଦୂର ପାଇଁ ପ୍ରଶ୍ନପତ୍ର ଅଭ୍ୟାସ ଓ ପରୀକ୍ଷା କରି ବିଦ୍ୟାର୍ଥୀଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରୟାସ କରାଯାଇଛି। ମୁଖ୍ୟତଃ ଯେଉଁ ବିଦ୍ୟାର୍ଥୀ ଟେଷ୍ଟ ପରୀକ୍ଷାରେ କମ୍‌ ନମ୍ବର ରଖିଛନ୍ତି ସେମାନଙ୍କର ତାଲିକା ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ବିଦ୍ୟାର୍ଥୀ କିଭଳି ଭଲ ଫଳ କରିପାରି​‌େ​‌ବ ସେମାନଙ୍କ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକ ଧ୍ୟାନ ଦେବେ। ବହୁ ଜିଲା ନିଜେ ଏହି ମିଶନରେ ସାମିଲ ହେଉଥିବାବେଳେ ଏହାକୁ ସବୁ ଜିଲାରେ ପାଳନ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଛି। ବିଭାଗୀୟ ମନ୍ତ୍ରୀ ସୋନପୁର, ବୌଦ୍ଧ, ଯାଜପୁର ଓ କୋରାପୁଟ ଭଳି ବିଭିନ୍ନ ଜିଲା ଗସ୍ତ କରି ଏହା ଯୋଜନା କିଭଳି ଭାବେ ସଫଳ ହୋଇପାରିବ ସେ ସମ୍ବନ୍ଧରେ ଜିଲାର ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କିଭଳି ଭାବେ ଶୂନ ଫଳ କମିପାରିବ ତାକୁ ନେଇ ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା କରାଯାଇଛି। ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଶୂନ ଫଳ ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଇଁ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଛି। ସବୁ ଜିଲାରେ କିଭଳି ଭାବେ ଏହି ଯୋଜନା ସଫଳ ହୋଇପାରିବ ସେ ଦିଗରେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନୂଆ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଛି। ମୁଁ ନିଜେ ବିଭିନ୍ନ ସ୍ଥାନ ବୁଲି ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିବା ସହ ସ୍ଥିତି ପରଖିଛି। ଶିକ୍ଷକ ଓ ଶିକ୍ଷୟିତ୍ରୀ ଚଳିତବର୍ଷ ଭଲ ଫଳ କରିବାକୁ ପ୍ରୟାସ କରୁଥିବା ଗସ୍ତ ସମୟରେ ଦେଖିବାକୁ ମିଳିଛି। ଅଭିଭାବକମାନେ ଅଧିକ ସଚେତନ ହେବା ସହ ବିଦ୍ୟାର୍ଥୀ ପାଠପଢିବାକୁ ପ୍ରବର୍ତ୍ତାଇବା ଦରକାର। ବିଭାଗର ଏହି ମିଶନକୁ ସଫଳ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।

Comments are closed.