ଦେଶବ୍ୟାପୀ ଶ୍ରମିକ ସଂଗଠନ ଧର୍ମଘଟ : ରାଜ୍ୟରେ ୬୫୦୦ କୋଟିର କାରବାର ବନ୍ଦ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣନୀତି ସହ ବେକାରୀ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ବୁଧବାର ଦେଶବ୍ୟାପୀ ଭାରତ ବନ୍ଦ ଅନୁଷ୍ଠିତ ହୋଇଯାଇଛି। ୧୨ ଦଫା ଦାବି ନେଇ ଦିଆଯାଇଥିବା ଏହି ୨୪ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ସମଗ୍ର ଦେଶରେ ଅନୁଭୂତ ହୋଇଛି। ବୁଧବାର ସକାଳୁ ସକାଳୁ ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ରାଜ୍ୟର ବିଭିନ୍ନ ସହରର ରାସ୍ତାରେ ଗାଡି ଗଡି ନ ଥିଲା। ଏଥିଯୋଗୁ ରେଳ, ବସ୍, ଅଟୋ ଏବଂ ଅନ୍ୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏହାଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବନ୍ଦ ଡାକରାର ଏକ ବଡ ପ୍ରଭାବ ରାଜ୍ୟର ବ୍ୟବସାୟ କାରବାର ଉପରେ ପଡିଛି। ଏଥିଯୋଗୁ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ବ୍ୟାଙ୍କ, ବୀମା ଏବଂ ପେଟ୍ରୋଲ୍‍ ପମ୍ପଗୁଡିକରେ କାରବାର ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ବନ୍ଦ ଯୋଗୁ ରାଜ୍ୟରେ ଉଭୟ ବ୍ୟବସାୟ ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୬୫୦୦ କୋଟିରୁ ଅଧିକ ଟଙ୍କାର କାରବାର ପ୍ରଭାବିତ ହୋଇଛି।

ଶ୍ରମିକ ସଂଗଠନଗୁଡିକର ବନ୍ଦ ଡାକରାର ପ୍ରଭାବ ଆଜି ରାଜ୍ୟରେ ତୀବ୍ର ଅନୁଭୂୂତ ହୋଇଛି। ବ୍ୟାଙ୍କ, ବୀମା, କୋଇଲା, ତୈଳ, ପ୍ରତିରକ୍ଷା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ପରିବହନ କ୍ଷେତ୍ରର ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା ା ଧର୍ମଘଟ ଯୋଗୁ ରାଜଧାନୀ ଭୁବନେଶ୍ୱରରେ ହାଟ, ବଜାରଠାରୁ ଆରମ୍ଭ କରି ବଡ ଶପିଂ ମଲ୍‍ ଓ ବିଭିନ୍ନ େଛାଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବନ୍ଦ ଡାକରାକୁ ଅଟୋ ମହାସଂଘ ସମର୍ଥନ ଜଣାଇଥିବା ଦୃଷ୍ଟିରୁ ଆଜି ରାଜଧାନୀରେ ଅଟୋ ଚଳାଚଳ ପ୍ରାୟତଃ ବନ୍ଦ ରହିଥିଲା ା ଯେଉଁଠାରେ କାଁ ଭାଁ ବ୍ୟବସାୟ ପ୍ରତିଷ୍ଠା ଖୋଲା ରହିଥିଲା ତାହାକୁ ଆନ୍ଦୋଳନକାରୀମାନେ ପିକେଟିଂ କରି ବନ୍ଦ କରିଥିଲେ। ଏହି ବନ୍ଦ ଯୋଗୁ ରାଜ୍ୟରେ ବ୍ୟାଙ୍କିଙ୍ଗ୍‌କୁ ଛାଡିଦେଲେ ପାଖାପାଖି ୧୫୦୦ କୋଟିର କାରବାର ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଧର୍ମଘଟ ଯୋଗୁ ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଆଇଗିଣିଆଠାରେ କେତେକ ଗୋଦାମ ଖୋଲା ରହିଥିଲେସୁଦ୍ଧା ସେଗୁଡିକରେ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାଛଡା ଏକ ନମ୍ବର ଏବଂ ମାର୍କେଟ୍‍ ବିଲ୍ଡିଂଠାରେ କାରବାର ମଧ୍ୟ ପ୍ରଭାବିତ ହୋଇଥିଲା। ଧର୍ମଘଟ​‌କୁ ଏଆଇବିଇଏ,ଏଆଇବିଓଏ ଏବଂ ବେଫି ଭଳି ବ୍ୟାଙ୍କ ସଂଘର କର୍ମଚାରୀ ଏବଂ ଅଫିସର ସମର୍ଥନ କରି ସେଥିରେ ସାମିଲ ହୋଇଥିଲେ। ଏଥିରେ ରାଜ୍ୟରେ ପ୍ରାୟ ୮୦୦୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ଯୋଗଦେଇଥିଲେ। ଧର୍ମଘଟ ପ୍ରଭାବରେ ଓଡ଼ିଶାରେ ପାଖାପାଖି ୩୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା। ଏହାଛଡା ଖୋଲାଥିବା ବ୍ୟାଙ୍କ ଶାଖାକୁ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ବନ୍ଦ କରିଥିଲେ। ଏହି ବନ୍ଦ ପାଳନ ଯୋଗୁ ରାଜ୍ୟର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୫୦୦୦ କୋଟିରୁ ଅଧିକ ଟଙ୍କାର କାରବାର ପ୍ରଭାବିତ ​ହୋଇଥିବା ଏଆଇବିଇଏର ରାଜ୍ୟ ସାଧାରଣ ସମ୍ପାଦକ ପି.କେ. ତ୍ରିପାଠୀ କହିଛନ୍ତି। ତେବେ ଏଟିଏମ୍‌ ​ସେବା ଉପରେ ବନ୍ଦର କୌଣସି ପ୍ରଭାବ ଅନୁଭୂତ ହୋଇ ନ ଥିଲା ା ବନ୍ଦ ପାଳନ ଯୋଗୁ ରାଜ୍ୟକୁ ବାହାର ରାଜ୍ୟରୁ ଟ୍ରକ ଆସି ନ ଥିଲା। ଗଣ୍ଡଗୋଳ ଆଶଙ୍କା କରି ଗାଡିମାଲିକମାନେ ଏ କ୍ଷେତ୍ରରେ କୌଣସି ପ୍ରକାର ରିସ୍କ ନେବାକୁ ଚାହିଁ ନ ଥିଲେ ବୋଲି ରାଜ୍ୟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ କହିଛନ୍ତି। ଅନେକ ଗାଡି ରାଜ୍ୟ ସୀମାରେ ଅଟକି ରହିଥିବା ଜଣାଯାଇଛି। ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ସର୍ବଭାରତୀୟ ଆର୍‌ବିଆଇ ୱାର୍କସ ୟୁନିଅନର କର୍ମକର୍ତ୍ତାମାନେ ଭୁବନେଶ୍ବରସ୍ଥିତ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧର୍ମଘଟ କରିଥିଲେ।

Comments are closed.