ଜବରଦଖଲରେ ପ୍ରାକୃତିକ ନାଳ : ପୋତିଦେଲେଣି ପୋଖରୀ

ଭୁବନେଶ୍ବର : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ପୋଖରୀ ଏବେ ସତ୍ତା ହରାଇବାକୁ ବସିଲାଣି। କେଉଁଠି ଲୋକେ ଚାରିପାଖ ମାଡ଼ି ବସିଲେଣି ତ ଆଉ କେଉଁଠି ପୋତି ଦେଲେଣି। ପୁଣି ଅନେକ ପୋଖରୀର ଚିହ୍ନବର୍ଣ୍ଣ ନାହିଁ। ଅଧିକାଂଶ ପୋଖରୀରେ ସହରର ଆବର୍ଜନା ଭାସୁଛି। ଏହାକୁ ସୁରକ୍ଷିତ ରଖିବା ଏବଂ ଏହାର ବିକାଶ କରିବା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର କାର୍ଯ୍ୟ ହୋଇଥିଲେ ମଧ୍ୟ ଏବେ ସାବତ ପୁଅ ପରି ଅବହେଳିତ ହୋଇ ପଡ଼ି ରହିଛି।

ବିଏମ୍‌ସିି ସୂଚନାନୁସାରେ ଏବେ ସହରରେ ୭୪ ପୋଖରୀ ରହିଛି। ୱାର୍ଡ ନଂ ୩ରେ ୪, ୱାର୍ଡ ନଂ ୪ରେ ୬, ୱାର୍ଡ ନଂ ୫ରେ ଗୋଟିଏ, ୱାର୍ଡ ନଂ ୯ରେ ଦୁଇଟି, ୧୦ରେ ଗୋଟିଏ, ୧୮ରେ ଗୋଟିଏ, ୧୯ରେ ଗୋଟିଏ, ୨୨ରେ ଗୋଟିଏ, ୨୩ରେ ଦୁଇଟି, ୩୨ରେ ଗୋଟିଏ, ୩୩ରେ ଦୁଇଟି, ୩୪ରେ ଗୋଟିଏ, ୩୭ରେ ଦୁଇଟି, ୪୩ରେ ଚାରୋଟି, ୪୪ରେ ତିନୋଟି, ୪୫ରେ ଗୋଟିଏ, ୪୯ରେ ଗୋଟିଏ, ୫୦ରେ ଦୁଇଟି, ୫୩ରେ ଦୁଇଟି, ୫୪ରେ ଚାରୋଟି, ୫୫ରେ ଦୁଇଟି, ୫୭ରେ ଗୋଟିଏ, ୫୯ରେ ଚାରୋଟି, ୬୦ରେ ସାତଟି, ୬୧ରେ ଗୋଟିଏ, ୬୨ରେ ଗୋଟିଏ, ୬୩ରେ ଦୁଇଟି, ୬୪ରେ ତିନୋଟି, ୬୭ରେ ସାତଟି, ୬୮ରେ ଗୋଟିଏ ଏପରି ୭୩ଟି ପୋଖରୀ ରହିଛି। ସେଥିରୁ ଏଏସ୍‌ଆଇ ଅଧୀନରେ ୨୦ଟି ରହିଥିବା ବେଳେ ଟେମ୍ପୁଲ ଟ୍ରଷ୍ଟ ଅଧୀନରେ ଦୁଇଟି ରହିଛି। ପ୍ରାୟ ସମସ୍ତ ପୋଖରୀ କିଛି ନା କିଛି ଜବରଦଖଲରେ ରହିଛି। ଏହାଛଡ଼ା ପ୍ରାକୃତିକ ନାଳଗୁଡ଼ିକ ମଧ୍ୟ ଜବରଦଖଲରୁ ମୁକୁଳି ପାରୁନାହାନ୍ତି।

ଜଣେ ବୟସ୍କ ବାସିନ୍ଦାଙ୍କ କହିବା ଅନୁସାରେ ଭୁବନେଶ୍ବରରେ ଛୋଟବଡ଼ ୧୦୦୦ରୁ ଅଧିକ ଜଳାଶୟ ଥିଲା। ସେଥିମଧ୍ୟରୁ ଜନବସତି ସ୍ଥାନରେ ଗୋଟିଏ ଗୋଟିଏ ପୋଖରୀ ଥିଲା। ଏବେ ଘରେ ଘରେ ହାଇ ଲେଭଲ ବୋରିଂ ବସୁଛି। ଯୋଗାଣ ପାଣି ମଧ୍ୟ ଘରକୁ ଯାଉଛି। ସେଥିପାଇଁ ପୋଖରୀକୁ ଭୁଲି ଯାଉଛନ୍ତି।

  • କୁଆଡ଼େ ଗଲା ସୌନ୍ଦର୍ଯ୍ୟକରଣ :  ପୋଖରୀ ଚାରିପାଖ ସରକାରୀ ଜମି ଚିହ୍ନଟ କରାଯାଇ ଫଳକ ଲଗାଯିବ। ଏହାପରେ ଏହା ଚାରିପାଖରେ ସୁଦୃଢ଼ ବନ୍ଧ ଦିଆଯିବା ସହିତ ବିଦ୍ୟୁତ୍‌ ଆଲୋକ, ବର ଓ ଅଶ୍ବତ୍‌ଥ ବୃକ୍ଷ ଏବଂ ଫୁଲ ଗଛ ରୋପଣ, ବସିବା ପାଇଁ ସିମେଣ୍ଟ ଚୌକି ଏବଂ ପାହାଚମାନ ନିର୍ମାଣ କରିବାକୁ ବିଏମ୍‌ସି ପଦକ୍ଷେପ ନେଇଥିଲା । ଏଥିପାଇଁ ଯୋଜନା ଏବଂ ବଜେଟ୍‌ ମଧ୍ୟ ପ୍ରସ୍ତୁତି ହୋଇଥିଲ। ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ବିଏମ୍‌ସି ଏହାକୁ କାର୍ଯ୍ୟରେ ପରିଣତ କରିନଥିଲା। ସେଥିପାଇଁ ଏବେ ସହଜରେ‌ ଲୋକମାନେ ଜବରଦଖଲ କରିବା ସହିତ ପୋଖରୀରେ ଅଳିଆ ଆବର୍ଜନ ପକାଉଛନ୍ତି। ପାଣି ପରିଷ୍କାର ନ ଥିବାରୁ ବାସିନ୍ଦା ଏହାକୁ ବ୍ୟବହାର କରୁ ନାହାନ୍ତି।

  • ଅଟକିଛି ପୁନରୁଦ୍ଧାର : ପୋଖରୀ ପୁନରୁଦ୍ଧାର ପାଇଁ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରୁ ବିଏମ୍‌ସି ୨୭ କୋଟି ଟଙ୍କା ଋଣ କରିଥିଲା। ୧୪ଟି ପୋଖରୀର ପୁନରୁଦ୍ଧାର କରି ମତ୍ସ୍ୟ ଚାଷ ପାଇଁ ଘରୋଇ ସଂସ୍ଥାକୁ ଦିଆଯିବ ବୋଲି ପ୍ରସ୍ତାବ ରହିଥିଲା। ଏହି କାମ ମାର୍ଚ୍ଚ ୨୦୧୬ରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏ ଶେଷ ହେଉନାହିଁ। ମାର୍ଚ୍ଚ ୨୦୧୮ ଯାଏ ଏହି କାମ ଶେଷ କରି ଆଞ୍ଚଳିକ ବିକାଶ କମିଟି(ଜେଡିିସି)କୁ ହସ୍ତାନ୍ତର କରାଯିବାର ଥିଲା। ସେଥିରୁ ୧୨ଟିର ପୁନରୁଦ୍ଧାର କରାଯାଇଛି। ଲକ୍ଷ୍ମୀସାଗର ଏବଂ ସୁନ୍ଦରପଦା ହଜ ଭଳି ବଡ଼ ପୋଖରୀର ପୁନରୁଦ୍ଧାର କରାଯାଇନାହିଁ। ଏହି କାମ ଅଧାରେ ଲଟକିଛି। ପ୍ରାକୃତିକ ଜଳଉତ୍ସଗୁଡ଼ିକୁ ଲିଜ୍‌ ସୂତ୍ରରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ଅନେକ ପରିବେଶବିତ ନାପସନ୍ଦ କରିଛନ୍ତି। ହେଲେ ପୁନରୁଦ୍ଧାର ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ବିଶେଷକରି ଲକ୍ଷ୍ମୀସାଗର ପୋଖରୀରେ ଏପରି ଦଳ ରହଛି ତାକୁ ପରିଷ୍କାର କରିବା ନିମନ୍ତେ ବିଏମ୍‌ସି ପକ୍ଷେ ଆବଶ୍ୟକ ଯନ୍ତ୍ରପାତି ଅଭାବ ରହିଥିବା ଜଣାପଡ଼ିଛି। ଏହାଛଡ଼ା ଜବରଦଖଲ ଉଚ୍ଛେଦ ପାଇଁ ମଧ୍ୟ ଆଇନଗତ ସମସ୍ୟା ରହିଛି। ସୁନ୍ଦରପଦା ଅବସ୍ଥା ମଧ୍ୟ ଏପରି ରହିଛି।

  • ବିଏମସି ଘାରିଛି ଛାତ ଜଳ ସଂରକ୍ଷଣ ଚିନ୍ତା :  ଗୋଟିଏ ପଟେ ପ୍ରାକୃିତକ ଜଳ ଉତ୍ସକୁ ପୋତି ଦିଆଯାଉଛି। ଜବରଦଖଲ କରି ଘର କରାଯାଉଛି। କୂଅ, ପୋଖରୀ, ଝରଣା ପୁନରୁଦ୍ଧାର କରା ନ ଯାଇ ଜବରଦଖଲକାରୀଙ୍କ ହାତକୁ ଠେଲି ଦିଆଯାଉଛି। ଅନ୍ୟ ପଟେ ବର୍ଷା ଜଳ ସଂରକ୍ଷଣ ପାଇଁ ଚିନ୍ତା କରାଯାଉଛି। ଯେଉଁ ପ୍ରାକୃତିକ ଜଳଉତ୍ସ ଭୂତଳ ଜଳସ୍ତର ସ୍ଥିର ରଖିବାରେ ସକ୍ଷମ ସେ କଥା ଚିନ୍ତା କରାଯାଉନି, ହେଲେ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ସହରରେ କୋଠା ଛାତ ଉପରେ ବର୍ଷାଜଳ ଅମଳ ବ୍ୟବସ୍ଥା (ବର୍ଷା ଜଳ ସଂରକ୍ଷଣ କରାଯାଇ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବା) ପାଇଁ ବିଡିଏ ନିର୍ଦେଶ ଜାରି କରିଛି। ସହରରେ ୩୦୦ ବର୍ଗ ଫୁଟ୍‌ର କୋଠା ଘର କଲେ ବର୍ଷା ଜଳ ଅମଳ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

Comments are closed.