ଫେରିବ ଶୀତ : ୮ରେ ବର୍ଷା, ତାପମାତ୍ରା ୫ ଡିଗ୍ରୀ କମିବ

ଭୁବନେଶ୍ବର : ସୋମବାର ଠାରୁ ପୁଣି ଫେରିବ ଶୀତ। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ଲାଗିରହିବ। ଆକାଶରୁ ବାଦଲ ହଟିବା ସହ ପାରଦ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ଏକରୁ ଦୁଇ ଡିଗ୍ରୀ ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ହାଲୁକା ଶୀତ ଅନୁଭୂତ ହୋଇଛି। ଆସନ୍ତା କାଲି ଠାରୁ ଆକାଶ ମେଘମୁକ୍ତ ହେବା ପରେ ଶୀତର ମାତ୍ରା ବୃଦ୍ଧି ପାଇବ। ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ। ସଂଧ୍ୟା ପରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ଅଛି। ଅନୁଗୋଳ, ଦାରିଙ୍ଗବାଡ଼ି, ସୋନପୁର, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼, ବାଲେଶ୍ବର, ମୟୂରଭଞ୍ଜ ଆଦି ସ୍ଥାନରେ ଜାଡ଼ ଅଧିକ ରହିବ। ୬ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ ୮ତାରିଖ ରାତିରୁ ୯ତାରିଖ ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାପରେ ପାଗ ବଦଳିବାର ସମ୍ଭାବନା ଅଛି। ସେହିପରି ଆସନ୍ତା ତିନି ଦିନ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। ବୁଧବାର ପର୍ଯ୍ୟନ୍ତ କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କଟକ ଓ ଖୋର୍ଦ୍ଧା ଆଦି ଜିଲାମାନଙ୍କରେ ଘନ କୁହୁଡ଼ି ଦେଖାଦେବ।

ଗତ ରାତିରେ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୧୧.୭, ଦାରିଙ୍ଗିବାଡ଼ି ଓ ସୁନ୍ଦରଗଡ଼ରେ ୧୨, ସୋନପୁରରେ ୧୨.୬, ବାଲେଶ୍ବରରେ ୧୩.୧, କଟକରେ ୧୩.୫, ଭୁବନେଶ୍ବରରେ ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.