ଯୋଗାଣ ବିଭାଗରେ ଆର୍ଥିକ ସଙ୍କଟ ଜଳଜଳ

ଭୁବନେଶ୍ବର : ପ୍ରତିବର୍ଷ ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ଧାନ କିଣା ହେଉଛି, କିନ୍ତୁ ଏପଟେ ସେହି ଧାନ କିଣା ପାଇଁ ଏବେ ଓଡ଼ିଶା ରାଜ୍ୟ ଖାଉଟି ଯୋଗାଣ ନିଗମ ଲିମିଟେଡ୍‌ (ଓଏସ୍‌ସିଏସ୍‌ସି) ପ୍ରବଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କଠାରୁ ସବ୍‌ସିଡି ଅର୍ଥ ପାଇବା ପୂର୍ବରୁ ନିଗମ ବ୍ୟାଙ୍କରୁ କରିଥିବା ଋଣ ଉପରେ ସୁଧହାର ଆକାଶ ଛୁଇଁଲାଣି। ଏତିକି ନୁହେଁ ବ୍ୟାଙ୍କ ଋଣ ଅର୍ଥ ଓ ସୁଧ ମଧ୍ୟରେ ତାଳମେଳ ନାହିଁ। ଏଥିସହ ଗତ ୧୦ ବର୍ଷର ବକେୟା ରାଶି କେନ୍ଦ୍ର ସରକାର ଚୂଡ଼ାନ୍ତ କରିନଥିବାରୁ ନିଗମ ମୁଣ୍ଡ ଉପରେ ଅଜଣା ଦେୟ ଭାର ବଢ଼ି ଚାଲିଛି।

ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨୦୧୫ ଅକ୍ଟୋବର ୩ରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଧାନ ସଂଗ୍ରହ ବାବଦକୁ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଆଗୁଆ ହିସାବ କରାଯାଇ ପ୍ରତି ୩ ମାସର ପ୍ରଥମ ମାସରେ ୯୦ ପ୍ରତିଶତ ଅର୍ଥ ସବ୍‌ସିଡି ଆକାରରେ କେନ୍ଦ୍ର ସରକାର ପ୍ରଦାନ କରିବ। ପରବର୍ତ୍ତୀ ସମୟରେ ଅଗ୍ରିମ ଅର୍ଥକୁ ବାଦ ଦିଆଯାଇ ପ୍ରୋଭିଜନାଲ୍ ସବସିଡ଼ି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରିବା ନେଇ ଚୁକ୍ତି ହୋଇଛି। ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା, ଖାଉଟି ଯୋଗାଣ ନିଗମ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସବ୍‌ସିଡି ବାବଦକୁ କେନ୍ଦ୍ର ସରକାରଙ୍କ ଉପରେ ଯୋଗାଣ ନିଗମ ୨୦୬୬ କୋଟି ଟଙ୍କା ବକେୟା ରହି ଥିବାବେଳେ ୨୦୧୯ ବର୍ଷରେ ଡିସେମ୍ବର ୩୧ ତ୍ରୈମାସରେ ଅଗ୍ରିମ ସବ୍‌ସିଡି ବାବଦରେ ରାଜ୍ୟକୁ ୧୩୪୦ କୋଟି ଟଙ୍କା ମିଳିବାକୁ ଅଛି। ବକେୟା ପାଉଣା ଜନିତ କ୍ଷତିର ଆକଳନ ପାଇଁ ନିଗମ ପକ୍ଷରୁ ନିଯୁକ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମର ରିପୋର୍ଟ ଅନୁସାରେ ନିଗମ ପକ୍ଷରୁ ବ୍ୟାଙ୍କରୁ ଅଣାଯାଇ ଥିବା ଋଣ ଓ ଏହା ଉପରେ ଲାଗିଥିବା ସୁଧ ମଧ୍ୟରେ ବିରାଟ ତାରତମ୍ୟ ରହିଛି। କେନ୍ଦ୍ରର ଅର୍ଥ ଆସୁନଥିବାରୁ ଆଗକୁ ଋଣ ପରିମାଣ ଆହୁରି ବଢ଼ିବ। ୨୦୧୫-୧୬ ସୁଦ୍ଧା ନିଗମ ଉପରେ ୧୨୬୪.୧୮ କୋଟି ଟଙ୍କାର ବକେୟା ରହିଥିବା ବେଳେ ଅଖା ଅବମୂଲ୍ୟାୟନ ବାବଦରେ ୧୪୩.୯୫ କୋଟି ଟଙ୍କା ଓ ପରିଚାଳନା ଦେୟ ବାବଦକୁ ୫୧.୯୨ କୋଟି ଟଙ୍କାର ଅତିରିକ୍ତ ବୋଝ ନିଗମ କାନ୍ଧରେ ପଡ଼ିବ। ଅପରପକ୍ଷେ ପରିବହନ, ସଂରକ୍ଷଣ ଓ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇ ଥିବା ଖାଦ୍ୟ ସବ୍‌ସିଡି ଅର୍ଥ ବାବଦରେ ନିଗମ ପାଖରେ ୬୩୧.୨୮ କୋଟି ଟଙ୍କା ରହିଛି। ଏଥିସହ ୨୦୧୩-୧୪ ଓ ୨୦୧୪-୧୫ ଧାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ନିଗମ ୧୬୩.୫୦ କୋଟି ଟଙ୍କା ପାଇବ। କିନ୍ତୁ ଏବେ ନିଗମ ନିୟନ୍ତ୍ରଣରେ ସ୍ଥିତି ନଥିବାରୁ ୬୬୪.୭୭ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

ନିଗମର ଆର୍ଥିକ ପରିଚାଳନାକୁ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇ ଥିଲା ଯେ ନିଗମ ଉପରେ ଅର୍ଥାଭାବ ଚାପ ଦ୍ରୁତ ଗତିରେ ବଢ଼ୁଥିବାରୁ ଏହାକୁ ସହାୟତା ଏକାନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ରାଜ୍ୟ ସରକାର ବଜେଟ୍‌ରେ ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବା ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ୧୫୦୦ କୋଟି ଟଙ୍କାର ସୁଧ ବିହୀନ ପାଣ୍ଠି ପାଇଁ ନିଗମ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯିବ। ଏହା ବ୍ୟତୀତ ନିଗମ ପାଖରେ ଗଚ୍ଛିତ ଥିବା ୬୩୧.୨୮ କୋଟି ଟଙ୍କାକୁ ନିଜ ପାଖରେ ରଖିବା ପାଇଁ ଅନୁମତି , ଲୋଡ଼ାଯାଇ ପାରେ।

Comments are closed.