ନିଜ ବାହାଘର ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ଯୁବକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର : ନିଜ ବାହାଘର ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିବା ମାମଲାର ଶୁଣାଣି କରି ଅତିରିକ୍ତ ଦୌରାଜଜ୍-୩ ଶ୍ରୀମତୀ ଲୁନା ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୪ ମେ ୩୧ ତାରିଖରେ ଖୋର୍ଦ୍ଧା ଗୋଡିପୋଖରୀର ଏସ. ନନ୍ଦେଶ୍ବର ରାଓ ନିଜ ସାଙ୍ଗ ଗୋପୀକୃଷ୍ଣ ରାଓଙ୍କ ସହ ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଭୁବନେଶ୍ବର ଯାଇଥିଲେ। କାର୍ଡ ବାଣ୍ଟିସାରି ସନ୍ଧ୍ୟାରେ ପିତାପଲ୍ଲୀ ଛକ ନିକଟ ଏକ ବାର ନିକଟରେ ବାଇକ ଖରାପ ହୋଇଯାଇଥିଲା। ଉଭୟେ ବାଇକ ଦେଖୁଥିବା ବେଳେ ସେଠାରେ ସେହି ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁ ଓରଫ ଧୋବି ଓ ତପୁ ସ୍ବାଇଁ ପହଞ୍ଚି ସେମାନଙ୍କୁ କାହିଁକି କମେଣ୍ଟ ମାରିଲ ବୋଲି କହି ପାଟିତୁଣ୍ଡ କରିଥିଲେ। ସେମାନେ କାହାକୁ କିଛି କହିନାହାନ୍ତି କହିଥିଲେ ମଧ୍ୟ ଉଭୟେ କିଛି ଶୁଣି ନ ଥିଲେ। ହଠାତ ଧୋବି ଏକ କାଠଫାଳିଆରେ ନନ୍ଦେଶ୍ବରଙ୍କୁ ଆକ୍ରମଣ କରିଥିଲେ। ଗୋପୀକୃଷ୍ଣ ଏହାର ପ୍ରତିବାଦ କରିବାରୁ ଉଭୟେ ତାଙ୍କୁ ମଧ୍ୟ ମାଡମାରି ଆହତ କରିଥିଲେ। ନନ୍ଦେଶ୍ବର ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲା ବେଳେ କ୍ରିଷ୍ଣାରାଓ ଘଟଣାସ୍ଥଳରୁ ପଳାଇଯାଇ ଘରଲୋକଙ୍କୁ ଖବର ଦୋଇଥିଲେ।

ଧୋବି ନାମରେ ରାହାଜାନି, ଛିନତାଇ, ମାରପିଟ୍ ଆଦି ବହୁ ମାମଲା ଥିବାବେଳେ ଲୋକଙ୍କଠାରୁ ଟଙ୍କା ପଇସା ଛଡ଼ାଇବା ଉଦ୍ଦେଶ୍ୟରେ ଏମିତି କଳି କରିଥାଏ। ବାର୍ ଆଗରେ ଏଭଳି ଘଟଣା ଘଟୁଥିଲେ ବି କେହି ସାହାସ କରି ଧୋବି ଓ ତପୁକୁ ବିରୋଧ କରିନଥିଲେ। ଧୋବି ଓ ତପୁଙ୍କ ମାଡରେ ଗୁରୁତର ଆହତ ନନ୍ଦେଶ୍ବରଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ତପୁ ନାବାଳକ ଥିବାରୁ ତାଙ୍କୁ ଜୁଭେନାଇଲ ବୋର୍ଡକୁ ପଠାଇ ଦିଆଯାଇଥିଲା।

ମାମଲାର ଶୁଣାଣି ବେଳେ ୨୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ୩୪ଟି ଦସ୍ତାବିଜ ଦାଖଲ କରାଯାଇଥିଲା। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆ ସହ ୧୦ ସାମଗ୍ରୀ ଦାଖଲ କରାଯାଇଥିଲା। ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଦାଲତ ମୁଖ୍ୟ ଅଭିଯୁକ୍ତ ଧୋବିକୁ ଦୋଷୀ ସାବ୍ୟସ୍ତ କରି ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ଓ ୮ ହଜାର ଟଙ୍କା େଜାରିମାନା କରିଛନ୍ତି ।ଜରିମାନା ଅନାଦେୟ ଅଧିକ ୪ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ୩୦୭ରେ ୪ବର୍ଷ େଜଲ ଓ ପାଞ୍ଚ ହଜାର ଟଙ୍କା ଜରିମାନା ଏବଂ ୩୪୧ରେ ଏକମାସ ଜେଲ ଓ ୫୦୦ ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଉଭୟ ଦଫାରେ ଜରିମାନା ଅନାଦେୟ ଯଥାକ୍ରମେ ଦୁଇମାସ ଓ ୫ଦିନ ଅଧିକ ଦଣ୍ଡାଦେଶ ହୋଇଛି। ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ୍ତ କୁମାର ମିଶ୍ର ପରିଚାଳନା କରୁଥିଲା ବେଳେ ବିବେକ ରଞ୍ଜନ ପଟ୍ଟନାୟକ ସହାୟତା କରୁଥିଲେ।

Comments are closed.