ଶିଶୁ ଦୁଷ୍କର୍ମ କ୍ଷେତ୍ରରେ ଆନ୍ଧ୍ର ଭଳି ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମହିଳା ସଂଗଠନର ଦାବି

ଭୁବନେଶ୍ୱର : ମହିଳା ଅଭିଯାନ ସଂଗଠନ ପକ୍ଷରୁ ନମ୍ରତା ଚଢ଼ାଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଏକ ମହିଳା ପ୍ରତିନିଧି ଦଳ ମହା ମହିମ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ ବୃଦ୍ଧି ପାଉଥିବା ନାବାଳିକା, ମହିଳା ଦୁଷ୍କର୍ମ ଘଟଣା ଏବେ ଅତ୍ୟନ୍ତ ଚିନ୍ତା ଜନକ ବିଷୟ। ପ୍ରଶାସନ ଏବଂ ପୁଲିସର ଅନେକ ପଦକ୍ଷେପ ସତ୍ୱେ ରାଜ୍ୟରେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନର ରିପୋର୍ଟ ଅନୁଯାୟୀ,  ପ୍ରତିଦିନ ୩ଜଣ ମହିଳା ଦୁଷ୍କର୍ମ ଶିକାର ହେଉଛନ୍ତି। ।

 

ମହିଳା ଅଭିଯାନ ପ୍ରତିନିଧି ମାନଙ୍କର ପ୍ରମୁଖ ଦାବି ଗୁଡିକ ମଧ୍ୟରୁ ଏହା ଯେ,  ଆନ୍ଧ୍ରପ୍ରଦେଶ ସରକାର ବିଧାନସଭାରେ ଦିଶା ବିଲ ଗୃହୀତ କରି ଅପରାଧୀଙ୍କୁ ୨୧ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡ ଦେବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଧ୍ରପ୍ରଦେଶ ପରି ଓଡ଼ିଶାରେ ମଧ୍ୟ ଏହିପରି ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ମଧ୍ୟ ଦୁଷ୍କର୍ମ କାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦଣ୍ଡ ବିଧାନର ନିୟମ ଲାଗୁ ହେବା ଉଚିତ। ବିଶେଷ ଭାବରେ ପସ୍କୋ ମାମଲାରେ ଦୋଷୀ ମାନଙ୍କୁ ଯଥା ଶୀଘ୍ର କଠିନରୁ କଠିନ ଦଣ୍ଡ ଏପରିକି ମୃତ୍ୟୁ ଦଣ୍ଡ ମଧ୍ୟ ବ୍ୟବସ୍ଥା କରାଯାଉ। ଦୁଷ୍କର୍ମ ମାମଲା ରୁଜୁ ହେବାର ଅନ୍ତତଃ ୧୦ଦିନ ମଧ୍ୟରେ ପୋଲିସକୁ ଚାର୍ଜସିଟ ଦାଖଲ କରିବାର ଆଇନ ପ୍ରଣୟନ କରାଯାଉ। ସ୍ୱତନ୍ତ୍ର ଅଦାଲତରେ ଏହି ମାମଲା ଗୁଡିକର ଶୁଣାଣି କରାଯାଉ। ଏହି ସମସ୍ତ ପ୍ରକ୍ରିୟା ଅତି ବେଶୀରେ ୪ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ହେଉ। ଯୌନ ଶୋଷଣ ଘଟଣା ଗୁଡ଼ିକରେ ମଧ୍ୟ କଠିନରୁ କଠିନ ଦଣ୍ଡ ବିଧାନ କରିବା ଆବଶ୍ୟକ ବୋଲି ପ୍ରତିନିଧି ଦଳ ପକ୍ଷରୁ ନିବେଦନ କରଯାଇଛି।

ମହାମହିମ ରାଜ୍ୟପାଳ ଦାବି ପତ୍ର ଗ୍ରହଣ କରିବା ସଙ୍ଗେସଙ୍ଗେ ଏହା ଏକ ଚିନ୍ତା ଜନକ ବିଷୟ ବୋଲି ଦୁଃଖ ପ୍ରକାଶ କରିଥିଲେ। ଆଇନ ଦୃଷ୍ଟିରୁ ଏହି ଦଣ୍ଡ ବିଧାନକୁ କଡାକଡ଼ି କରିବା ,ଏବଂ ବଳତ୍କାରି, ନିଶା ଦ୍ରବ୍ୟ ସେବନ କାରୀ ବ୍ୟବସାୟରେ ଲିପ୍ତ ଥିବା ଦୁଷ୍କର୍ମ କାରୀଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ବ୍ୟବସ୍ଥା ଅପରିହାଯ୍ୟ । ସେମାନଙ୍କ ପାଇଁ କଠୋର ଆଇନ ପ୍ରଣୟନ କରିବାକୁ ଯଥା ସମ୍ଭବ ମୋ ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ।ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ବଢ଼ି ବଢ଼ି ଚାଲିଛି।ଅନେକ ଗୁଡିଏ ଅଭିଯୋଗ ରୁଜୁ ହେଉ ନାହିଁ। ଅଦାଲତରେ ତାରିଖ ପରେ ତାରିଖ ଦେବାରେ ବିଳମ୍ବ ହେଉଛି। ପିଡିତାକୁ ନ୍ୟାୟ ମିଳିବା ପୂର୍ବରୁ ଆଖି ବୁଜି ଦେଉଛନ୍ତି। ଚଳିତ ବର୍ଷ ୪ଟି ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣାରେ ଦୋଷୀଙ୍କୁ ପୋସ୍କୋ କୋଟରେ ଫାଶୀ ଦଣ୍ଡ ଶୁଣାଣି ହୋଇଥିଲେ ମଧ୍ୟ ଏଯାଏ ତଦନ୍ତ ଶେଷ ହୋଇନାହିଁ।

ଶିଶୁ ଯୌନ ଶୋଷଣ ପରି ଘଟଣା ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ତଥା ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରି ଜଘନ୍ୟ ଅପରାଧ ଉପରେ ଅଙ୍କୁଶ ଲଗାନ୍ତୁ ମହିଳା ଅଧିକାର ଅଭିଯାନ ର ସଦସ୍ୟା ବୃନ୍ଦ ମହାମହିମ ରାଜ୍ୟପାଳ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର ମଧ୍ୟ ପଠାଇ ଛନ୍ତି।ନମ୍ରତା ଚଢ଼ା ଙ୍କ ନେତୃତ୍ୱରେ, ମଧୁଲିତା ପରିଡା, ରାଜଲକ୍ଷ୍ମୀ ଦାସ, ପ୍ରୀତି ଛନ୍ଦା ଧଳ, ଶର୍ମିଷ୍ଠା ରାଉତ, ମନୋସ୍ଵୀତା ଜେନା, ପ୍ରମୁଖ ପ୍ରତିନିଧି ଦଳ ରେ ଉପସ୍ଥିତ ରହି ରାଜ୍ୟ ପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Comments are closed.