‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଆମକୁ ଦୁଇଗୁଣ ପରିଶ୍ରମ କରିବାକୁ ହେବ’ – ମନ୍ତ୍ରୀ ଅରୁଣକୁମାର ସାହୁ

ଭୁବନେଶ୍ୱର : ଚା​‌ଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ହେଲେ ଆମକୁ ଦୁଇଗୁଣ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟରେ ଅବହେଳାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ। ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସହ ଲୋକେ ଯେପରି ଯୋଜନାର ସୁଫଳ ପାଇବେ ସେ ନେଇ ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ଏହା ଅଧୀନରେ ଥିବା ସମସ୍ତ ନିର୍ଦେଶାଳୟ ସହ ନିଗମର ଅଧିକାରୀ ଓ କର୍ମଚାରୀମାନଙ୍କର ୫-ଟି ଓ ‘ମୋ ସରକାର’ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳାକୁ ଉଦଘାଟନ କରି ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣକୁମାର ସାହୁ। କର୍ମଶାଳା ସମ୍ପର୍କରେ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ୫-ଟିକୁ ସର୍ବାନ୍ତକରଣରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ତ ଓ ଉତ୍ତରଦାୟୀ ‘ମୋ ସରକାର’ ସୃଷ୍ଟି କରିବା କୃଷି ବିଭାଗର ଲକ୍ଷ୍ୟ। କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତ। ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ସଚେତନ କରି ସେମାନଙ୍କୁ ନୂତନ ଜ୍ଞାନକୌଶଳ ବ୍ୟବହାର ସଂପର୍କରେ ଉତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିପ୍ରତି ବିଭାଗର ଅଧିକାରୀ ଓ କର୍ମଚାରୀ ଧ୍ୟାନ ଦେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି।
ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଚାଷର ଉନ୍ନତି ନିମନ୍ତେ ଅଧିକାରୀମାନେ ନିଷ୍ଠାପର ଭାବେ ଉଦ୍ୟମ କରିବା ଆବଶ୍ୟକ। କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ଯୋଜନାର ସୁଫଳ ଯେପରି ସିଧାସଳଖ ସେମାନଙ୍କ ନିକଟରେ ପହଞ୍ଚିପାରିବ ତାକୁ ନିଶ୍ଚିତ କରିବାକୁ ହେବ। ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଏବଂ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରାଜ୍ୟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସହିତ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି। ତେବେ ଚାଷ କାର୍ଯ୍ୟରେ ବିବିଧତା ଆଣି ଡାଲି, ତୈଳବୀଜ ଓ ଅର୍ଥକରୀ ଫସଲର ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ। ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଚାଷକାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ନୂଆ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷି ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ନିଶ୍ଚିତ କରାଇବା ପାଇଁ କୃଷିନୀତି ‘ସମୃଦ୍ଧି’ ୨୦୨୦ରୁ ଲାଗୁ କରାଯିବ। ଏଥି ସହିତ ‘ମୋ ସରକାର’ ପ୍ରବର୍ତ୍ତନ ଫଳରେ ବିଭାଗର କର୍ମଚାରୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ସହିତ କାର୍ଯ୍ୟଶୈଳିରେ ପାରଦର୍ଶିତା ଆସିବ ବୋଲି ସେ ପ୍ରକାଶ କରିଥିଲେ।

କର୍ମଶାଳାରେ ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ ନୂତନ କୃଷିନୀତିରେ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା, ସଂରକ୍ଷଣ ସହ ସେ ସବୁକୁ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଭାଗ ତରଫରୁ ପ୍ରଣୟନ କରାଯାଉଥିବା ଯୋଜନାଗୁଡ଼ିକ କିପରି ଚାଷୀଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ଅଧିକାରୀ ଓ କର୍ମଚାରୀମାନେ ତତ୍ପର ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ କୃଷି ନିର୍ଦେଶକ ଏମ୍. ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍ୟାନକୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ନିର୍ଦେଶାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ସଭାପତି ରଞ୍ଜିତା କୁଲକର୍ଣ୍ଣି କର୍ମସଂସ୍କୃତିର ଉନ୍ନତି ନିମନ୍ତେ ପରାମର୍ଶ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦେଶକ ହେମନ୍ତ କୁମାର ପଣ୍ଡା।

Comments are closed.