ଚିନ୍ତାରେ ରାଜ୍ୟ ଅର୍ଥ ବିଭାଗ : ସବୁ ବିଭାଗର ହସ୍ତକ୍ଷେପ ଲୋଡ଼ିଲେ ଜିଏସଟି କମିସନର

ଡିଡିଓଙ୍କ ମନମୁଖି; ରାଜକୋଷ ସ୍ଥିତି ଦୁର୍ବଳ

ଭୁବନେଶ୍ବର : ଦେଶରେ ୨୦୧୭ ଜୁଲାଇ ପହିଲାରେ ଜିଏସଟି ଲାଗୁ ପରେ ରାଜ୍ୟ ସରକାର ଆଶା କରିଥିଲେ ଯେ ରାଜସ୍ବ ବୃଦ୍ଧି ପାଇବ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ବିଭାଗର ଟଙ୍କା ଉଠାଣ ଓ ବଣ୍ଟନ ଅଧିକାରୀ(ଡିଡିଓ)ମାନଙ୍କୁ ଜାରି କରାଯାଇଥିଲା। ହେଲେ କୌଣସି ବିଭାଗ ଡିଡିଓ ଏହାକୁ ତିଳେ ହେଲେ ଖାତିର କରୁନାହାନ୍ତି। ଫଳରେ ରାଜ୍ୟର ରାଜସ୍ବ ବଢ଼ିବା ଅପେକ୍ଷା ଆର୍ଥିକ ପରିସ୍ଥିତି ଖରାପ ଆଡକୁ ଗତି କରୁଛି। କେନ୍ଦ୍ର ସରକାରଙ୍କ ଜିଏସଟି ନିୟମ ଅନୁଯାୟୀ ଯଦି ରାଜ୍ୟ ସରକାର ଭାଟ ତୁଳନାରେ ଜିଏସଟିରେ କମ୍ ରାଜସ୍ବ ପାଆନ୍ତି ତେବେ କେନ୍ଦ୍ର ସରକାର ଉକ୍ତ ଅର୍ଥ ଭରଣା କରିବା କଥା। ତେବେ ଏହି ଅବଧି ମଧ୍ୟରେ ଜିଏସଟି ଆକଳନ ବାବଦକୁ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ୧୧୦୦କୋଟିରୁ ଅଧିକ ଟଙ୍କା ପାଇବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧପତ୍ର ପ୍ରଦାନ କରାଗଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ଗୋଟିଏ ପଟେ ଡ଼ିଡ଼ିଓଙ୍କ ମନମାନି ଓ ଅନ୍ୟପେକ୍ଷା କେନ୍ଦ୍ର ସରକାରଙ୍କ କାଳକ୍ଷେପଣନୀତି ଯୋଗୁଁ ଓଡ଼ିଶାର ରାଜକୋଷକୁ ଦୁର୍ବଳ କରୁଛି। ଏହାକୁ ନେଇ ଅର୍ଥବିଭାଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଡିଡିଓମାନଙ୍କ ଯୋଗୁଁ ରାଜ୍ୟର ରାଜସ୍ବ ଆଶାନୁରୂପ ହୋଇପାରୁ ନାହିଁ ବୋଲି ଅର୍ଥବିଭାଗର ଏକ ନିର୍ଦେଶନାମାରୁ ଜଣାଯାଇଛି।

ଚଳିତମାସ ୧୨ରେ ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନର ସୁଶିଲ କୁମାର ଲୋହାନୀ ପ୍ରତ୍ୟେକ ବିଭାଗକୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଜିଏସଟି ନିୟମ ଅନୁଯାୟୀ ପ୍ରତ୍ୟେକ ଅଢ଼େଇ ଲକ୍ଷ ଟଙ୍କା କ୍ରୟ ଉପରେ ୨ପ୍ରତିଶତ ଆଇଜିଏସଟି କାଟ୍ କରାଯିବ। ସେଥିମଧ୍ୟରେ ୧ପ୍ରତିଶତ ରାଜ୍ୟ ସରକାରଙ୍କ ପାଇଁ(ଓଜିଏସଟି) ଏବଂ ୧ ପ୍ରତିଶତ କେନ୍ଦ୍ର ସରକାରଙ୍କ(ସିଜିଏସଟି) ପାଇଁ। ଏହାକୁ ଦୃଷ୍ଟିରେ ରଖି ତଥା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାପାଇଁ ସବୁ ବିଭାଗର ଡିଡିଓମାନେ କାର୍ଯ୍ୟାନ୍ବୟନ କରିବା କଥା। ହେଲେ ରାଜ୍ୟରେ ୭୩୯୮ଜଣ ଡିଡିଓ ଥିଲେ ମଧ୍ୟ ନିୟମ ଅନୁଯାୟୀ ସେଥିରୁ ମାତ୍ର ୧୪୦୬ଜଣ ଡିଡିଓ ଏପର୍ଯ୍ୟନ୍ତ ପଞ୍ଜିକୃତ ହୋଇଛନ୍ତି। ଯାହାକି ସମୁଦାୟ ଡିଡିଓଙ୍କ ଅନୁପାତରେ ୧୯ପ୍ରତିଶତ ହେବ। ରାଜ୍ୟରେ ବିଭିନ୍ନ ବିଭାଗରେ ହଜାର ହଜାର କୋଟି ଟଙ୍କାର ବିକ୍ରି ବଟା ହେଉଥିବାବେଳେ ଡିଡିଓମାନେ କାହିଁକି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ତାହା ବୁଝାପଡୁନାହିଁ। ଏଦିଗରେ ସଂପୃକ୍ତ ଡିଡିଓମାନଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ଶ୍ରୀ ଲୋହାନୀ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଖର୍ଚ୍ଚ କରିବାର ଆବଶ୍ୟକତା ନଥିଲେ ଟ୍ରେଜେରିରୁ ଟଙ୍କା ଉଠାଣ ନକରିବାକୁ ବାରମ୍ବାର ତାଗିଦା କରାଯାଉଥିଲେ ମଧ୍ୟ ଡିଡିଓ କିମ୍ବା ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ବଜେଟ ଅଟକଳ ବଢ଼ି ଚାଲିଥିବାବେଳେ ବିନିଯୋଗରେ ତାରତମ୍ୟ ଦେଖାଦେଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୪୨ଟି ବିଭାଗରେ ୭୩୯୮ ଡିଡିଓ ରହିଛନ୍ତି। ସେଥିମଧ୍ୟରୁ କେବଳ ଗଣଶିକ୍ଷା ବିଭାଗରେ ୧୧୫୩ଜଣ ଡିଡିଓ ଥିବାବେଳେ ସେଥିମଧ୍ୟରୁ ନଭେମ୍ବର ସୁଦ୍ଧା ମାତ୍ର ୫୬ଜଣ ଡିଡିଓ ପଞ୍ଜିକୃତ ହୋଇଛନ୍ତି। ସେହିପରି ଅର୍ଥ ବିଭାଗ ଅଧୀନରେ ୩୨୮ଜଣ ଡିଡିଓଙ୍କ ମଧ୍ୟରୁ ମାତ୍ର ୪୭ଜଣ ପଞ୍ଜିକୃତ ହୋଇଥିବାବେଳେ ରାଜସ୍ବ ବିଭାଗରେ ୬୭୯ ମଧ୍ୟରୁ ୬୮ଜଣ, ହସ୍ତତନ୍ତ ବିଭାଗରେ ୭୦୨ଜଣଙ୍କ ମଧ୍ୟରୁ ୬୧ଜଣ ଡିଡିଓ ପଞ୍ଜିକୃତ ହୋଇଛନ୍ତି। ଡିଡିଓମାନଙ୍କ ଏହି ପଞ୍ଜିକୃତ ହାର ବିଭାଗର କାର୍ଯ୍ୟକାରିତାକୁ ନେଇ ଯେତିକି ନିରୁତ୍ସାହିତ କରୁଛି ତାଠାରୁ ଢ଼େରଗୁଣରେ ରାଜସ୍ବ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

Comments are closed.