ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ର; ଜିଲା ଗସ୍ତକୁ ଗୁପ୍ତ ରଖ

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫-ଟି ମନ୍ତ୍ରକୁ ଠିକଣା ବାଟରେ ପରିଚାଳନା ପାଇଁ ରାଜ୍ୟ ପ୍ରଶାସନ ଉଦ୍ୟମ ଚଳାଇଥିବାବେଳେ ଏବେ ଜିଲା ପରିଦର୍ଶନ କାଳରେ କିଛି ନୂଆ ତରିକା ଆପଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସହଯୋଗୀ ମାନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ କାର୍ଯ୍ୟରେ ଜିଲା ଗସ୍ତ କରୁଥିବା ମନ୍ତ୍ରୀମାନେ ବାହାରେ ମଧ୍ୟାହ୍ନଭୋଜନ ନକରି ଅନାଥାଶ୍ରମ, ବିଦ୍ୟାଳୟ, ଭିନ୍ନକ୍ଷମ , ସରକାରୀ ଶିଶୁ ଯତ୍ନ କେନ୍ଦ୍ର ଏବଂ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ ପରାମର୍ଶ ଦେଇଛନ୍ତି।
ଏଭଳି ପଦକ୍ଷେପ ଦ୍ବାରା ଉପରୋକ୍ତ ଅନୁଷ୍ଠାନଗୁଡ଼ିକରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ। ଏହାଦ୍ବାରା ସେସବୁ ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ଉନ୍ନତି ଅଣାଯିବା ପାଇଁ ସୁଯୋଗ ସୃଷ୍ଟି ହେବ। ଏଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ସହିତ ସାଥୀରେ ଯେପରି ୩-୪ଜଣରୁ ଅଧିକ ଲୋକ ନଯାଆନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିବା ସହିତ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଜିଲା ଗସ୍ତ କାଳରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପରୋକ୍ତ ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Comments are closed.