ହସ୍ପିଟାଲରେ ବାଟ ହୁଡ଼ିଛି ଅଗ୍ନିନିରାପତ୍ତା

ଭୁବନେଶ୍ୱର: କଟକର ଏକ ଘରୋଇ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ଅଘଟଣ ଘଟିଲେ ସରକାରୀ ଅଧିକାରୀ ଚିଠି ଲେଖି ତାଗିଦ କରି ନିଜ କାମ ସାରି ଦେଉଛନ୍ତି। ମାତ୍ର ନିୟମାନୁସାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ତାହା ଯାଞ୍ଚ ହେଉନାହିଁ। ବିଡ଼ମ୍ବନାର ବିଷଯ ଏହି କି େଯ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ୟାପିଟାଲ ହସ୍ପିଟାଲକୁ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ମିଳିପାରି ନାହିଁ। ଏଠାରେ ଦୁଇ ମହଲାରୁ ଆରମ୍ଭ କରି ୫ ମହଲା ପର୍ଯ୍ୟନ୍ତ କୋଠା ରହିଛି। ଆଇସିୟୁ, ଏସ୍‌ଏନ୍‌ସିୟୁ ଆଦି ରହିଛି। ଦୀର୍ଘ ଦିନ ହେଲା ଅଗ୍ନି ପ୍ରତିହତ ସରଞ୍ଜାମ ଲାଗିଛି କିନ୍ତୁ ଏସବୁ କାର୍ଯ୍ୟ କରୁନାହିଁ। ଅଗ୍ନିଶମ ବିଭାଗ ଏବଂ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ନଥିବା ଯୋଗୁଁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି।

କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ୱାର୍ଡ ଏବଂ ଓପିଡିରେ ସିଲିଣ୍ଡର ଲାଗିଛି। ଲେବର ରୁମ୍‌ ଏବଂ ଆଇସିୟୁରେ ଗ୍ୟାସ୍‍ ପାଇପ୍‌ ବ୍ୟବସ୍ଥା ମଧ୍ୟ ରହିଛି। ସ୍ପିଙ୍କଲର ବି ରହିଛି। ଏବେ ଅନେକ କାମ କରୁନଥିବା ବେଳେ ଏହାକୁ ଚଳାଇବାକୁ ଉପଯୁକ୍ତ ତାଲିମପ୍ରାପ୍ତ କର୍ମଚାରୀ ନାହାନ୍ତି। ନିଆଁ ଲାଗିଲେ ବି ଆଲାରାମ ବାଜିବାର ନାହିଁ କି ପାଇପ୍‌ରୁ ଗ୍ୟାସ୍‌ ବି ବାହାରିବାର ନାହିଁ। ରୋଗୀ ତଥା ସମ୍ପର୍କୀୟ ହୋ-ହଲ୍ଲା ହେଲେ ବା ଧୂଆଁ ବାହାରିଲେ ନିଆଁ ଲାଗିଛି ବୋଲି ଜଣାପଡ଼ିବ। କାରଣ ସବୁ ଆଧୁନିକ ବ୍ୟବସ୍ଥା ଆଉ କାମ କରୁନାହିଁ। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥା କରାଯାଇଛି। ମାତ୍ର ବ‌େର୍ଷ ହେବ କୌଣସି ଅଧିକାରୀଙ୍କୁ ଏ ବାବଦରେ ପ୍ରଶିକ୍ଷଣ ଦିଆଯାଇ ନଥିବାବେଳେ ସ୍ୱତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ। ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯାଉଥିଲା। ଫାୟାର ଫାଇଟିଂ ବ୍ୟବସ୍ଥା ରହିଥିଲେ ବି ଡେମୋ କରାଯାଇନାହିଁ କିମ୍ବା ପ୍ରଶିକ୍ଷଣ ବି ଦିଆଯାଇନାହିଁ। ଅବଶ୍ୟ କିଛି ଦିନ ପୂର୍ବେ ଅଗ୍ନିଶମ କର୍ମଚାରୀ ତଦାରଖ କରିଥିଲେ। ଯଦି କିଛି ବି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ ତାହାକୁ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଅଗ୍ନିଶମ ବିଭାଗକୁ ଚିଠି ଲେଖାହୋଇଛି। ଆସନ୍ତା ୫ ତାରିଖରେ ହସ୍ପିଟାଲ ଅଗ୍ନିଶମ ନିରାପତ୍ତା ଉପରେ ସମୀକ୍ଷା ହେବାର ଅଛି। ଏଥିରେ ଅଗ୍ନିଶମ ବିଭାଗ ଅଧିକାରୀମାନେ ଯୋଗଦେବେ।

Comments are closed.