ନୂଆ ରୂପ ନେଉଛି ୧ନଂ ହାଟ ପାର୍କିଂସ୍ଥଳ : କମିବ ଟ୍ରାଫିକ ଯନ୍ତ୍ରଣା !

ଭୁବନେଶ୍ୱର  : ସହରର ସର୍ବପୁରାତନ ୧ ନଂ ହାଟର ଭିତରେ ଥିବା ପୁରୁଣା ପାର୍କିଂସ୍ଥଳର ବିକାଶ କାର୍ଯ୍ୟ କରାଯାଉଛି।  ପ୍ରାୟ କାମ ସରିଗଲାଣି ଆଉ ସପ୍ତାହେ ଦୁଇସପ୍ତାହ ପରେ ଏହା କାର୍ଯ୍ୟକ୍ଷମ ହେବ। ଫଳରେ କିଛିମାତ୍ରାରେ ଟ୍ରାଫିକ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏକନମ୍ବର ପାର୍କିଂ ବ୍ୟବସ୍ଥା ଏବଂ ଟ୍ରାଫିକ ଜାମକୁ ବିଭିନ୍ନ ସମୟରେ ଦୈନିକ ସମାଜରେ ଖବର ପ୍ରକାଶ ପାଇବା ପରେ ବିଏମସି ଦୃଢ଼ପଦକ୍ଷେପ ନେଇଛି- ଯାହା ସ୍ବାଗତଯୋଗ୍ୟ ପଦକ୍ଷେପ।

ଏହି ପାର୍କିଂ ସ୍ଥାନଟି ଆବର୍ଜନାପୂର୍ଣ୍ଣ ହୋଇ ପଡ଼ିଥିଲା। ବର୍ଷସାରା ଲୋକେ ମାଟି କାଦୁଅରେ ଘାଣ୍ଟି ହେଉଥିଲେ। ପାର୍କିଂ ସ୍ଥାନରେ ପର୍ଯ୍ୟାପ୍ତ ସ୍ଥାନଥିଲେ ମଧ୍ୟ ଲୋକେ ଏହା ଭିତରେ ଗାଡ଼ି ରଖି ମୁଖ୍ୟ ରାସ୍ତା, ଥାନା ସାମ୍ନା ଏବଂ ସରକାରୀ କ୍ବାର୍ଟର୍ସ ଆଗରେ ଦୁଇଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ କରିଦେଉଥିଲେ। ଫଳରେ ଦିନମାନ କଳ୍ପନାରୁ ଏଜିଛକକୁ ଯିବାକୁ ଅଧଘଣ୍ଟା ସମୟ ଲାଗୁଥିଲା। ଏହାବାଦ ଠେଲାବେପାରୀ ଏବଂ ଅଟୋ ଏବଂ ଚାରିଚକିଆ ଯାନ ପାର୍କିଂ ଯୋଗୁଁ ରାସ୍ତା ପୂରାପୂରି ଜାମ ହେଉଥିଲା। ତେବେ ଦୁଇଚକିଆ ଯାନ ପାଇଁ ଏହି ପୁରୁଣା ପାର୍କିଂ ସ୍ଥାନକୁ ଟାଇଲ ବିଚ୍ଛା ଯାଉଥିବାରୁ ଏଠାରେ ଏକକାଳୀନ ୨ ହଜାରରୁ ଉର୍ଦ୍ଧ୍ବ ବାଇକ୍‌ ପାର୍କିଂ ହୋଇପାରିବ। ତେଣୁ ବାହାରେ ଆଉ ଦୁଇଚକିଆ ଯାନ ପାର୍କିଂ ହେବନାହିଁ। ନୂତନଭାବେ କରାଯାଉଥିବା ପାର୍କିଂସ୍ଥଳରେ ଟାଇଲ ପଡ଼ିଛି। ଭିତରେ ବନ୍ଦ ହୋଇପଡ଼ିଥିବା ଶୌଚାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ପକ୍ଷରୁ ମସୁଧା ଚାଲିଛି; କିନ୍ତୁ ଯେଭଳି ଢଙ୍ଗରେ ବିକାଶ କାର୍ଯ୍ୟ କରାଯାଉଛି ତାହାକୁ ନେଇ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାର୍କିଂସ୍ଥାନ ବିକାଶ କାମ ପାଇଁ କେତେ ଟଙ୍କାର କାମ କରାଯାଉଛି, କିଏ କରୁଛି ସେ ସମ୍ପର୍କରେ କୌଣସି ସୂଚନା ଫଳକ ଲାଗିନାହିଁ। ଫଳରେ କାମର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାର୍ଯ୍ୟସ୍ଥଳକୁ ବିଏମ୍‌ସି କୌଣସି ଅଧିକାରୀ ତଦାରଖ ପାଇଁ ଆସୁନଥିବା ହାଟ ବ୍ୟବସାୟୀ କହିଛନ୍ତି।

ପାର୍କିଂସ୍ଥଳରେ ପୂର୍ବଭଳି ମଝିସ୍ଥାନ ଖାଲୁଆ ରହିଥିବାରୁ ସେଠାରେ ପାଣି ଜମିବାର ସମ୍ଭାବନା ଅଧିକ ରହିଛି। ଅପରପକ୍ଷରେ ରାସ୍ତାଠାରୁ ଯେଭଳି ଉଚ୍ଚା କରାଯିବା କଥା ସେଭଳି ହୋଇନଥିବାରୁ ବାହାର ପାଣି ଷ୍ଟାଣ୍ଡଭିତରକୁ ପଶିବ ଏବଂ ଷ୍ଟାଣ୍ଡରୁ ପାଣି ନିଷ୍କାସନ ହେବାରେ ଅସୁବିଧା ରହିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦାୟିତ୍ବରେ ଥିବା ଅଧିକାରୀ ଅସୀମ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଯେ ଏଥିପାଇଁ ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର ହୋଇଛି। ଜାନୁୟାରୀ ସୁଦ୍ଧା କାମ ସାରିବାକୁ ନିର୍ଦେଶ ଦିଆଯାଇଛି। ସବୁଦିନ ବିଏମସି ପକ୍ଷରୁ ଅଧିକାରୀ ଯାଇ କାର୍ଯ୍ୟର ତଦାରଖ କରୁଛନ୍ତି। ଖୁବ୍‌ଶୀଘ୍ର ଶୌଚାଳୟ ଦୁଇଟିର ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।

Comments are closed.