ବିଏମ୍‌ସି ବିଦ୍ୟୁତ୍‌ ବିଭାଗ ଚେଇଁ ଶୋଇଛି; ବଦଳୁନି ବିପଦସଙ୍କୁଳ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ, ବଢୁଛି ଅସନ୍ତୋଷ

ଉତ୍ତରଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ବିଦ୍ୟୁତ୍‍ ବିଭାଗ ଏବଂ ବିଏମ୍‌ସି ନଜର ଆଢୁଆଳରେ ରହିଛି ଏକାଧିକ ବିପଦସଙ୍କୁଳ ବିଦ୍ୟୁତ୍‍ ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ। ଏହାକୁ ନେଇ ଗତ ୫ ଦିନ ଭିତରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି ଓ ଅଭିଯୋଗ କରିଆସୁଥିଲେ ବି ବିଭାଗ କିମ୍ବା ବିଏମ୍‌ସି ଅଧିକାରୀ ଏ ଦିଗରେ କର୍ଣ୍ଣପାତ କରୁନଥିବା ଲୋକେ କହିଛନ୍ତି। ବିପଦସଙ୍କୁଳ ସ୍ଥିତିରେ ଝୁଲି ରହିଥିବା ଷ୍ଟ୍ରିଟ୍‌ଲାଇଟ୍‌ ଖୁଣ୍ଟଗୁଡ଼ିକ କେତେବେଳେ ଯେ କାହା ଉପରେ ପଡ଼ି ଜୀବନ ଯିବ ସେନେଇ ଅଞ୍ଚଳବାସୀ ଆଶଙ୍କାରେ ରହିଛନ୍ତି।

ଦୃଷ୍ଟିଆକର୍ଷଣ ପରେ ବି ନିଦାବିଷ୍ଣୁ ସାଜିଛି ବିଏମ୍‌ସି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଘଟଣାକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ଖୁଣ୍ଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଗଛ ଡାଳ ଓ କ୍ୟାବିନ୍‌ ଉପରେ ଲଟକି ରହିଛି। ଏହି ଘଟଣାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଅନୁଧ୍ୟାନ କରି ଯିବା ପରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଖୁବ୍‍ଶୀଘ୍ର ସମାଧାନ କରାଯିବ। ଇତିମଧ୍ୟରେ ଦୁଇ ତିନିଦିନ ବିତିଗଲା ତଥାପି ଭଙ୍ଗା ଖୁଣ୍ଟ ହଟାଗଲା ନାହିଁ। କିଛି ଅଘଟଣ ଘଟିବା ପୂର୍ବରୁ ଲୋକଙ୍କ ଅଭିଯୋଗ ପାଇ ‘ସମାଜ’ ପକ୍ଷରୁ ବିଏମ୍‌ସିର ବିଦ୍ୟୁତ୍‍ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦେଶକ୍ରମେ କନିଷ୍ଠ ଯନ୍ତ୍ରୀ ଗତକାଲି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ସ୍ମାର୍ଟ ପାର୍କର ଉଭୟ ପାର୍ଶ୍ବରେ ଏକାଧିକ ଖୁଣ୍ଟ ନଷ୍ଟ ହୋଇଥିବା ତାଙ୍କ ଦୃଷ୍ଟିକୁ ଆସିଥିଲା। ତେବେ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ମଙ୍ଗଳବାର ସୁଦ୍ଧା ଖୁଣ୍ଟ ବଦଳାଯାଇ ପାରି ନାହିଁ। ଯାହା ବିଭାଗର ପାରିଲାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ଦୁର୍ଘଟଣା ଘଟିଲେ ବିଏମ୍‌ସି ଏବଂ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Comments are closed.