ଭିକ୍ଷାବୃତ୍ତି ଛାଡ଼ିଲା, ବେପାରକୁ ଆପଣାଇଲା

ଭୁବନେଶ୍ୱର: ଦିବ୍ୟାଙ୍ଗ ବାବୁଲା ସକ୍ଷମ ହୋଇଛି। ଭିକ୍ଷାବୃତ୍ତିକୁ ଛାଡ଼ି ଆତ୍ମନିର୍ଭରଶୀଳ ହେବା ପାଇଁ ଦୀପ ବେପାରକୁ ଆପଣାଇଛି। ନୂଆବର୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଅାଗରେ ଛତା ଟାଣି ଦୀପ ବେପାର ଆରମ୍ଭ କରିଛି। ବାବୁଲାର ଦୃଢ଼ମନା କାର୍ଯ୍ୟକୁ ଅନେକ ପ୍ରଶଂସା କରିଛନ୍ତି। ଶ୍ରଦ୍ଧାଳୁ ବାବୁଲାଠାରୁ ଦୀପ କିଣି ଦିଅଁଙ୍କ ନିକଟରେ ଦୀପ ଜାଳୁଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ରହିଛି ବୋଲି ସେ କହିଛି।

ବର୍ଷେ କିମ୍ବା ଦୁଇବର୍ଷ ନୁହେଁ, ଦୀର୍ଘ ୧୨ବର୍ଷ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ଜୀବନ ବିତାଉଛି ଅସହାୟ ବାବୁଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପାର କୃପା ତା’ ଉପରେ ଥିବାରୁ ଦିବ୍ୟାଙ୍ଗ ବାବୁଲାକୁ ମହାମାରୀ ଆଜିପର୍ଯ୍ୟନ୍ତ ଗ୍ରାସ କରି ପାରିନି କିମ୍ବା ଝଡ଼ବର୍ଷା ଓ ବାତ୍ୟା ଭଳି ଦୈବୀଦୁର୍ବିପାକ ତା’ର କିଛି କ୍ଷତି କରିନି। ବାବୁଲାର ସେବା ପାଇଁ ଅନେକ ପୁଲିସ କର୍ମଚାରୀ ବଦାନ୍ୟତା ଦେଖାଇଛନ୍ତି। ମନ୍ଦିର ଆଗରେ ଡ୍ୟୁଟି କରୁଥିବା ହାବିଲଦାର ପ୍ରଦୀପ୍ତ ସାହୁ ଓ ମନ୍ଦିର କର୍ମଚାରୀ ଶ୍ରୀମନ୍ତ ଗଜେନ୍ଦ୍ର ବାବୁଲାର ସେବା କରିଛନ୍ତି। ସରକାରଙ୍କ ଭିକାରି ମୁକ୍ତ ଘୋଷଣା ପରେ ବାବୁଲା ନିଜକୁ ଅସହାୟ ମନେ କରିଥିଲା। ମାନସିକ ଦୁଃଶ୍ଚିନ୍ତାରେ ଭଉଣୀ ଘର ଭଞ୍ଜାମ ଆସିକାକୁ ପଳାଇଥିଲା। ସେଠାରୁ ଫେରି ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସଂଗ୍ରାମ ଆରମ୍ଭ କରିଛି। ବିଏମ୍‌ସି ଅସହାୟ ବାବୁଲାକୁ ସ୍ବାବଲମ୍ବୀ କରି ଥଇଥାନ କରୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.