ରାଜ୍ୟ ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା : ସ୍କୁଲ ପରୀକ୍ଷାକୁ ଅନୁମତି, ଛାପା ଗଣମାଧ୍ୟମ କଟକଣାମୁକ୍ତ

କୃଷିକ୍ଷେତ୍ର ସହିତ ମତ୍ସ୍ୟ ଓ ପଶୁସମ୍ପଦ କାର୍ଯ୍ୟକ୍ରମ ଚାଲୁ ରହିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ ଲକ୍-୧ର ମାର୍ଗଦର୍ଶିକାରେ ମଙ୍ଗଳବାର କେତେକ ସଂଶୋଧନ ଅଣାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦେଶନାମାରେ ଏଣିକି ବିଦ୍ୟାଳୟସ୍ତରରେ ସମସ୍ତ ପରୀକ୍ଷା କାର୍ଯ୍ୟକ୍ରମ ହୋଇପାରିବ। ମାତ୍ର କୌଣସି ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂ ସେଣ୍ଟର ଜୁଲାଇ ୩୧ ମଧ୍ୟରେ ଖୋଲିପାରିବ ନାହିଁ। ସେହିପରି ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ଉପକୂଳର ୧୧ଟି ଜିଲାରେ ଆସନ୍ତା ଜୁନ୍ ସୁଦ୍ଧା ପ୍ରତ୍ୟେକ ସପ୍ତାହରେ ଶନିବାର ଓ ରବିବାର ସଟ୍ ଡାଉନ ରହିବ। ତେବେ ଏହି ସମୟରେ ସରକାରଙ୍କ ପକ୍ଷରୁ କ’ଣ ସବୁ ଅତ୍ୟାବଶ୍ୟକ ସେବା ଜାରି ରହିବ ତାହା ଦର୍ଶାଯାଇଛି। ଏସଆରସିଙ୍କ ସୂଚନା ଅନୁଯାୟୀ ସବୁ ମେଡିକାଲ, କ୍ଲିନିକ, ନର୍ସି ହୋମ ଓ ଔଷଧ ଦୋକାନ ଖୋଲା ରହିବା ସହିତ ଜିଲା ଓ ପୌର ପ୍ରଶାସନ, ପୁଲିସ ଓ ଅଗ୍ନିଶମ ସେବା ଖୋଲା ରହିବ। କେନ୍ଦ୍ରୀୟ ଓ ରାଜ୍ୟ କାର୍ଯ୍ୟାଳୟଗୁଡିକରେ ଯେଉଁମାନେ ଜରୁରୀ ସେବାରେ ନିୟୋଜିତ ତାହା ଖୋଲା ରହିବ। ସେହିପରି ଟେଲିକମ୍ ସର୍ଭିସ, ପେଟ୍ରୋଲ ପମ୍ପ ଖୋଲିବ। ତେବେ ସବୁବେଳେ ଛାପା ଗଣମାଧ୍ୟମକୁ ସଟ ଡାଉନବେଳେ କଟକଣାଭୁକ୍ତ କରାଯାଉଥିବାବେଳେ ଏବେ ଏହାକୁ ଏଥିରୁ ମୁକ୍ତ କରାଯାଇଛି। ଏଣିକି ସଟ୍ ଡାଉନ ବେଳେ ଛାପା ଗଣମାଧ୍ୟମ ସହିତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯେଉଁମାନେ କି ଜିଲା ଓ କମିଶନରେଟ ପୁଲିସଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବେ ସେମାନେ ଯାତାୟାତ କରିପାରିବେ।
ସେହିପରି ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ବୈଦ୍ୟୁତିକ ସେବା, ମାଲବାହୀ ଓ ଖାଲି ଭାରି ଯାନ, ଶିଳ୍ପ ଓ କଳକାରଖାନା, ଆଇଟି କ୍ଷେତ୍ର, କୃଷିକ୍ଷେତ୍ର, ମତ୍ସ୍ୟ ଓ ପଶୁସମ୍ପଦ ଆକ୍ଟିଭିଟି ଜାରି ରହିବ। ଏହାବାଦ୍ ବିମାନ ଓ ରେଳ ଯାତାୟାତ ଚାଲୁ ରହିବା ସହିତ ଜାତୀୟ ରାଜପଥ, ଯାତ୍ରୀବାହୀ ଗାଡ଼ି, ଓଲା, ଓବେର ପ୍ରମୁଖ ଯାତାୟାତ କରିପାରିବେ।
ବିଶେଷକରି କରୋନାର ଗୁରୁତର ପ୍ରଭାବ ପଡୁଥିବା ୬୫ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ସହିତ ବିଭିନ୍ନ ଜଟିଳ ରୋଗରେ ସଂକ୍ରମିତ ବ୍ୟକ୍ତି, ଗର୍ଭସ୍ଥ ଏବଂ ୧୦ବର୍ଷରୁ କମ୍ ବୟସର ଶିଶୁମାନେ ବାହାରେ ବୁଲାବୁଲି କରିପାରିବେ ନାହିଁ ବୋଲି ଏସଆରସିଙ୍କ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି।

Comments are closed.