ଓଡ଼ିଆ ପୁଅ କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ

ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ତରଫରୁ ଉତ୍କୃଷ୍ଟ ସେବା ପାଇଁ ଓଡିଶାର କୀର୍ତ୍ତନ ନାୟକଙ୍କୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ଶ୍ରୀ ନାୟକ ଗ୍ରାମୀଣ ଡାକ ସେବକ ବର୍ଗରେ ଓଡିଶାରୁ ପ୍ରଥମ ବୋଲି ଜଣାପଡିଛି। ମଙ୍ଗଳବାର ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚ୍ୟୁଆଲ ସଭାରେ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ମୋଟ ଆଠଟି ବର୍ଗରେ ପ୍ରତିବର୍ଷ ବିଭିନ୍ନ କର୍ମଚାରୀଙ୍କୁ ବିଭାଗର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯାଇଥାଏ। ଏହି କ୍ରମରେ ବ୍ରହ୍ମପୁର ମଣ୍ଡଳ ମର୍ଦକୋଟ ଶାଖାର କୀର୍ତ୍ତନଙ୍କୁ ଗ୍ରାମୀଣ ଡାକ ସେବକ ବର୍ଗରେ ମେଘଦୂତ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କହଁର ଶ୍ରୀ ନାୟକଙ୍କୁ ସମ୍ମାନିତ କରିଛନ୍ତି। ଶ୍ରୀ ନାୟକ କୋଭିଡ-୧୯ ସମୟରେ ଡାକ ସେବା ପ୍ରଦାନ କରି ୪୧୧୨ ଜଣଙ୍କୁ ଦ୍ୱାରଦେଶରେ ଟଙ୍କା ଉଠାଣର ସୁବିଧା ତଥା ଅନ୍ୟାନ୍ୟ ସେବା ପ୍ରଦାନ କରି ପ୍ରଶଂସା ଭାଜନ ହୋଇଥିଲେ। ବିଭାଗୀୟ ମନ୍ତ୍ରୀ ଡାକ ବିଭାଗ କୋଭିଡ ସମୟରେ ବିଭିନ୍ନ ଜୀବନ ରକ୍ଷାକାରୀ ସାମଗ୍ରୀ, ଔଷଧ ଓ ପିପିଇ କିଟ ସାମଗ୍ରୀ ବିତରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ସୂଚାରୁ ବିତରଣ କରି ଲୋକଙ୍କର ଆସ୍ଥା ଭାଜନ ହୋଇପାରିଛି ବୋଲି କହିଥିଲେ। ଏହି ଅବସରରେ ଡାକ ବିଭାଗ ଏବଂ କମନ ସର୍ଭିସ ସେଣ୍ଟର ମୁଖ୍ୟଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରସାଦ ଡାକ ପେ ଆପ, ଇ-ବୁକ ଇଣ୍ଡିଆ ପୋଷ୍ଟ ମିଟସ କରୋନା ଭାଇରସ ଚାଲେଞ୍ଜର ମଧ୍ୟ ଉନ୍ମୋଚନ କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଭାଗର ନିର୍ଦେଶକ ଶ୍ରୀ ଆଦିତ୍ୟ କୁମାର ନାୟକ ଓ କୀର୍ତ୍ତନଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ।

Comments are closed.