ରାଜ୍ୟରେ ୧୩୫୦ ଶଯ୍ୟାର ୩ କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟର ଦ୍ବିତୀୟ ବୃହତ୍ତମ କୋଭିଡ଼୧୯ ହସ୍ପିଟାଲ ସମ ହସ୍ପିଟାଲ ପରିସରରେ ପ୍ରତିଷ୍ଠା ହୋଇଛି। ସୋଆର ଦୁଇ ନମ୍ବର କ୍ୟାମ୍ପସରେ ନିର୍ମିତ ୫୦୦ଶଯ୍ୟାର କୋଭିଡ଼ ହସ୍ପିଟାଲ ସହିତ ୨୫ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏମସିଏଲ ସହାୟତାରେ ନିର୍ମିତ ଏହି ହସ୍ପିଟାଲର ସମ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦ୍ବାରା ପରିଚାଳିତ ହେବ।
ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହସ୍ପିଟାଲର ଡାକ୍ତର ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ବ ମହାମାରୀ ରୂପ ନେଇସାରିଥିବା କରୋନା ମୁକାବିଲା ପାଇଁ ସେବା ଯୋଗାଇଦେବା କ୍ଷେତ୍ରରେ ଆଗରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ସେ ପ୍ରଶଂସା କରିଥିଲେ। ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏଭଳି ସମୟରେ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ରେକର୍ଡ଼ ସମୟ ଭିତରେ ହସ୍ପିଟାଲ ପ୍ରସ୍ତୁତ କରିଥିବାରୁ ସେ ସୋଆର ଉଦ୍ୟମକୁ ପ୍ରଶଂସା କରିଥିଲେ।
କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ଉଦ୍ୟମକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ୩ ଟି ସହରରେ ୪୮ ଘଣ୍ଟିଆ ‘ସଟ ଡାଉନ’ ଏକ ବଡ ପଦକ୍ଷେପ ବୋଲି କହିଥିଲେ । କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ​‌େ​ଯ‌ାଷୀ କହିଥିଲେ, କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ‌ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏହି ନୂତନ ହସ୍ପିଟାଲ ରାଜ୍ୟ ପାଇଁ ଏକ ବହୁତ ବଡ ସମ୍ପଦ ବୋଲି କହିଥିଲେ।
କୋଭିଡ ମୁକାବିଲା ଓ ଏଥିପାଇଁ ହସ୍ପିଟାଲ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଏବେ ଅଗ୍ରଣୀ ଭୂମିକାରେ ରହିଛି। କରୋନା ଆରମ୍ଭ କାଳରୁ ମୁଖ୍ୟମନ୍ତ୍ରୀ ନିଜେ ହାତଧୁଆ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ବାଚସ୍ପତି, ବିରୋଧୀ ଦଳ ନେତା, ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ସାମାଜିକ ଦୂରତା ରକ୍ଷା, ହାତ ଧୋଇବା ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନ୍ୟ ସମସ୍ତ ନିୟମାବଳୀକୁ ରାଜ୍ୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ କରାଯାଇଛି।

ଭବିଷ୍ୟତରେ କରୋନା ଆହ୍ବାନର ମୁକାବିଲା ସକାଶେ ରାଜ୍ୟରେ ଅନ୍ୟ ଦୁଇଟି କୋଭିଡ଼ ହସ୍ପିଟାଲକୁ ପ୍ରସ୍ତୁତ କରି ରଖାଯାଇଛି। ଏହି ଦୁଇଟି ହସ୍ପିଟାଲ ମଧ୍ୟରୁ ଗୋଟିଏ କିମ୍ସରେ ପ୍ରତିଷ୍ଠା କରାଯାଇଛି। ଏଠାରେ ୫୦୦ଶଯ୍ୟାର ସୁବିଧା ରହିଛି। ଅନ୍ୟଟି କଟକର ଅଶ୍ବିନୀ ହସ୍ପିଟାଲ ପରିସରରେ ପ୍ରତିଷ୍ଠା ହୋଇଛି ଏବଂ ଏଠାରେ ୧୨୫ଟି ଶଯ୍ୟା ରହିଛି। ଏହାଛଡ଼ା ଜିଲାସ୍ତରରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ରାଉରକେଲାଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ଼ ୧୯ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି। ହାଇଟେକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦ୍ବାରା ଏହା ପରିଚାଳିତ ହେବ। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ୧୩୫୦ରେ ପହଞ୍ଚିଛି।
ରାଜ୍ୟ ସରକାର ୭ହଜାର ପଞ୍ଚାୟତରେ ଆଇସୋଲେସନ ପାଇଁ ୪ଲକ୍ଷ ଶଯ୍ୟାର ସୁବିଧା କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସମ ହସ୍ପିଟାଲ ସହଯୋଗରେ ରାଜ୍ୟ ସରକାର ଅନୁଗୋଳ ଓ କେନ୍ଦ୍ରାପଡ଼ାଠାରେ ଅନ୍ୟ ଦୁଇଟି କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶଚନ୍ଦ୍ର ମହାପାତ୍ର, ୫ ଟି ସଚିବ ଭି କେ ପାଣ୍ଡିଆନ , ଏମସିଏଲର ବରିଷ୍ଠ ଅଧିକାରୀ ସମ ହସ୍ପିଟାଲର ପ୍ରତିଷ୍ଠାତା ଡ.ମନୋଜ ନାୟକ, ସୋଆର କୁଳପତି ଡ. ଅଶୋକ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୬ ତାରିଖ ଦିନ ଓଡିଶା ସରକାର, ଏମସିଏଲ ଓ ଆଇଏମଏସ ଓ ସମ ହସ୍ପିଟାଲ ମଧ୍ୟରେ କୋଭିଡ ୧୯ ହସ୍ପିଟାଲ ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

Comments are closed.