୯ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର : କରୋନା ବ୍ୟାପୁଥିବାରୁ ଏଣିକି ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ଆସନ୍ତା ୯ତାରିଖଠାରୁ ଏହାକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ସରକାର ନିର୍ଦେଶ ଜାରି କରିଛନ୍ତି। କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାବେଳେ ଏହା ଏବେ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହା ଅନ୍ୟମାନଙ୍କୁ ବ୍ୟାପୁଛି। ସଂକ୍ରମଣକୁ ରୋକିବା ନିମନ୍ତେ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। ବିଶ୍ବ ତଥା ଜାତୀୟ ସ୍ତରର ଅନେକ ଅଭିଜ୍ଞତାକୁ ଦୃଷ୍ଟିରୁ ମାସ୍କ ବ୍ୟବହାର ଉପଯୋଗୀ ସାବ୍ୟସ୍ତ ହୋଇଛି। ଘର ବାହାରକୁ କୌଣସି କାର୍ଯ୍ୟରେ ଯିବା ସମୟରେ ଜନସାଧାରଣ ସେମାନଙ୍କ ମୁହଁ ଓ ନାକ ଯେକୌଣସି ଭାବେ ଉପଲବ୍ଧ ମାସ୍କରେ ଘୋଡାଇ ରଖିବା ନିମନ୍ତେ ଜନସାଧାରଣଙ୍କ ନିମନ୍ତେ ନିର୍ଦେଶ ଜାରି ହୋଇଛି। ମାସ୍କ ନଚେତ କୌଣସି ରୁମାଲ କିମ୍ବା ଦୁଇ ପରସ୍ତ କପଡ଼ାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୨୪ ଅନୁସାରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି।ଘରୁ ପଦାକୁ ବାହାରିଲେ ଲୋକମାନେ ଯେପରି ମୁହଁରେ ମାସ୍କ, ରୁମାଲ, ଗାମୁଛା, ଦୁପଟ୍ଟା ଭଳି ପୋଷାକ ବ୍ୟବହାର କରିବେ ତାହା ନିଶ୍ଚିତ କରିବା ସହିତ ସାମାଜିକ ଦୂରତା ରକ୍ଷା ନିମନ୍ତେ କୌଣସି ସ୍ଥାନରେ ଯେପରି ଲୋକଗହଳି ଓ ଭିଡ଼ ନରହେ ସେ ବିଷୟ ତଦାରଖ କରିବାକୁ ଜିଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଜାରି ହୋଇଛି।

କୌଣସି ପରିସ୍ଥିତିରେ ଲୋକେ ଡ଼ିସପୋଜେବୁଲ.ଏକକ ବ୍ୟବହାର ମାସ୍କ ବ୍ୟବହାର କରୁଥିଲେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଧାର୍ଯ୍ୟ ନିୟମାବଳି ଅନୁସାରେ ଏସବୁ ମାସ୍କ ନଷ୍ଟ କରିବାକୁ କୁହାଯାଇଛି। ପ୍ରତି ଥର ବ୍ୟବହାର ପରେ ପୋଷାକରେ ତିଆରି ମାସ୍କଗୁଡ଼ିକୁ ସାବୁନ ଡ଼ିଟରଜେଣ୍ଟ, ବିଶୋଧକ ଦ୍ବାରା ସଫା କରି ଖରାରେ ୫ଘଣ୍ଟା ଶୁଖାଇବାକୁ ହେବ। ଜଣେ ବ୍ୟକ୍ତିଙ୍କ ‌ଦ୍ବାରା ବ୍ୟବହୃତ ମାସ୍କ ଅନ୍ୟ ଜଣେ ବ୍ୟବହାର ନକରିବାକୁ କୁହାଯାଇଛି। ଆସନ୍ତା ଏପ୍ରିଲ ୯ତାରିଖଠାରୁ ଏହି ନିର୍ଦେଶ କଡ଼ାକଡ଼ି ଲାଗୁ କରିବାକୁ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ନିର୍ଦେଶ ଜାରି କରିଛନ୍ତି।

Comments are closed.