ନୂଆ ରୂପ ନେବ କଳାଭୂମି, ଝଲସିବ ଶ୍ରୀଜୀଉଙ୍କ ରଘୁନାଥ ବେଶ

ଖୋଲିବ ଜଗନ୍ନାଥ ଓ ନୃତ୍ୟ ଗ୍ୟାଲେରୀ

ଭୁବନେଶ୍ବର: ବଦଳିବ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ରୂପରେଖ। ଏଠାରେ ପର୍ଯ୍ୟଟକଙ୍କୁ ମିଳିବ ପାରମ୍ପରିକ ଓ ଆଧ୍ୟାତ୍ମିକ ଅନୁଭୂତି। କରୋନା ମହାମାରୀ ଯୋଗୁଁ କଳାଭୂମି ଦୀର୍ଘ ୯ ମାସ ହେବ ବନ୍ଦ ଥିଲା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଂଗ୍ରହାଳୟ ପକ୍ଷରୁ ଦୁଇଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା କରାଯାଉଛି। ସଂଗ୍ରହାଳୟ ପରିସରରେ ଥିବା ସାମଗ୍ରୀ ଓ କାନ୍ଥଗୁଡ଼ିକୁ ଆଦିବାସୀ ଚିତ୍ରରେ ଚିତ୍ରଣ କରାଯାଇଛି। ଏଥିସହ ଏହାର ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ବୋଲି ସଂଗ୍ରହାଳୟ ଦାୟିତ୍ବରେ ଥିବା ମମତା ବେହେରା କହିଛନ୍ତି।
ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ସବୁ ଶ୍ରଦ୍ଧାଳୁ ବା ଭକ୍ତମାନେ ଯିବା ସମ୍ଭବ ହେଉନାହିଁ। ସେଥିପାଇଁ ଭକ୍ତଙ୍କୁ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ବନ୍ଧରେ ଅନୁଭୂତି ପ୍ରଦାନ ନେଇ ସଂଗ୍ରହାଳୟରେ ସ୍ବତନ୍ତ୍ର ଗ୍ୟାଲେରୀ କରାଯାଇଛି। ଏଠାରେ ଜଗନ୍ନାଥଙ୍କର ୩୨ ବେଶରୁ ୬ପ୍ରକାର ବେଶ ବାରମାସ ପର୍ଯ୍ୟଟକ ଦେଖିପାରିବେ। ରଘୁନାଥ ବେଶ ଗ୍ୟାଲେରୀର ମୁଖ୍ୟ ଆକର୍ଷଣ ପାଲଟିଛି । ହଜିଯାଉଥିବା ଲୋକକଳା ସମ୍ପର୍କରେ ବିଶେଷ ତଥ୍ୟ ପ୍ରଦାନ କରାଯିବ। ସଂଗ୍ରହାଳୟ ପରିସରରେ ତିନି ଠାକୁରଙ୍କ ମୂର୍ତ୍ତି, ତିନୋଟି ରଥ, ରଥଚକ ସବୁ ସ୍ଥାନିତ କରାଯାଇଛି। ଆଗନ୍ତୁକମାନେ ଏଠାରେ ମାଟି କୁଡ଼ୁଆ, ପୋଷାକ, ଗହଣା, ରଥଚକଠାରୁ ଆରମ୍ଭ କରି ଶ୍ରୀଭୋଗ ଓ ଅବଢ଼ା ପ୍ରସ୍ତୁତି ପ୍ରଣାଳୀର ବହୁତ କିଛି ତଥ୍ୟ ବିଷୟରେ ଜାଣିପାରିବେ। ବହି ଓ ଇଣ୍ଟରନେଟ୍‌ ସହିତ ଏଠାରୁ ମଧ୍ୟ କିଛି ତଥ୍ୟ ଗବେଷକମାନେ ପାଇପାରି‌େ‌ବ।
ସେହିପରି ନୃତ୍ୟ ଗ୍ୟାଲେରୀରେ ଓଡ଼ିଶୀ, ଗୋଟିପୁଅ, ମାହାରୀ, ସମ୍ବଲପୁରୀ, ନାଗା ଓ ରାସ ଭଳି ନୃତ୍ୟ କରୁଥିବା ମୂର୍ତ୍ତି ସବୁ ଦେଖିବାକୁ ମିଳିବ। ଏହି ନୃତ୍ୟରେ ବ୍ୟବହାର କରାଯାଉଥିବା ପୋଷାକ ଓ ଗହଣା ରହିବ। ଗ୍ୟାଲେରୀର ମୁଖ୍ୟ ଅାକର୍ଷଣ ପାଲଟିବ ଗହଣା ବାକ୍ସ। ଯେଉଁଥିରେ ସବୁ ପରମ୍ପରାର ଗହଣା ଦେଖିବାର ସୁଯୋଗ ମିଳିବ। ସଂଗ୍ରହାଳୟ ଖୋଲିବା ଭିତରେ ଯଦି ଜଗନ୍ନାଥ ଓ ନୃତ୍ୟ ଗ୍ୟାଲେରୀ କାର୍ଯ୍ୟ ଶେଷ ହୋଇଥାଏ ତାହେଲେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। ସଂଗ୍ରହାଳୟ ଖୋଲିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ସୂଚନା ମିଳିବା ପରେ ହିଁ ସଂଗ୍ରହାଳୟ ଖୋଲାଯିବ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

Comments are closed.